ପାଣିରେ ଉବୁଟୁବୁ ଶ୍ରୀଲୋକନାଥ ମନ୍ଦିର

0

ପୁରୀ: ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଆଣ୍ଠୁଏ ଉଚ୍ଚର ପାଣି ଜମାହୋଇ ରହିଛି। ବର୍ଷା ଛାଡିବାର ୫ଦିନ ପରେବି ଜଳନିଷ୍କାସନ କରାଯାଇ ନାହିଁ। ଏଥିଯୋଗୁଁ ଶ୍ରୀଲୋକନାଥଙ୍କ ଦୈନନ୍ଦିନ ନୀତିକାନ୍ତି ବାଧାପ୍ରାପ୍ତ ହେବାସହ ଶ୍ରଦ୍ଧାଳୁ ଭକ୍ତମାନେ ନାହିଁନଥିବା ଦୁର୍ଦଶା ଭୋଗୁଛନ୍ତି। ମନ୍ଦିର ବେଢା ସମେତ ଗମ୍ଭୀରା ଏବଂ ରୋଷଘରେ ପାଣି ପଶିଯାଇଛି। ବାରମ୍ବାର ଦାବିସତ୍ତ୍ବେ ଜଳନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରାଯାଉ ନାହିଁ। ପାର୍ବତୀ ସାଗରର ଭୁଶୁଡିଥିବା ପ୍ରାଚୀର ଏପର୍ୟ୍ୟନ୍ତ ପୁନଃନିର୍ମାଣ କରାଯାଇ ନାହିଁ। ସଂପୃକ୍ତ ସ୍ଥାନ ବିପଦସଂକୁଳ ଅବସ୍ଥାରେ ରହିଛି। ମନ୍ଦିର ଅପେକ୍ଷାକୃତ ଖାଲୁଆ ଥିବାରୁ ଅସରାଏ ବର୍ଷାହେଲେ ପାଣି ସେଠାରେ ଢେଉ ଭାଙ୍ଗୁଛି। ୨ଦିନ ପରେ ଶ୍ରାବଣ ସୋମବାର ତୃତୀୟପାଳି ଅନୁଷ୍ଠିତ ହେବ। ଶ୍ରୀଲୋକନାଥଙ୍କୁ ଜଳଲାଗି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୫୦ହଜାର ଭକ୍ତ ସେଠାରେ ସମବେତ ହେବେ। ଏହାସତ୍ତ୍ବେ ମନ୍ଦିର ଭିତରୁ ବର୍ଷାଜଳ ନିଷ୍କାସନ ଦିଗରେ ଅବହେଳା କରାଯାଇଛି। ଅର୍ଥାଭାବ ଯୋଗୁଁ ପ୍ରାଚୀନ ମନ୍ଦିରର ପୁନରୁଦ୍ଧାର କିମ୍ବା ଜଳନିଷ୍କାସନ ବ୍ୟବସ୍ଥା ହୋଇପାରୁ ନାହିଁ। ହୃଦୟ ଓ ପ୍ରସାଦ ଯୋଜନାରେ ଅନ୍ୟ ମଠମନ୍ଦିର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଶ୍ରୀଲୋକନାଥ ମନ୍ଦିର ପ୍ରତି ଜିଲା ପ୍ରଶାସନ ଏବଂ ସ୍ଥାନୀୟ ରାଜନେତା ଅବହେଳା କରୁଛନ୍ତି। ଖର୍ଚ୍ଚ ହୋଇନପାରି କେନ୍ଦ୍ରୀୟ ଅନୁଦାନ ଫେରିଯାଉଛି। ଶ୍ରୀଲୋକନାଥଙ୍କ ମନ୍ଦିର ସଂରକ୍ଷଣ ପାଇଁ ଅର୍ଥ ଆବଣ୍ଟନ କରାଯାଉ ନାହିଁ। ଏ ସମ୍ପର୍କରେ ଟ୍ରଷ୍ଟବୋର୍ଡ ସଭାପତି ତଥା ଉପଜିଲାପାଳ ଭବତାରଣ ସାହୁଙ୍କୁ ପଚାରିବାରୁ ସେ କହିଲେ ଜଳନିଷ୍କାସନ ପାଇଁ ୪ଗୋଟି ମୋଟର ପମ୍ପ ଲଗାଯାଇଛି। ପାର୍ବତୀ ସାଗର ପୁଷ୍କରିଣୀ ପ୍ରାଚୀର ପୁନଃନିର୍ମାଣ ଦାୟିତ୍ୱ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ମନ୍ଦିର ଖାଲୁଆ ଥିବାରୁ ବର୍ଷାଦିନରେ ଏପରି ପରିସ୍ଥିତି ସୃଷ୍ଟି ହେଉଥିବା ସେ କହିଛନ୍ତି।

Leave A Reply