ଟ୍ରାଙ୍କୁଲାଇଜିଂ ଟିମ୍‌ ଫାନ୍ଦରେ ପଡ଼ୁନି ବାଘୁଣୀ

0

ଅନୁଗୋଳ: ସାତକୋଶିଆରେ ଛଡାଯାଇଥିବା ବାଘୁଣୀକୁ ଟ୍ରାଙ୍କୁଲାଇଜିଙ୍ଗ୍‍ କରିବା ପାଇଁ ମଙ୍ଗଳବାର ଯାଇ ଥିବା ୧୦ ଜଣିଆ ଦଳ ବୁଧବାର ସନ୍ଧ୍ୟା ସୁଦ୍ଧା ଟ୍ରାଙ୍କୁଲାଇଜିଙ୍ଗ୍‍ କରିବାରେ ସଫଳ ହୋଇ ପାରିନାହାନ୍ତି। ମଙ୍ଗଳବାର ରାତି ଛେଳି ବାନ୍ଧି ମଞ୍ଚା କରି ଜଗି ରହିଥିଲେ। ବାଘୁଣୀ ଶିକାର ଲୋଭରେ ଆସିବା ପରେ ଟ୍ରାଙ୍କୁଲାଇଜିଙ୍ଗ୍‍ କରିବା ଆଶା ରଖିଥିଲେ। ମାତ୍ର ସଫଳ ହୋଇପାରିଲା ନାହିଁ ବନ ବିଭାଗ। ରାତି ତମାମ ଉଜାଗର ରହିବା ପରେ ମଧ୍ୟ ସଫଳତା ମିଳିପାରି ନପାରିବାରୁ ସକାଳେ ଆଣ୍ଟିନା ଦ୍ୱାରା ରେଡିଓ କୋଲାରକୁ ଠାବ କରି ବାଘୁଣୀକୁ ଖୋଜା ଯାଇଥିଲା। ମାତ୍ର ବୁଦା ଭିତରକୁ ପଶିଯାଇଥିବାରୁ ତାହା ସମ୍ଭବ ହୋଇ ପାରିନଥିଲା। ଦିନ ତମାମ ଚେଷ୍ଟା କରି ଟ୍ରାଙ୍କୁଲାଇଜିଙ୍ଗ୍‍ ଟିମ୍‍ ବିଫଳ ହୋଇଥିଲେ। ବାଘୁଣୀ ପ୍ରାୟ ଦିନ ୩ଟା ବେଳେ
ଜଙ୍ଗଲ ଭିତରକୁ ପଶିଯାଇଥିବାରୁ ବନ ବିଭାଗ ନିରାଶ ହୋଇ ଫେରି ଆସିଥିଲା। ସନ୍ଧ୍ୟାରେ ଆଣ୍ଟିନାରେ ରେଡିଓକୋଲାର ସିଗ୍‍ନାଲ୍‍ ଆସିବା ପରେ ଟ୍ରାଙ୍କୁଲାଇଜିଙ୍ଗ୍‍ ଟିମ୍‍ ଦୁଇ ଭାଗରେ ବିଭକ୍ତ ହୋଇ ଯାଇଥିଲେ। ବାଘୁଣୀ ଛଅଶହରୁ ସାତ ସହ ମିଟର ଦୂରରେ ରହୁଥିବାରୁ ଟ୍ରାଙ୍କୁଲାଇଜିଙ୍ଗ୍‍ କରାଯାଇ ପାରୁ ନଥିବା କୁହାଯାଉଛି। ଟ୍ରାଙ୍କୁଲାଇଜିଙ୍ଗ୍‍ ପାଇଁ୧୦ ରୁ ୨୦ ମିଟର ବ୍ୟବଧାନ ଦରକାର ବୋଲି ସାତକୋଶିଆ ଡିଏଫ୍‍ଓ ପ୍ରକାଶ କରିଛନ୍ତି।
ନନ୍ଦନକାନନରୁ ଯେଉଁ ଟ୍ରାଙ୍କୁଲାଇଜିଙ୍ଗ୍‍ ଟିମ୍‍ ଆସିଛନ୍ତି ସେମାନେ ଚିଡିଆଖାନାରେ ଥିବା ପଶୁ ପକ୍ଷୀଙ୍କୁ ଟ୍ରାଙ୍କୁଲାଇଜିଙ୍ଗ୍‍ କରିବାରେ ସିଦ୍ଧହସ୍ତ। ମାତ୍ର ଶିମିଳିପାଳରୁ ଯେଉଁ ଦୁଇଜଣ ଦକ୍ଷ କର୍ମଚାରୀ ଆସିଛନ୍ତି ସେମାନେ ଜଙ୍ଗଲି ଜନ୍ତୁଙ୍କୁ ଟ୍ରାଙ୍କୁଲାଇଜିଙ୍ଗ୍‍ କରିବାରେ ପାରଙ୍ଗମ। ତେଣୁ କୌଣସି ଅସୁବିଧା ହେବ ନାହିଁ ବୋଲି କହୁଛି ବନ ବିଭାଗ। ବୁଧବାର ରାତିରେ ୨ଟି ସ୍ଥାନରେ ଛେଳି ବାନ୍ଧି ମଙ୍ଗଳବାର ରାତି ଭଳି ଅପେକ୍ଷା କରିବେ ଟ୍ରାଙ୍କୁଲାଇଜିଙ୍ଗ୍‍ ଟିମ୍‍। ଗୁରୁବାର ସନ୍ଧ୍ୟା ସୁଦ୍ଧା ଟ୍ରାଙ୍କୁଲାଇଜିଙ୍ଗ୍‍ରେ ସଫଳ ହେବେ ବୋଲି ଆଶାବାନ୍ଧି ବସିଛନ୍ତି ବନ ବିଭାଗ। ଏହା ସହ ଅନ୍ୟ ରାଜ୍ୟରୁ ଟ୍ରାଙ୍କୁଲାଇଜିଙ୍ଗ୍‍ ଏକ୍ସପର୍ଟ ଡକାଇବା ପାଇଁ ପିସିସିଏଫ୍‍ଙ୍କ ସହ ଆଲୋଚନା ହେଉଥିବାର ଡିଏଫ୍‍ଓ ପ୍ରକାଶ କରିଛନ୍ତି। ବାଘୁଣୀଟି ସେହି କୁମୁରା ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରେ ଘୂରି ବୁଲୁଛି। ସୋମବାର ସକାଳେ ବଳଦ ଶିକାର କରି ଖାଇଥିବାରୁ ଦିନେ ଦୁଇଦିନ ଶିକାର କରିବ ନାହିଁ। ତେଣୁ ବୁଧବାର ରାତି କିମ୍ବା ଗୁରୁବାର ଶିକାର କରିବ ବୋଲି ଆଶା ବାନ୍ଧିଛନ୍ତି। ଟ୍ରାଙ୍କୁଲାଇଜିଙ୍ଗ୍‍ରେ ଯେତିକି ବିଳମ୍ବ ହେଉଛି ସେତିକି ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ୁଛି। ବାସ୍ତବରେ ଟ୍ରାଙ୍କୁଲାଇଜିଙ୍ଗ୍‍ କରିବା ପାଇଁ ଆସିଛନ୍ତି ନା ସାଧାରଣ ଜନତାଙ୍କୁ ଭୁଆଁ ବୁଲାଇବା ପାଇଁ ଟିମ୍‍ ବୁଲୁଛି ବୋଲି ଅନେକ ପ୍ରଶ୍ନ କରିଛନ୍ତି।
ବୁଧବାର ପୁଲିସ ପକ୍ଷରୁ ୧୯ ଜଣଙ୍କୁ ଗିରଫ କରାଯାଇଛି। ୫୫ ନମ୍ବର ଜାତୀୟ ରାଜପଥର କଞ୍ଜରାଠାରେ ରବିବାର ତ୍ରିନାଥଙ୍କ ଶବରଖି ରାସ୍ତାରୋକ ବେଳେ ପଥର ମାଡ଼, ଲାଠି ଚାର୍ଜ, ବସ୍‍ପୋଡି ଓ ଗୁଳି ଚାଳନା ହୋଇଥିଲା। ଏ ନେଇ ଜରପଡ଼ା ଥାନାରେ ମାମଲା ରୁଜୁ କରାଯାଇଥିଲା। ସେହି ମୋକଦ୍ଦମାକୁ ଆଧାର କରି ପୁଲିସ କଂଜରା, ଓଗୀ ଓ ବଇଣ୍ଡା ପ୍ରଭୃତି ଅଞ୍ଚଳରୁ ୧୯ ଜଣଙ୍କୁ ଗିରଫ କରିଛି। ସେମାନଙ୍କୁ କୋର୍ଟ ଚାଲାଣ କରିବା ପାଇଁ ପ୍ରସ୍ତୁତ ଚାଲିଛି। ଯେଉଁମାନଙ୍କୁ ଗିରଫ କରାଯାଇଛି ସେମାନଙ୍କ ନାମ ପୁଲିସ ଗୋପନ ରଖିଛି। ବାଘୁଣୀ ଆକ୍ରମଣରେ ଟାଇଁସି ଗ୍ରାମର ତ୍ରିନାଥ ସାହୁଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପୁଲିସର ହସ୍ତଗତ ହୋଇଛି। କୌଣସି ହିଂସ୍ର ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ହୋଇଥିବାର ଡାକ୍ତର ରିପୋର୍ଟରେ ଉଲ୍ଲେଖ ଥିବାବେଳେ ଜନ୍ତୁଟି ବେକକୁ ଆଘାତ ଦେଇ କାମୁଡି ଧରିବାରୁ ଶ୍ୱାସରୁଦ୍ଧ ହୋଇ ତାର ମୃତ୍ୟୁ ହୋଇଥିବା ଦର୍ଶା ଯାଇଛି।
ଟ୍ରାଙ୍କୁଲାଇଜିଂ ଟିମ୍‌ ଫାନ୍ଦରେ…

Leave A Reply