‘ଟଙ୍କା ଆପଣଙ୍କର, ଭଲ କାମ କରନ୍ତୁ: ନବୀନ ପଟ୍ଟନାୟକ

0

ହିଞ୍ଜିଳିକାଟୁ : ଆମ ଗାଁ ଆମ ବିକାଶ ଯୋଜନାରେ ମଞ୍ଜୁର ଅର୍ଥ ଆପଣମାନଙ୍କର। ଏହି ଅର୍ଥର ସଠିକ ଉପଯୋଗ କରି ଭଲ କାମ କରନ୍ତୁ ଏବଂ ସବୁ କାମ ଶୀଘ୍ର ଠିକ ଭାବେ ଶେଷ କରନ୍ତୁ ବୋଲି ହିଞ୍ଜିଳି ବ୍ଲକର ସମରଝୋଳ ନିକଟରେ ଆୟୋଜିତ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ୭ମାସ ପରେ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳି ଗସ୍ତରେ ନିର୍ଦ୍ଧାରିତ ସମୟରେ ପହଞ୍ଚି ଆୟୋଜିତ ସଭାରେ ଉଦବୋଧନ ଦେଇ ଆମ ଗାଁ ଆମ ବିକାଶ ଯୋଜନାରେ ଅର୍ଥ ମଞ୍ଜୁର କରି ଲୋକଙ୍କୁ ଉପରୋକ୍ତ ପରାମର୍ଶ କରିଛନ୍ତି। ୪୭ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର
କମିଟି କାର୍ଯ୍ୟାଳୟ ଗୃହକୁ ଉଦଘାଟନ କରିବା ପରେ ହିଞ୍ଜିଳି ବ୍ଲକର ସୋମପୁର ରୁଖି ଠାରେ ପ୍ରାୟ ୪ଏକର ଜମିରେ ୪୬ କୋଟି ଟଙ୍କା ବ୍ୟୟରେ ୧୩୨/୩୩କେ.ଭି ଗ୍ୟାସ ସଂଚାଳିତ ବିଦ୍ୟୁତ ଉପକେନ୍ଦ୍ର, ବିଜୁ ସେତୁ ଯୋଜନାରେ ୮କୋଟି ୬୪ଲକ୍ଷ ୧୩ହଜାର ଟଙ୍କା ବ୍ୟୟରେ ସୋମପୁର ଠାରୁ ସିଙ୍ଗିପୁର ରାସ୍ତାରେ ଘୋଡ଼ାହାଡ଼ ନଦୀ ଉପରେ ଉଚ୍ଚ ସେତୁ ନିର୍ମାଣର ଶିଳାନ୍ୟାସ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ସାହାପୁର ଗ୍ରାମର ଶାନ୍ତି ନାହାକଙ୍କୁ ବିଜୁ ପକ୍କା ଘରର କାର୍ଯ୍ୟାଦେଶ , ବଳରାମପୁରର ଝୁନୁ ଗୌଡ଼ ନିର୍ଦ୍ଧାରିତ ସମୟରେ ବିଜୁ ପକ୍କା ଘର କାମ ସାରିଥିବାରୁ ପ୍ରୋତ୍ସାହନ ରାଶି, ସିକିରିର ରାଜେନ୍ଦ୍ର ଭୋଳଙ୍କୁ ନିର୍ମାଣ ଶ୍ରମିକ ପକ୍କାଘର ଯୋଜନାରେ କାର୍ଯ୍ୟାଦେଶ, ପୋଡ଼ିଙ୍ଗି ଗ୍ରାମର ନୀଳମଣି ବେହେରାଙ୍କୁ ସୁଯୋଗ ଯୋଜନାରେ ୧୫ ହଜାର ଟଙ୍କାର ଚେକ, ମହିଳା ଚାଷୀ ନର୍ମଦା ସାବତଙ୍କୁ ମୋବାଇଲ ଓ ଡ଼ି.ପାଟପୁରର ଇକା ସ୍ୱାଇଁଙ୍କୁ ୫୦%ରିହାତିରେ କୃଷି ଯନ୍ତ୍ରପାତି ପ୍ରଦାନ କରିଥିଲେ।
ସଭାରେ ହିଞ୍ଜିଳି ବ୍ଲକ ଅଧ୍ୟକ୍ଷ ଏନ.ରଘୁନାଥ ଉଦବୋଧନ ଦେଇ ତିତଲି ବାତ୍ୟା ଓ ବନ୍ୟାରେ କ୍ଷତି ସହିଥିବା ହିଞ୍ଜିଳିକାଟୁ ଅଚଂଳର ଜନସାଧାରଣଙ୍କୁ ରାଜ୍ୟ ସରକାର ସହାୟତା ଯୋଗାଇ ଦେବା ଏବଂ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଜନାରେ ଅଞ୍ଚଳର ଗରିବ ଜନସାଧାରଣଙ୍କୁ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ଲକର ୨୧ଟି ପଞ୍ଚାୟତ ମଧ୍ୟରୁ ୨୦ଟି ପଞ୍ଚାୟତର ପ୍ରକଳ୍ପ ତାଲିକାକୁ ମଞ୍ଜୁରୀ ନିମନ୍ତେ ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ତାଲିକାକୁ ମଞ୍ଜୁର କରିବା ସହିତ ପ୍ରତ୍ୟେକ ପଞ୍ଚାୟତକୁ ୨୫ ଲକ୍ଷ ଟଙ୍କାଏ ମୋଟ ୫କୋଟି ଟଙ୍କା ମଞ୍ଜୁର କରିଥିଲେ। ଦୁର୍ବନ୍ଧ ପଞ୍ଚାୟତରେ ସମିତିସଭ୍ୟ ପଦ ପାଇଁ ଉପ- ନିର୍ବାଚନ ହେଉଥିବାରୁ ସେହି ପଞ୍ଚାୟତକୁ ମୋ ଗାଁ ମୋ ବିକାଶ କାର୍ଯ୍ୟକ୍ରମରୁ ବାଦ୍‍ ଦିଆଯାଇଥିଲା। ବ୍ଲକ ଅଧ୍ୟକ୍ଷ ପ୍ରଦାନ କରିଥିବା ପ୍ରକଳ୍ପକୁ ମଞ୍ଜୁର କରିଛି, ଏଥିରେ ଆପଣମାନେ ଖୁସି କି ବୋଲି ଉପସ୍ଥିତ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ। ଏ ଟଙ୍କା ଆପଣଙ୍କର, ତେଣୁ ଭଲ କାମ କରନ୍ତୁ ଓ ଶୀଘ୍ର ସାରନ୍ତୁ ବୋଲି ଉପସ୍ଥିତ ଜନ ସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତିକେୟ ପାଣ୍ଡିଆନ, ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ଥିଲେ।
ଚଳିତ ଥର ପୂର୍ବାପେକ୍ଷା କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଜଣେ ଏଏସପି, ୫ଏସଡ଼ିପିଓ,୧୨ଜଣ ଇନିସପେକ୍ଟର, ୩୦ଜଣ ସବ ଇନିସପେକ୍ଟର, ୩୦ଜଣ ଏଏସଆଇଙ୍କ ସହ୧୫ପ୍ଲାଟୁନ ସଶସ୍ତ୍ର ପୁଲିସ ଫୋର୍ସ ସଭାସ୍ଥଳରେ ମୁତୟନ ଥିଲେ। କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏସ.ପି ପିନାକ ମିଶ୍ର, ଅତିରିକ୍ତ ଏସ.ପି ପ୍ରଭାତ ରାଉତରାୟ, ଆଇଆଇସି ବିବେକାନନ୍ଦ ସ୍ୱାଇଁ, ଅନିଲ ମହାନ୍ତି, ଚିତ୍ତରଞ୍ଜନ ବେହେରା, ବୈଦେହୀ ବେହେରା, ଭଗବାନ ପ୍ରଧାନ, ପ୍ରଭାତ ସାହୁ, ସୁଦିପ୍ତ ସାହୁ,ଏସଡ଼ିପିଓ ସୁବାସଚନ୍ଦ୍ର ପଣ୍ଡା, ବାଦଲ ପାଢୀ, ଗଞ୍ଜାମ ଏଡ଼ିଏମ ବିଜୟ ଦାଶ, ଛତ୍ରପୁର ଉପଜିଲାପାଳ ଦେବବ୍ରତ ସାହୁ, ବିଡ଼ିଓ ପ୍ରସନ୍ନକୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକକୁମାର ପଣ୍ଡା, ଆଇଆଇସି ପ୍ରଶାନ୍ତକୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର ପ୍ରଧାନ, ଡ଼ି.ବିଶ୍ୱନାଥ, ବ୍ଲକ ଯୁବ ବିଜେଡ଼ି ସଭାପତି ମନୋଜ ସାବତ, ମ୍ୟୁନିସିପାଲଟି ଯୁବ ବିଜେଡ଼ି ସଭାପତି ସଞ୍ଜୟକୁମାର ପଣ୍ଡା, ପୂର୍ବତନ ଉପନଗରପାଳ ପବିତ୍ର ପାଣିଗ୍ରାହୀ, ସୁବାସ ପୋଲାଇ, ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ଅଜୟ ମହାରଣା, ସୁଧାଂଶୁ ସାହୁ, ଏ.ସୁଦର୍ଶନ, ନୀଳମଣି ପଟ୍ଟନାୟକ, ପ୍ୟାରୀ ପାଢୀଙ୍କ ସମେତ ବହୁ ବିଜେଡ଼ି ନେତା ଉପସ୍ଥିତ ଥିଲେ।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶେରଗଡ ଗସ୍ତରେ ଯାଇ ସେଠାରେ ବିଭିନ୍ନ ପ୍ରକଳ୍ପର ଭିତ୍ତି ଓ ଉଦଘାଟନ ସାଙ୍ଗକୁ ଆମ ଗାଁ ଆମ ବିକାଶ ଯୋଜନାରେ ୨୨ଟି ପଞ୍ଚାୟତର ୧୩୪ଟି ପ୍ରକଳ୍ପ ନିମନ୍ତେ ସାଢେ ୫ କୋଟି ଟଙ୍କା ମଞ୍ଜୁର କରିଥିଲେ। ଏହି ସଭାରେ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ, ସୂର୍ଯ୍ୟନାରାୟଣ ପାତ୍ର ଓ ଉଷାଦେବୀ, ସାଂସଦ ଲଡୁକିଶୋର ସ୍ୱାଇଁଙ୍କ ସମେତ ବହୁ ବିଧାୟକ ଓ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।
ଶେଷରେ ମୁଖ୍ୟମନ୍ତ୍ରୀ ଛତ୍ରପୁର ଗସ୍ତରେ ଯାଇ ସେଠାରେ ଅତ୍ୟାଧୁନିକ ନୂତନ ଜିଲାପରିଷଦ କୋଠା ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ସୁଇମିଂ ପୁଲ ଓ ପୁରୁଷୋତ୍ତମପୁର ଥାନାର ନୂତନ କୋଠା ଉଦଘାଟନ ସହ ଅତ୍ୟାଧୁନିକ ହୁମ୍ମା ଶୁଖୁଆ ହାଟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

Leave A Reply