ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ପ୍ରସ୍ତୁତି ଚୂଡାନ୍ତ: ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ: ଆଜି (ଗୁରୁବାର) ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୮ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୯୧ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍‍ଗ୍ରହଣ ହେବ। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ମେଘାଳୟ, ମିଜୋରାମ୍‍, ନାଗାଲ୍ୟାଣ୍ଡ, ସିକ୍କିମ୍‍, ଆଣ୍ଡାମାନ୍‍ ଓ ନିକୋବର ଦ୍ୱିପପୁଞ୍ଜ, ଲାକ୍ଷାଦ୍ୱୀପ, ତେଲଙ୍ଗାନା ଓ ଉତ୍ତରାଖଣ୍ଡର ସମସ୍ତ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆଜି ମତଦାନ ହେବ। ଏଥିସହିତ ଆସାମ, ବିହାର, ଛତିଶଗଡ଼, ଜମ୍ମୁ କାଶ୍ମୀର, ମହାରାଷ୍ଟ୍ର, ମଣିପୁର, ଓଡ଼ିଶା, ତ୍ରିପୁରା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ। ଲୋକସଭା ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶ, ସିକ୍କିମ୍‍ ଓ ଅରୁଣାଚଳ ପ୍ରଦେଶର ସମସ୍ତ ବିଧାନସଭା ଆସନ ଏବଂ ଓଡ଼ିଶାର ୨୮ଟି ବିଧାନସଭା ଆସନ ପାଇଁ ମଧ୍ୟ ମତଦାନ ହେବ।

ଆସାମରେ ସୁଚାରୁରୂପେ ମତଦାନ କାର୍ଯ୍ୟ ସମ୍ପନ୍ନ କରିବା ଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଆସାମର ଲକ୍ଷ୍ମୀପୁର, ତେଜ୍‍ପୁର, କାଳିଆବୋର୍‍, ଦିବ୍ରୁଗଡ଼ ଓ ଜୋର୍‍ହାଟ୍‍ ନିର୍ବାଚନ ମଣ୍ଡଳୀରେ ଭୋଟ୍‍ ନିଆଯିବ। ଉତ୍ତର ପ୍ରଦେଶରେ ନିର୍ବାଚନପାଇଁ କର୍ତ୍ତୃପକ୍ଷ ସମସ୍ତ ପଦକ୍ଷେପ ଗ୍ରହଣ କରିବା ସହ ନିର୍ବାଚନ କାର୍ଯ୍ୟକଳାପ ତ୍ୱରାନ୍ୱିତ ହୋଇଛି। ଉତ୍ତର ପ୍ରଦେଶର ଗାଜିଆବାଦ, ଗୌତମବୁଦ୍ଧ ନଗର, ବାଘ୍‍ପତ୍‍, ଶହାରଳନ୍‍ପୁର, ମେରଠ, ମୁଜାଫରନଗର, ବିଜ୍‍ନୋର୍‍ ଓ କଇରାନା ନିର୍ବାଚନ ମଣ୍ଡଳୀରେ ଆଜି ମତଦାନ ହେଉଛି। ବିହାରର ଔରଙ୍ଗାବାଦ, ଗୟା, ନାୱାଡ଼ା ଓ ଜାମୁଇ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେଉଛି। ଏହି ପର୍ଯ୍ୟାୟରେ ସେହି ଆସନଗୁଡ଼ିକରେ ୪୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନୱାଡ଼ା ବିଧାନସଭା ଆସନପାଇଁ ଉପନିର୍ବାଚନ ମଧ୍ୟ ଲୋକସଭା ନିର୍ବାଚନ ସହ ହେବ। ଜମ୍ମୁ-କାଶ୍ମୀରରେ ଜମ୍ମୁ ଓ ବାରମୁଲ୍ଲା ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ଭୋଟ୍‍ଗ୍ରହଣ ହେବ। ନାଗାଲ୍ୟାଣ୍ଡର ଏକମାତ୍ର ଲୋକସଭା ଆସନରେ ଆଜି ମତଦାନ।

ଇତିମଧ୍ୟରେ ନିର୍ବାଚନ କମିଶନ୍‍ କହିଛନ୍ତି, ଛତିଶଗଡ଼ର ଦାନ୍ତେୱାଡ଼ା ଅଞ୍ଚଳରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଲୋକସଭା ନିର୍ବାଚନ ହେବ। ସେଠାରେ ମଙ୍ଗଳବାର ନକ୍ସଲ୍‍ ଆକ୍ରମଣ ହୋଇଥିଲା।

Comments are closed.