ଅଂଶୁଘାତ ନେଲା ୭ ଜୀବନ

ବରଗଡ/ତୁଷରା/କଣ୍ଟାବାଞ୍ଝି/ନର୍ଲା/ବୌଦ୍ଧ : ପ୍ରଚଣ୍ଡ ତାତି ଓ ଗ୍ରୀଷ୍ମ ପ୍ରବାହ ପଶ୍ଚିମ ଓଡ଼ିଶା ପାଇଁ ପ୍ରାଣଘାତୀ ହୋଇଛି । ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ୭ ଜଣ ଅଂଶୁଘାତରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । କେବଳ ବରଗଡ଼ ଜିଲାରେ ବୁଧବାର ଅଂଶୁଘାତ ଯୋଗୁଁ ୩ଜଣଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ବରଗଡ଼ ରେଳଷ୍ଟେସନ ପ୍ଲାଟଫର୍ମରେ ଜନୈକ ଅଜଣା ବ୍ୟକ୍ତିଙ୍କ ସହ ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମର ଗ୍ରନ୍ଥ ପ୍ରଧାନ(୫୮), ଗାଇସିଲେଟ ଥାନା ଟେଙ୍ଗନାପାଲି ଗ୍ରାମର ସହଦେବ ବରିହା(୮୦)ଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
ବରଗଡ଼ ସଦର ଥାନା ନୂଆ ସରସରା ଗ୍ରାମର ଗ୍ରନ୍ଥ ପ୍ରଧାନ ନିଜ ଶ୍ୱଶୁର ଘର ଚକରକେନ୍ଦକୁ ଯାଇଥିବା ବେଳେ ବୁଧବାର ସକାଳେ ଅସୁସ୍ଥ ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ନିକଟସ୍ଥ ଜନୈକ ଡାକ୍ତରଙ୍କ ପାଖକୁ ଏବଂ ପରେ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖରାରେ କାମ କରିବା ଯୋଗୁଁ ସେ ଅସୁସ୍ଥତା ଅନୁଭବ କରିବା ସହ ମୃତ୍ୟୁ ବରଣ କରିଥିବା ଅଭିଯୋଗ କରିଛନ୍ତି। ସେହିପରି ଗାଇସିଲେଟ ବ୍ଳକ ଟେଙ୍ଗନାପାଲି ଗ୍ରାମର ସହଦେବ ବରିହା ଗତକାଲି ଗାଁରେ ଏକ ପାରିବାରିକ କାର୍ଯ୍ୟରେ ଯୋଗ ଦେଇଥିଲେ ଏବଂ ଅସୁସ୍ଥ ହୋଇପଡିଥିଲେ। ବୁଧବାର ସକାଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଏକ ଆମ୍ବୁଲାନ୍ସ ଯୋଗେ ବରଗଡ଼ ଡାକ୍ତରଖାନା ଅଣାଯାଉଥିବା ବେଳେ ରାସ୍ତାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। ଏ ନେଇ ତାଙ୍କ ସ୍ତ୍ରୀ ଏବଂ ପୁଅ ସହଦେବଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି । ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଦୁଇ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ସେହିପରି ବରଗଡ଼ ରେଲୱେ ଷ୍ଟେସନ ପ୍ଲାଟଫର୍ମର ବେଞ୍ଚରେ ଜନୈକ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନ ଥିବା ବେଳେ ଅଂଶୁଘାତରେ ତାର ମୃତ୍ୟୁ ଘଟିଥିବା କୁହାଯାଉଛି । ତେବେ ମୃତ ବ୍ୟକ୍ତି ଜଣକ ଟ୍ରେନ ଯୋଗେ କୌଣସି ସ୍ଥାନକୁ ଯିବା ପାଇଁ ସେଠାରେ ଅପେକ୍ଷା କରିଥିବାବେଳେ ଅସୁସ୍ଥ ହୋଇପଡିଥିବା ଅନୁମାନ କରାଯାଉଛି।
ଅନୁରୂପ ଭାବରେ କଣ୍ଟାବାଞ୍ଝି ଥାନା ଅନ୍ତର୍ଗତ ଲଖନା ରେଳ ପ୍ଲାଟଫର୍ମରେ ଜଣେ ଭିକାରୀ (୪୫) ଓ ତୁଷରା ଏନ୍‌ଏସିରେ ଝାଡ଼ୁଦାର କାମ କରୁଥିବା ପରମାନନ୍ଦ ସୁନା (୫୫) ଅଂଶୁଘାତରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ନର୍ଲା ଥାନା ଭାନପୁର ଗ୍ରାମର ପ୍ରେମାନନ୍ଦ ଗହୀର (୫୦) ମାଛ ଆଣିବାକୁ ଯିବା ବେଳେ ଅଂଶୁଘାତରେ ପ୍ରାଣ ହରାଇଥିବା ତାଙ୍କ ପରିବାର ଲୋକମାନେ ଅଭିଯୋଗ କରିଛନ୍ତି। ସେହିପରି ବୌଦ୍ଧ ସେରି କଲଚର ବିଭାଗରେ କାମ କରୁଥିବା ଅସ୍ଥାୟୀ ଶ୍ରମିକ ସୁଧାସାର ମଲ୍ଲିକ (୬୫) ବାଉଁଶୁଣୀରୁ ଗାଁ ଝାରମୁଣ୍ଡାକୁ ସାଇକେଲରେ ଫେରୁଥିବା ବେଳେ ଟିପମରା ବନ୍ଧ ନିକଟରେ ମୃତ୍ୟୁବରଣ କରିଛନ୍ତି । ଅଂଶୁଘାତରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ।

Comments are closed.