ଜିଡସ୍ କ୍ୟାଡିଲାର ପେଗିହେପ୍’ର ୩ୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷାକୁ ଅନୁମତି

ଅହମ୍ମଦାବାଦ ସ୍ଥିତ ଜିଡସ୍ କ୍ୟାଡିଲା ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ବିକଶିତ ଆଲଫା -୨ବି (ପେଗିହେପ୍)ର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ପାଇଁ ଅନୁମତି ମିଳିଥିବା ସୂଚନା ମିଳିଛି। କମ୍ପାନୀ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଭାରତୀୟ ଔଷଧ ନିୟନ୍ତ୍ରଣ ମହାନିର୍ଦ୍ଦେଶାଳୟ ଏହି ଅନୁମତି ପ୍ରଦାନ କରିଛି। ଫଳରେ କୋଭିଡ -୧୯ ରୋଗୀଙ୍କ ମଧ୍ୟରେ ଏହାର ଜୈବିକ ଥେରାପି ସମ୍ପର୍କିତ ଆଲଫା -୨ବି (ପେଗିହେପ୍) ସହିତ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିବାକୁ ଜିଡସ୍ କ୍ୟାଡିଲା କମ୍ପାନୀ ପ୍ରସ୍ତୁତି ଆରମ୍ଭ କରିଛି।

ଏହି ମାସରେ ଭାରତର ୨୫ଟି କେନ୍ଦ୍ରରେ ୨୫୦ ଜଣ ରୋଗୀଙ୍କ ଉପରେ ଏହି ପରୀକ୍ଷା କରାଯିବ। ଅହମ୍ମଦାବାଦ ଭିତ୍ତିକ ସ୍ୱାସ୍ଥ୍ୟସେବା ପ୍ରମୁଖ ଗତ ମାସରେ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ଶେଷ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ ବିଶ୍ଳେଷଣ ପରେ ମିଳିଥିବା ତଥ୍ୟ ଅନୁଯାୟୀ ଏହି ଔଷଧ ମଧ୍ୟମ ଧରଣର କୋଭିଡ -୧୯ରେ ପୀଡିତ ରୋଗୀଙ୍କ ଦେହରେ ସଂକ୍ରମଣ କରିବା ସହ ଉପକାରୀ ପ୍ରଭାବ ପକାଇଥିଲା। ଏକକ ଡୋଜ ପାଇଥିବା ୯୫ ପ୍ରତିଶତ ରୋଗୀ ଭାଇରସ୍ ମୁକ୍ତ ହୋଇଥିବା ଏବଂ ୧୪ ଦିନ ପରେ ସେହି ରୋଗୀମାନେ ଆରଟି-ପିସିଆର ପରୀକ୍ଷାରେ କରୋନା ମୁକ୍ତ ଥିବା ଜଣାପଡିଥିଲା।ସୂଚନାଅନୁଯାୟୀ, ଏହି ଔଷଧର ଗୋଟିଏ ଡୋଜ୍ ରୋଗୀମାନଙ୍କ ପାଇଁ ସୁଲଭ ହେବ।

କ୍ୟାଡିଲା ହେଲଥ କେୟାର ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଶାର୍ଭିଲ ପଟେଲ କହିଛନ୍ତି ଯେ ପେଗିଲେଟେଡ୍ ଇଣ୍ଟରଫେରନ୍ ଆଲଫା ୨-ବିର ଦ୍ୱିତୀୟ ପର୍ଯ୍ୟାୟ ଅଧ୍ୟୟନର ଫଳାଫଳ ସନ୍ତୋଷଜନକ ରହିଛି ଏବଂ ଏହା ଭୁତାଣୁ ହ୍ରାସ କରିବାର କ୍ଷମତା ରଖିଛି। ସେ କହିଛନ୍ତି କୋଭିଡ -୧୯ ବିରୋଧରେ ଲଢ଼ିବା ପାଇଁ ସମ୍ଭାବ୍ୟ ଚିକିତ୍ସା ବିକଳ୍ପଗୁଡିକୁ ଦେଖିବା ଆମର ପ୍ରୟାସ, ଯାହା ସୁରକ୍ଷିତ, ସହଜରେ ପରିଚାଳିତ ହୋଇପାରିବ ଏବଂ ରୋଗର ଭାର ମଧ୍ୟ ହ୍ରାସ କରିପାରିବ।

Comments
Loading...