ଶରୀରକୁ ସୁସ୍ଥ ରଖିବାର ନୂଆ ଟ୍ରେଣ୍ଡ ‘ଜୁମ୍ବା ଡ୍ୟାନ୍ସ’

ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ ଅତ୍ୟନ୍ତ ଜରୁରୀ। କିନ୍ତୁ ବାସ୍ତବରେ ବ୍ୟସ୍ତବହୁଳ ସମାଜରେ ଏହା ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇପାରୁ ନାହିଁ। ଅର୍ଥ ଉପାର୍ଜନକୁ ଅଧିକ ଗୁରୁତ୍ବ ପ୍ରଦାନ କରିବା ଦିଗରେ ଯୁବପିଢି ଦିନରାତି କାମ କରୁଛନ୍ତି। ଫଳରେ ଦିନକୁ ଦିନ ବଦଳୁଥିବା ଜୀବନଶୈଳୀରେ ନିଜ ପ୍ରତି ଧ୍ୟାନ ଦେଇପାରୁ ନଥିବାରୁ ଲୋକଙ୍କ ମଧ୍ୟରେ ଅବସାଦ, ଉଚ୍ଚ ରକ୍ତଚାପ, ମଧୁମେହ, ମେଦ ବହୁଳତା ଓ ନିଦ୍ରାହୀନତା ପରି ସମସ୍ୟା ବଢିବାରେ ଲାଗିଛି। ଏଥିରୁ ମୁକ୍ତି ପାଇବା ପାଇଁ ବ୍ୟାୟାମ ବ୍ୟତୀତ ଜୁମ୍ବା ଏକ ଭଲ ଉପାୟ। ବ୍ୟାୟାମ କଲେ ସାଧାରଣ ଭାବେ ୨୦୦ରୁ ୩୦୦ କ୍ୟାଲୋରୀ ଖର୍ଚ୍ଚ ହେଉଥିବା ବେଳେ ମାତ୍ର ଏକ ଘଣ୍ଟା‌େ‌ର ଜୁମ୍ବା ଡ୍ୟାନ୍ସରେ ୫୦୦ରୁ ୭୦୦ କ୍ୟାଲୋରୀ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ। ଏହାଦ୍ୱାରା ଶୀଘ୍ର ଓଜନ ହ୍ରାସ ହେବା ସହ ଅବସାଦ ଦୂର ହୁଏ ଏବଂ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇପାରେ। ଏହା ବ୍ୟତୀତ ଶରୀର ଫିଟ୍ ରହେ। ତେଣୁ ଭୁବନେଶ୍ବର, କଟକ, ରାଉରକେଲା, ବାଲେଶ୍ବର, ବ୍ରହ୍ମପୁର, ଭଦ୍ରକ ଆଦି ସହରରେ ଶରୀରକୁ ସୁସ୍ଥ ରଖିବାର ନୂଆ ଟ୍ରେଣ୍ଡ୍ ଭାବେ ‘ଜୁମ୍ବା ଡ୍ୟାନ୍ସ’ ଉଭା ହୋଇଛନ୍ତି। ଫଳରେ ଦିନକୁ ଦିନ ଜୁମ୍ବା ଡ୍ୟାନ୍ସ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବଢ଼ିବାରେ ଲାଗିଛି।

ନୃତ୍ୟଭିତ୍ତିକ ଶାରୀରିକ ବ୍ୟାୟାମ

୧୯୯୦ ମସିହାରେ କଲମ୍ବୋର ଆଲବେଟୋ ନାମକ ଜଣେ ନୃତ୍ୟଶିଳ୍ପୀ ଫିଟ୍‌ନେସ୍ କାର୍ଯ୍ୟକ୍ରମ ଭାବେ ଆରମ୍ଭ କରିଥିଲେ ‘ଜୁମ୍ବା ଡ୍ୟାନ୍ସ’। ଜୁମ୍ବା ଶବ୍ଦର କୌଣସି ନିର୍ଦିଷ୍ଟ ଅର୍ଥ ନଥିଲେ ମଧ୍ୟ ଜୁମ୍ବା ରିଦିମରୁ ଏହାର ସୃଷ୍ଟି। ବିଶ୍ବ ସ୍ତରରେ ଏହାର ଲୋକପ୍ରିୟତା ବେଶ୍ ଅଧିକ ରହିଛି। ଏବେ ଓଡିଶାରେ ଏହା ପ୍ରବେଶ କରିଛି ଓ ଦିନକୁ ଦିନ ବେଶ ଲୋକପ୍ରିୟ ହେବାରେ ଲାଗିଛି। ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଭଦ୍ରକ, ବାଲେଶ୍ବର ଭଳି ରାଜ୍ୟର ପ୍ରମୁଖ ସହରରେ ଜୁମ୍ବା ଡ୍ୟାନ୍ସ ପ୍ରଶିକ୍ଷଣ ସେଣ୍ଟରମାନ ଖୋଲିବାରେ ଲାଗିଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହାର ଲୋକପ୍ରିୟତା ଅଧିକ ରହିଥିବା ବେଳେ ଓଡିଶାରେ ମଧ୍ୟ ଏହାର ଚାହିଦା ବଢିବାରେ ଲାଗିଛି। ଜୁମ୍ବା ଡ୍ୟାନ୍ସ ଏକ ନୃତ୍ୟ ଭିତ୍ତିକ ଶାରୀରିକ ବ୍ୟାୟାମ କାର୍ଯ୍ୟକ୍ରମ ହୋଇଥିବାବେଳେ ନିୟମିତ ଅଭ୍ୟାସ କରିବା ଦ୍ବାରା ଓଜନ ହ୍ରାସ ହେବାସହ ମାନସିକ ଅବସାଦ ଦୂର ହୋଇଥାଏ ଏବଂ ଶରୀର ସୁସ୍ଥ ରହେ। ୧୭ ବର୍ଷ ବୟସରୁ ୪୦ ବର୍ଷ ବୟସର ସମସ୍ତେ ଏହାକୁ ବେଶ ଆଦରର ସହିତ ଗ୍ରହଣ କରୁଛନ୍ତି। ନିୟମିତ ଜୁମ୍ବା ଡ୍ୟାନ୍ସ କରିବା ଦ୍ବାରା ଏକ ମାସ ମଧ୍ୟରେ ଜଣେ ବ୍ୟକ୍ତି ୩ରୁ ୪ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ହ୍ରାସ କରିପାରୁଛନ୍ତି ବୋଲି ଦାବି କରାଯାଉଛି। ସେହିପରି ଛୋଟ ପିଲାଙ୍କ ପାଇଁ ମଧ୍ୟ ଜୁମ୍ବା ଡ୍ୟାନ୍ସର ସ୍ବତନ୍ତ୍ର ଆବଶ୍ୟକତା ରହିଛି। ଏହି ନୃତ୍ୟଭିତ୍ତିକ ଶାରୀରିକ ବ୍ୟାୟାମ ଏବେ ସବୁବର୍ଗ ଲୋକଙ୍କ ପାଇଁ ଫିଟ୍ ରହିବାର ନୂଆ ମନ୍ତ୍ର ଭାବେ ଦେଖାଦେଇଛି।

ନାଚଗୀତରେ ରୁଚି ରଖୁଥିବା ଯୁବପିଢ଼ିଙ୍କ ପସନ୍ଦ

ସଂଗୀତ ଓ ନୃତ୍ୟ ପ୍ରତି ରୁଚି ରଖୁଥିବା ଯୁବପିଢି ଜୁମ୍ବା ଡ୍ୟାନ୍ସକୁ ବେଶ୍‌ ପସନ୍ଦ କରୁଛନ୍ତି। କେତେକ ଏହାକୁ କ୍ୟାରିୟର ଭାବେ ଗ୍ରହଣ କରିବା ପାଇଁ ଆଗ୍ରହ ଦେଖାଉଛନ୍ତି। କାରଣ ଏହା ସେମାନଙ୍କ ଲାଗି ରୋଜଗାରର ମାଧ୍ୟମ ପାଲଟିଛି। ଜଣେ ତାଲିମପ୍ରାପ୍ତ ଜୁମ୍ବା ଟ୍ରେନର ଗୋଟିଏ ଘଣ୍ଟାସମୟ ପାଇଁ ୧ ହଜାରରୁ ୧୫୦୦ ପର୍ଯ୍ୟନ୍ତ ଆୟ କରିପାରୁଛନ୍ତି। ଏହିପରି ଭାବେ ଜଣେ ‌େ‌ଟ୍ରନର ମାସିକ ପ୍ରାୟ ୩୦ ହଜାରରୁ ୪୦ ହଜାର ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ସେହିପରି ‘ଜୁମ୍ବା ଡ୍ୟାନ୍ସ’ରେ ତାଲିମଧାରୀଙ୍କ ଲାଗି ଓଡିଶାରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନୀ ଏବଂ କର୍ପୋରେଟ୍ ସଂସ୍ଥାରେ ନିଯୁକ୍ତି ସୁଯୋଗ ରହିଛି। ‘ଜୁମ୍ବା ଡ୍ୟାନ୍ସ’ରେ କ୍ୟାରିୟର ଗଠନ ଲାଗି ବିଧିବଦ୍ଧ ଭାବେ ତାଲିମ ନେବାକୁ ହେବ। ଯାହାଦ୍ୱାରା ଜଣେ ସ୍ୱାବଲମ୍ବୀ ହେବା ସହ ଭଲ ଆୟ ମଧ୍ୟ କରିପାରିବେ। ତାଲିମ ନେବା ଲାଗି କୌଣସି ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନଥିବା ବେଳେ ୧୮ ବର୍ଷରୁ ଊର୍ଦ୍ଧ୍ୱ ଯେ କେହି ବି ଏହି ତାଲିମ୍ ନେଇ ପାରିବେ। ପ୍ରଶିକ୍ଷଣର ବିଭିନ୍ନ ସ୍ତର ଏବଂ ଅନୁଷ୍ଠାନ ରହିଛି । ଟ୍ରେନିଂ ସମୟରେ, ରିଦିମ୍, କାର୍ଡିଓ, ବିଭିନ୍ନ ଅନ୍ତର୍ଜାତୀୟ ନୃତ୍ୟ ଶୈଳୀ ସମ୍ପର୍କରେ ତାଲିମ୍ ନେବାକୁ ପଡେ। ଏଥି ମଧ୍ୟରେ ମାରେଙ୍ଗେ, ସାଲସା, ସାମ୍ବା, ବେଲି, ଟାଙ୍ଗୋ, ଫ୍ଲେମିଂକୋ , ରେଗେତୋଂ, କୁମ୍ବିଆ, ସୋକା ନୃତ୍ୟ ଆଦିକୁ ସାମିଲ କରାଯାଇଛି। ଜୁମ୍ବା ଟ୍ରେନର ଭାବେ ଲାଇସେନ୍ସ ପାଇବା ପରେ ବିଭିନ୍ନ ଜିମ୍, ହେଲଥ କ୍ଲବ୍, ଫିଟନେସ୍ କେନ୍ଦ୍ର, ସ୍କୁଲ, କଲେଜ, କର୍ପୋରେଟ୍ ସଂସ୍ଥାରେ ପର୍ସନାଲ ଟ୍ରେନର ହୋଇପାରିବ।

Comments are closed.