ଜୁମ୍ ଆପ୍ : ଉପଯୁକ୍ତ ଆଇନ ନଆସିବା ପର୍ଯ୍ୟନ୍ତ ଜୁମ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କଲେ ସୁପ୍ରିମକୋର୍ଟ 

ନୂଆଦିଲ୍ଲୀ : ଉପଯୁକ୍ତ ଆଇନ ପ୍ରଣୟନ ନହେବା ପର୍ଯ୍ୟନ୍ତ ସରକାରୀ ତଥା ବ୍ୟକ୍ତିଗତ ଉଦ୍ଦେଶ୍ୟରେ ଭିଡିଓ ଯୋଗାଯୋଗ ଆପ୍ ଜୁମ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ କେନ୍ଦ୍ରରୁ ପ୍ରତିକ୍ରିୟା ଲୋଡିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ୍‌.ଏ ବୋବଡେଙ୍କ ନେତୃତ୍ଵରେ ଏକ ବେଞ୍ଚ ଜୁମ ଆପକୁ ନେଇ କରାଯାଇଥିବା ମାମାଲା ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଜୁମ ଆପ୍ ଗୋପନୀୟତା ଚିନ୍ତା ବଢାଇଦେବା ସହ ଜୁମ ଆପ୍ ବ୍ୟବହାର କରିବା ଦ୍ବରା ଉପଭୋକ୍ତାଙ୍କୁ ଅସୁରକ୍ଷିତ ତଥା ସାଇବର ବିପଦର ସମ୍ମୁଖୀନ ହେବାକୁ ପଡିବ ବୋଲି ଆବେଦନରେ ଦର୍ଶାଯାଇଛି ।ଏଥିରେ ଗୋପନୀୟତା ଉଲ୍ଲଂଘନ ନେଇ ଚିନ୍ତା ବ୍ୟକ୍ତ କରାଯାଇଥିବାରୁ କୋର୍ଟ ସରକାରଙ୍କୁ ୪ ସପ୍ତାହରେ ଜବାବ ମାଗିଛନ୍ତି।

ଦିଲ୍ଲୀ ବାସିନ୍ଦା ହର୍ଷ ଚୁଘ ଏ ନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିବାବେଳେ ସେ ଏହି ଭିଡିଓ କଲିଂ ଆପ୍ ଉପରେ ତୁରନ୍ତ କଟକଣା ଜାରି କରିବାକୁ ନିବେଦନ କରିଛନ୍ତି। ଦେଶରେ ଯେଉଁ ପର୍ୟ୍ୟନ୍ତ ଏଥିଲାଗି ସରକାର ବିଧିବଦ୍ଧ ଆଇନ ପ୍ରଣୟନ ନ କରିଛନ୍ତି ସେପର୍ୟ୍ୟନ୍ତ ଏଭଳି ଆପ୍‌ କୁ ନିଷିଦ୍ଧ କରିବା ଲାଗି ଚୁଘ ଦାବି କରିଛନ୍ତି। ଏହି ଆପ୍ ଦ୍ୱାରା ଗୋପନୀୟତା ଉଲ୍ଲଂଘନ ହେବାର ଅନେକ ଆଶଙ୍କା ରହିଛି। ଏଣୁ ବିଶେଷଜ୍ଞଙ୍କ ଦ୍ୱାରା ଆପ୍‌ର ସମ୍ପୂର୍ଣ୍ଣ ଅନୁଧ୍ୟାନ କରାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଚୁଘ କୋର୍ଟଙ୍କୁ ନିବଦେନ କରିଛନ୍ତି।

ଚୁଘ ତାଙ୍କ ପିଟିସନରେ ଦେଶରେ କୋଭିଡ-୧୯ ସଂକ୍ରମଣ ପରଠାରୁ ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ, ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ଏହି ଜୁମ ଆପ ବ୍ୟବହାର କରାଯାଉଛି । ଏକତ୍ର ସମ୍ବାଦ ଲାଗି ଏହି ଆପ୍ ବେଶ୍ ଉପଯୋଗୀ ହୋଇଥିବା ବେଳେ ଲୋକେ ପରସ୍ପରକୁ ସହଯୋଗର ହାତ ବଢାଇବା ବଦଳେ ଆପ୍‌ରେ ପରସ୍ପର ସହ ସମ୍ପର୍କ ସ୍ଥାପନା କରୁଛନ୍ତି। ଏହା ଦ୍ୱାରା ବ୍ୟକ୍ତିଗତ ସୂଚନାର ବ୍ୟାପକ ଦୂରୁପଯୋଗ ହେଉଥିବାର ଚୁଘ ଅଭିଯୋଗ କରିଛନ୍ତି। ଜୁମ୍ ଏହାର ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କ ଗୋପନୀୟତାକୁ ଉଲ୍ଲଂଘନ କରୁଛି । ଏଥି ସହ ସେମାନଙ୍କର ବ୍ୟକ୍ତିଗତ ତଥ୍ୟର ଅପବ୍ୟବହାର କରାଯାଉଥିବା ଆବେଦନରେ ଦର୍ଶାଯାଇଛି । 

ଆଡଭୋକେଟ୍ ୱାଜିହ ଶାଫିକଙ୍କ ଦ୍ବାରା ଦାଖଳ କରାଯାଇଥିବା  ଏହି ଅଭିଯୋଗରେ ଦର୍ଶାଯାଇଛି ଯେ ଏହି ଆପର ବ୍ୟବହାର ଜାତୀୟ ସୁରକ୍ଷାକୁ ବିପଦରେ ପକାଇପାରେ ଏବଂ ଭାରତରେ ସାଇବର ଧମକ ତଥା ସାଇବର ଅପରାଧକୁ ମଧ୍ୟ ବୃଦ୍ଧି କରିପାରେ । ଥି ସହିତ ଏହି ଜୁମ୍ ଆପ୍  “ଡାଟା ହୋର୍ଡିଂ ଏବଂ ସାଇବର ହୋର୍ଡିଂ କରେ” ଯେଉଁଥିରେ ଏହାର ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟର ବହୁଳ ଷ୍ଟୋରେଜ୍ ଅନ୍ତର୍ଭୂକ୍ତ ହୁଏ ଏବଂ କ୍ଲାଉଡ୍ ରେକର୍ଡିଂ, ତତକ୍ଷଣାତ୍ ବାର୍ତ୍ତା ଏବଂ ଫାଇଲ ଗଚ୍ଛିତ ହୁଏ ।

ଏସଟିଏଫ ଏ ନେଇ ପୂର୍ବରୁ ସନ୍ଦେହ ବ୍ୟକ୍ତ କରିବା ସହ ଏହି ଆପ୍‌ ଲାଗି ସରକାରୀ ବିଭାଗ ଓ ଘରୋଇ ସଂସ୍ଥାନଙ୍କୁ ସତର୍କ ବି କରାଇଥିଲେ। ଏବେ ଏହି ଆପ୍‌ ଦ୍ୱାରା ଡାଟା ଚୋରି କରି ବିକ୍ରି କରାଯାଉଥିବାର ସାମ୍ନାକୁ ଆସିବା ପରେ ଉଦବେଗ ପ୍ରକାଶ ପାଇଛି। ଏଥିରୁ କୌଣସି ଜରୁରି ଆଲୋଚନାକୁ ସାଇବର ଅପରାଧୀ ଆରାମରେ ଶୁଣି ବି ପାରନ୍ତି ବୋଲି ମଧ୍ୟ ଆଶଙ୍କା କରାଯାଉଛି। ଗୋପନୀୟତା ଏବଂ ସୁରକ୍ଷା ଚିନ୍ତା ଯୋଗୁଁ ସାରା ବିଶ୍ୱରେ ଅନେକ ସଂସ୍ଥା ଜୁମ୍ ଆପ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ସର୍ବଭାରତୀୟ ସଂଯୋଗୀକରଣ ଏବଂ ଅନଲାଇନ୍ ସେବା କାରଣରୁ ସାଇବର ସ୍ପେସ୍ ବିପଦ ଦିନକୁ ଦିନ ବଢୁଛି ବୋଲି ଦାବି କରି ବ୍ୟବହାରକାରୀଙ୍କ ସମ୍ବେଦନଶୀଳ ତଥ୍ୟକୁ ହ୍ୟାକ୍ ଏବଂ ଆକସେସ୍ କରିବା ସହଜ କରିଥାଏ । ଏକ ନିରାପଦ ନେଟୱାର୍କ ବ୍ୟବହାର ନହେଲେ ହ୍ୟାକ୍ କରିବା କଷ୍ଟସାଧ୍ୟ ନୁହେଁ ବୋଲି ଆବେଦନରେ ଦର୍ଶାଯାଇଛି ।

Comments are closed.