ସୋନି ସହିତ ମିଶ୍ରଣକୁ ଜି ଏଣ୍ଟରଟେନମେଣ୍ଟ ବୋର୍ଡର ଅନୁମୋଦନ

ପୁନିତ ଗୋଏଙ୍କା ମିଶ୍ରିତ କମ୍ପାନୀର ସିଇଓ ଭାବେ ଅପରିବର୍ତ୍ତିତ ରହିବେ

ନୂଆଦିଲ୍ଲୀ: ସୋନି ପିକଚର୍ସ ନେଟୱର୍କ ଇଣ୍ଡିଆ (ଏସପିଏଲଆଇ) ସହିତ ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ (ଜେଡଇଇଏଲ)ର ମିଶ୍ରଣ ହେବ। ଏହି ପ୍ରସ୍ତାବକୁ ଜି ଏଣ୍ଟରଟେନମେଣ୍ଟ ବୋର୍ଡ ଅନୁମୋଦନ କରିଛି। ମିଶ୍ରିତ କମ୍ପାନୀରେ ସୋନି ପିକଚର୍ସ ଏଣ୍ଟରଟେନମେଣ୍ଟର ସଂଖ୍ୟାଗରିଷ୍ଠ ଅଂଶ ରହିବ। ଏହା ଏହି କାରବାର ସହିତ ଅନ୍ୟାନ୍ୟ ଅଭିବୃଦ୍ଧିମୂଳକ କାର୍ଯ୍ୟକଳାପ ନିମନ୍ତେ ମୋଟ ୧.୫୭୫ ବିଲିଅନ ଡଲାର ନିବେଶ କରିବ ବୋଲି ଜଣାଯାଇଛି। ଜି ଏଣ୍ଟରଟେନମେଶ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଏହି ମିଶ୍ରଣ ଅଂଶୀଦାର ଏବଂ ସହଭାଗୀଙ୍କର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ କରାଯାଉଛି। ଜେଡଇଇଏଲ ସମଗ୍ର ଦକ୍ଷିଣ ଏସିଆରେ ଏକ ଅଗ୍ରଣୀ ଗଣମାଧ୍ୟମ ଓ ମନୋରଂଜନ କମ୍ପାନୀ ଭାବରେ ନିଜର ସ୍ଥାନ ବଜାୟ ରଖିବ ତଥା ଲାଭଜନକ ହେବା ଏବଂ ଉଚ୍ଚ ଅଭିବୃଦ୍ଧି ହାସଲ ସକାଶେ ରଖିଥିବା କୌଶଳାତ୍ମକ ଯୋଜନା ମୁତାବକ ଏହି ମିଶ୍ରଣ କରାଯାଉଛି।
ଏକ ବିବୃତିରେ କୁହାଯାଇଛି ଯେ ବୋର୍ଡ କେବଳ ଆର୍ଥିକ ବିଷୟଗୁଡିକୁ ମୂଲ୍ୟାୟନ କରିନାହିଁ, ତାହାସହିତ ଅଂଶୀଦାର ଆଣିବାକୁ ଥିବା କୌଶଳାତ୍ମକ ମୂଲ୍ୟ ମଧ୍ୟ ବିଚାରକୁ ନିଆଯାଇଛି। ବୋର୍ଡ ପକ୍ଷରୁ ଏହି ସମୁଦାୟ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଜେଡଇଇଏଲ ପରିଚାଳନା ସଂସ୍ଥାକୁ କ୍ଷମତା ପ୍ରଦାନ କରିଛି। ଏସପିଏନଆଇର ମୂଳ କମ୍ପାନୀ ସୋନି ପିକଚର୍ସ ଏଣ୍ଟରଟେନମେଣ୍ଟ ଏହି ମିଶ୍ରିତ କମ୍ପାନୀରେ ସଂଖ୍ୟାଗରିଷ୍ଠ ଅଂଶ ଧାରଣ କରିବ। ଜେଡଇଇଏଲ ଏବଂ ଏସପିଏନଆଇର ପ୍ରଚଳିତ ଇକ୍ୱିଟି ମୂଲ୍ୟ ହିସାବକୁ ନେଲେ ମିଶ୍ରଣ ଅନୁପାତ ଜେଡଇଇଏଲ କ୍ଷେତ୍ରରେ ୬୧.୨୫% ହୋଇଥାନ୍ତା। କିନ୍ତୁ ୧.୫୭୫ ବିଲିଅନ ଡଲାର ନିବେଶ କରାଯାଉଥିବାରୁ ମିଶ୍ରଣ ଅନୁପାତରେ ଜେଡଇଇଏଲ ୪୭.୦୭% ଏବଂ ଅବଶିଷ୍ଟ ୫୨.୯୩% ଏସପିଏନଆଇ ଧାରଣ କରିବ ବୋଲି ଜଣାଯାଇଛି। ଉଭୟ କମ୍ପାନୀ ସେମାନଙ୍କର ଲିନିଅର ନେଟୱର୍କ, ଡିଜିଟାଲ ସଂପତ୍ତି, କାର୍ଯ୍ୟକ୍ରମ ପ୍ରସ୍ତୁତି କାର୍ଯ୍ୟକଳାପ ଏବଂ କାର୍ଯ୍ୟକ୍ରମର ଅଭିଲେଖାଗାର ଆଦିର ମିଶ୍ରଣ ଘଟାଇବାକୁ ରାଜି ହୋଇଛନ୍ତି। ମିଶ୍ରଣ ପରେ ସୃଷ୍ଟି ହେବାକୁ ଥିବା ସଂସ୍ଥା ଭାରତରେ ପବ୍ଲିକ ଲିମିଟେଡ କମ୍ପାନୀ ଭାବରେ ତାଲିକାଭୁକ୍ତ ହେବ। ତେବେ ମିଶ୍ରଣ ପରେ ମଧ୍ୟ ପୁନିତ ଗୋଏଙ୍କା ଉକ୍ତ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ପଦ ବଜାୟ ରଖିବେ। ନବଗଠିତ କମ୍ପାନୀ ବୋର୍ଡରେ ସଂଖ୍ୟାଗରିଷ୍ଠ ଡାଇରେକ୍ଟର ସୋନି ଗ୍ରୁପ ଦ୍ୱାରା ମନୋନୀତ ହେବେ।

Comments are closed.