ଭାରତ ଫେରିବେନି ଜାକିର ନାଏକ

0

ନୂଆଦିଲ୍ଲୀ : ବିବାଦୀୟ ଇସଲାମିକ୍‍ ଧର୍ମପ୍ରଚାରକ ଜାକିର ନାଏକ ଭାରତକୁ ଫେରିବା ଖବରକୁ ବୁଧବାର ଖଣ୍ଡନ କରିଛନ୍ତି। ଏହି ଖବର ନିାରାଧାର ଏବଂ ମିଥ୍ୟା ବୋଲି ସେ କହିଛନ୍ତି। ପ୍ରକାଶ ଯେ ବିଭିନ୍ନ ମାମଲାରେ ଭାରତ ସରକାର ତାଙ୍କ ବିରୋଧରେ ଜାମିନ୍‍ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ଗିରଫଦାରୀକୁ ଏଡାଇବା ପାଇଁ ଜାକିର ଦେଶ ବାହାରେ ରହୁଛନ୍ତି। ଜାକିର ବୁଧବାର କହିଛନ୍ତି ଯେ ସ୍ୱଦେଶକୁ ଫେରିବା ନେଇ ତାଙ୍କର କୌଣସି ଯୋଜନା ନାହିଁ। ନିଜକୁ ସୁରକ୍ଷିତ ଏବଂ ତାଙ୍କ ବିରୋଧରେ ବେଆଇନ ଭାବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ସେ ଅନୁଭବ କରିବା ପରେ ହିଁ ଭାରତ ଫେରିବେ ବୋଲି କହିଛନ୍ତି।
ଉଲ୍ଲେଖ ଯେ କେତେକ ଗଣମାଧ୍ୟମରେ ବୁଧବାର ଖବର ପ୍ରକାଶ ପାଇଥିଲା ଯେ ମାଲେସିଆ ସରକାର ଜାକିର ନାଏକଙ୍କୁ ନିର୍ବାସିତ କରି ଭାରତକୁ ପଠାଇ ଦେଇଛନ୍ତି। ହେଲେ ଏହି ଖବରକୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‍ଆଇଏ) ମୁଖପାତ୍ର ଆଲୋକ ମିତଲ ଖଣ୍ଡନ କରିଥିଲେ। ଆମେ ମାଲେସିଆ ସରକାରଙ୍କଠାରୁ ଏନେଇ କୌଣସି ବାର୍ତ୍ତା ପାଇନାହୁଁ ଓ ଆମ ପାଖରେ ଏନେଇ କୌଣସି ତଥ୍ୟ ନାହିଁ ବୋଲି ସେ କହିଥିଲେ।
ଏହାର କିଛି ସମୟ ପରେ ଜାକିର ନାଏକ ଖବର ଉପରେ ପ୍ରତିକ୍ରିୟା ରଖି ଏହାକୁ ଖଣ୍ଡନ କରିଥିଲେ। ଜାକିର ନାଏକଙ୍କ ବିରୋଧରେ ଉତ୍ତେଜକ ଭାଷଣ ଦେବା, ବେଆଇନ ଅର୍ଥ କାରବାର ଭଳି ଅନେକ ଗୁରୁତର ମାମଲା ରହିଛି। ତାଙ୍କ ଉପରେ ବ୍ରଟେନ୍‍ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ମାତ୍ର ମାଲେସିଆ ସରକାର ତାଙ୍କୁ ସ୍ଥାୟୀ ନାଗରିକତ୍ୱ ଦେଇଛନ୍ତି। ୨୦୧୬ରୁ ସେ ମାଲେସିଆର ପୁଟ୍ରାଜାୟା ଅଞ୍ଚଳରେ ରହୁଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ ବିଦେଶ ମନ୍ତ୍ରାଳୟ ଚଳିତ ବର୍ଷ ପ୍ରାରମ୍ଭରେ ଜାକିର ନାଏକଙ୍କୁ ପ୍ରତ୍ୟାର୍ପଣ ପାଇଁ ମାଲେସିଆ ସରକାରଙ୍କ ନିକଟରେ ଆବେଦନ କରିଥିଲେ। ଏନେଇ କୂଟନୈତିକସ୍ତରରେ ପ୍ରୟାସ ଜାରି ରହିଛି ବୋଲି ବିଦେଶ ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ। ବିଦେଶ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଜାକିର ନାଏକଙ୍କ ପ୍ରତ୍ୟାର୍ପଣ ଖବର ମିଳିଛି। ହେଲେ ମାଲେସିଆ ସରକାରଙ୍କ ନିକଟରୁ ଏନେଇ କୌଣସି ସରକାରୀ ବାର୍ତ୍ତା ଆସିନାହିଁ।

Leave A Reply