ଦ୍ରୁତ ବୋଲର ହେବାକୁ ଚାହୁଁଥିଲେ ଯୁବରାଜ

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର୍‍ ଯୁବରାଜ ସିଂହ ଜଣେ ବିସ୍ଫୋରକ ବ୍ୟାଟସମ୍ୟାନ୍‍ ସହ ବାମହାତୀ ସ୍ପିନର ଭାବେ ବେଶ୍‍ ପରିଚିତ ଥିଲେ। ତେବେ ଛୋଟବେଳେ ଯୁବରାଜ ଦ୍ରୁତ ବୋଲର ହେବାକୁ ଚାହୁଁଥିଲେ ବୋଲି ବହୁତ କମ୍‍ ଲୋକ ଜାଣିଥିବେ। କ୍ରିକେଟ୍‍ ଖେଳିବା ଆରମ୍ଭ କରିବା ପରଠାରୁ ୧୧/୧୨ ବର୍ଷ ଯାଏଁ ଯୁବରାଜ ଦ୍ରୁତ ବୋଲିଂ କରୁଥିଲେ। ଜଣେ ଦ୍ରୁତ ବୋଲର ଭାବେ କ୍ୟାରିୟର ଗଢ଼ିବାକୁ ସେ ଆଶା ରଖିଥିଲେ। ତେବେ ସେତେବେଳେ ଏପରି ଏକ ଘଟଣା ଘଟିଲା ଯାହା ପରେ ସେ ବ୍ୟାଟିଂ ଉପରେ ଅଧିକ ଧ୍ୟାନନିବେଶ କଲେ। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଯୁବରାଜ କହିଛନ୍ତି ତାଙ୍କୁ ୧୧ ବର୍ଷ ହୋଇଥିବା ବେଳେ ସେ ପୂର୍ବତନ କ୍ରିକେଟର୍‍ ବିଶନ ସିଂହ ବେଦୀଙ୍କ ପାଲମ୍‍ସ୍ଥିତ ଅଭ୍ୟାସ ଶିବିରେ ରହି ଆସୁଥିଲେ। ଏକଦା ଗୋଟିଏ ମ୍ୟାଚ୍‍ରେ ୬ନଂରେ ବ୍ୟାଟିଂ କରିବାକୁ ଯାଇ ୯୦ ରନ୍‍ କରିଥିଲେ। ସେତେବେଳ ଯାଏ ସେ ଗୋଟିଏ ହେଲେ ଛକା ମାରିନଥିଲେ। ହଠାତ୍‍ ଜଣେ ବୋଲରଙ୍କୁ ୨ଟି ଛକା ମାରି ସେ ଶତକ ପୂରଣ କରିଥିଲେ। ୧୧/୧୨ ବର୍ଷରେ ଜଣେ କିପରି ଏତେ ବିଶାଳ ଛକା ମାରି ପାରୁଛି ତାହା ସେମାନଙ୍କୁ ଚକିତ କରିଥିଲା। ଏହି ଘଟଣା ପରେ ଦ୍ରୁତ ବୋଲର ନୁହେଁ ବରଂ ଜଣେ ବ୍ୟାଟସମ୍ୟାନ୍‍ ଭାବେ କ୍ୟାରିୟର ଗଢ଼ିବାକୁ ସେ ନିଷ୍ପତ୍ତି ନେଇଥିଲେ।

Comments are closed.