ନୂଆଦିଲ୍ଲୀ: ଯୁବରାଜଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର।  ବ୍ୟାଟ ଆଉ ବଲରେ ପୁଣି ଚମତ୍କାର ଦେଖାଇପାରନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ। ତାଙ୍କୁ ଘରୋଇ ପଞ୍ଜାବ ଦଳରେ ସାମିଲ ନିମନ୍ତେ ଦିଆଯାଇଛି ପ୍ରସ୍ତାବ । କେବଳ ସେତିକି ନୁହେଁ, ସନ୍ୟାସ ପ୍ରତ୍ୟାହାର ନିମନ୍ତେ ଯୁବରାଜଙ୍କ ଉପରେ ତାଙ୍କ ରାଜ୍ୟ ପଞ୍ଜାବ ପକ୍ଷରୁ ବଢ଼ୁଛି ଚାପ । ପଞ୍ଜାବ କ୍ର୍ରିକେଟ ଆସୋସିଏସନ ସଚିବ ଏ ସମ୍ପର୍କରେ ସୂଚନା ଦେବା ସହ ତାଙ୍କୁ ଦଳକୁ ଫେରାଇ ଆଣିବାକୁ ଉଦ୍ୟମ ହେଉଥିବା କହିଛନ୍ତି ।

ଯୁବରାଜଙ୍କୁ ସନ୍ୟାସ ପ୍ରତ୍ୟାହାର କରି ପଞ୍ଜାବ ଦଳର ଖେଳାଳୀ ଓ ମେଣ୍ଟର ଭାବରେ ଯୋଗ ଦେବାକୁ କୁହାଯାଇଛି । ପଞ୍ଜାବ କ୍ରିକେଟ ଆସୋସିଏସନ ସଚିବ ପୁନିତ୍ ବାଲି ଏହିଛନ୍ତି ଯେ ଯୁବରାଜ ଗତବର୍ଷ ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି । ମାତ୍ର କ୍ରିକେଟକୁ ସେ ପୁଣି ଫେରିଲେ ଆମେ ଖୁସି ହେବୁ ଏବଂ ରାଜ୍ୟ କ୍ରିକେଟ ମଜବୁତ ହେବ । ଆମେ ପ୍ରାୟ ୧ ସପ୍ତାହ ପୂର୍ବରୁ ଏଥିନେଇ ଯୁବରାଜଙ୍କୁ ଅନୁରୋଧ କରିଛୁ ଓ ତାଙ୍କ ଉତ୍ତରକୁ ଅପେକ୍ଷା କରିଛୁ ।

ଗତ ମାସରେ ଯୁବରାଜ ଶୁଭମନ ଗିଲ, ଅନମୋଲପ୍ରୀତ ସିଂହ, ଅଭିଷେକ ଶର୍ମା ଓ ହରପ୍ରିତ୍ ବ୍ରାରଙ୍କୁ କ୍ରିକେଟ ସମ୍ପର୍କରେ ମାର୍ଗଦର୍ଶନ ଦେଉଥିବା ଦେଖିବାକୁ ମିଳିଥିଲା । ଏହି ଖେଳାଳିମାନେ ଆଇପିଏଲରେ ବିିଭିନ୍ନ ଦଳ ପକ୍ଷରୁ ଖେଳିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଗତବର୍ଷ ଯୁବରାଜ କ୍ରିକେଟରୁ ସନ୍ୟାସ ନେବା ପରେ ତାଙ୍କର ପ୍ରତ୍ୟାବର୍ତନ ଏତେ ସହଜ ନୁହେଁ । ଯେଉଁ ଖେଳାଳିମାନେ ବିଦେଶରେ ଲିଗ୍ ଖେଳିବାକୁ ଚାହୁଁଛନ୍ତି ସେମାନଙ୍କୁ  କ୍ରିକେଟରୁ ସନ୍ୟାସ ନେବା ଆବଶ୍ୟକ ବୋଲି ବିସିସିଆଇ ସ୍ପଷ୍ଟ କରିଥିଳା । ଯୁବରାଜ କାନାଡ଼ା ଓ ଆବୁଧାବୀରେ ଗ୍ଲୋବାଲ ଟି-୨୦ ଖେଳିଥିବାରୁ ତାଙ୍କର ସନ୍ୟାସ ପ୍ରତ୍ୟାହାର ସହଜ ହେବ ନାହିଁ ବୋଲି କୁହାଯାଉଛି ।