ଯୁବ ଲେଖକଙ୍କ ପାଇଁ ‘ଯୁବା’ ଯୋଜନା, ୭୫ ଲେଖକଙ୍କୁ ମିଳିବ ୫୦ହଜାର ଲେଖାଏଁ ଭତ୍ତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦୀୟମାନ ସାହିତ୍ୟିକଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ‘ଯୁବା’ ଯୋଜନା ପ୍ରଣୟନ କରିଛନ୍ତି। ସର୍ବଭାରତୀୟସ୍ତରରେ ଆୟୋଜିତ ଅନ୍‌ଲାଇନ୍‌ ପ୍ରତିଯୋଗିତା ମାଧ୍ୟମରେ ମନୋନୀତ ୩୦ବର୍ଷର କମ୍‌ ୭୫ଜଣ ଯୁବ ଲେଖକଙ୍କୁ ଏହି ଯୋଜନାରେ ମାସକୁ ୫୦ହଜାର ଟଙ୍କା ଲେଖାଏଁ ୬ମାସ ପର୍ଯ୍ୟନ୍ତ ଭତ୍ତା ପ୍ରଦାନ କରାଯିବ। ଏତଦ୍‌ବ୍ୟତୀତ ସେମାନଙ୍କୁ ଲିଖନ ସମ୍ପର୍କିତ ତାଲିମ, ସେମାନଙ୍କ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ସହଯୋଗ ଯୋଗାଇ ଦିଆଯିବ। ନ୍ୟାସନାଲ ବୁକ୍‌ ଟ୍ରଷ୍ଟ ଆନୁକୂଲ୍ୟରେ ଗଠିତ କମିଟି ଯୋଗ୍ୟ ସାହିତ୍ୟିକଙ୍କୁ ମନୋନୀତ କରିବ।

ଚଳିତ ବର୍ଷର ମନୋନୟନ ପ୍ରକ୍ରିୟା ଜୁନ୍‌ ୪ରୁ ଆରମ୍ଭ ହୋଇଛି ଓ ଏହା ଜୁଲାଇ ୩୧ପର୍ଯ୍ୟନ୍ତ ଜାରି ରହିବ। ପ୍ରତିଯୋଗୀମାନେ ୫ହଜାର ଶବ୍ଦ​‌ରେ ଲିଖିତ ପାଣ୍ଡୁଲିପି ଦାଖଲ କରିବେ। ଅଗଷ୍ଟ ୧୫ରେ ବିଜେତାଙ୍କ ନାମ ଘୋଷଣା କରାଯିବ। ପ୍ରତିଯୋଗୀଙ୍କ ପାଇଁ ଜଣେ ଜଣେ ମାର୍ଗଦର୍ଶକ ରହିବେ। ବିଜୟୀ ଲେଖକଙ୍କ ଲେଖାକୁ ଡିସେମ୍ବର ୧୫ ସୁଦ୍ଧା ପୁସ୍ତକ ଆକାରରେ ପ୍ରକାଶ କରାଯିବ। ୨୦୨୨ ଜାନୁୟାରୀ ୧୨ରେ ଏହି ପୁସ୍ତକ ଉନ୍ମୋଚନ ହେବ। ପୁସ୍ତକ ବିକ୍ରୟର ୧୦ପ୍ରତିଶତ ରାଜଭାଗ (ରୟାଲ୍‌ଟି) ଲେଖକଙ୍କୁ ପ୍ରଦାନ କରାଯିବ ଏବଂ ଏହି ପୁସ୍ତକ ବିଭିନ୍ନ ଭାଷାରେ ଅନୁବାଦ କରାଯିବ।

Comments are closed.