ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ରାଜ୍ୟ ସରକାର :ଯୁବମୋର୍ଚ୍ଚା

ଭୁବନେଶ୍ୱର: ଦୀର୍ଘ ୨୦ ବର୍ଷ ନିରଙ୍କୁଶ ଶାସନ ପରେ ବି ତୃଟ୍ରିପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ଯୋଗୁଁ ଆଜି ଓଡିଶାର ଛାତ୍ର ଓ ଯୁବକମାନେ ଶିକ୍ଷା, ରୋଜଗାର, ଉଦ୍ୟମତାର ବହୁ ପଛରେ ରହିଛି। ଓଡିଶାର ବୈଷୟିକ ବିଦ୍ୟାଳୟ(ବିପିୟୁଟି)ର ଶେଷ ସେମିଷ୍ଟାର ଛାତ୍ରଛାତ୍ରମାନଙ୍କ ପାଇଁ ଅନଲାଇନ କରିବା ନିଷ୍ପତି ଅତ୍ୟନ୍ତ ତୃଟ୍ରିପୂର୍ଣ୍ଣ। ବିପିୟୁଟିର ଛାତ୍ରଛାତ୍ରୀମାନଙ୍କ ଅନଲାଇନ ପରୀକ୍ଷା ପାଇଁ ଦେଇଥିବା ୨୭ ପୃଷ୍ଠାର ନିୟମାବଳୀକୁ ପୂରଣ କରିବା ବହୁ ଛାତ୍ରଛାତ୍ରୀମାନଙ୍କ ପକ୍ଷରେ ଅସମ୍ଭବ ବ୍ୟାପାର। ନୀୟମାବଳୀ ଲେଖାଯାଇଥିବା କମ୍ପ୍ୟୁଟର ଆବଶ୍ୟକତା ଯେମିତିକି ୪ ଜିବି ରାମ, ୱେବ କ୍ୟାମ, ମାଇକ, ୩ ଘଣ୍ଟା ଲଗାତାର ବିଦ୍ୟୁତ ସରାବରାହ ଗ୍ରାମାଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପୂରଣ କରିବା ସମ୍ଭବ ପର ନୁହେଁ। ଏହି ସୁବିଧା ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ହୋଇଥିବା ପରୀକ୍ଷା କେନ୍ଦ୍ରକୁ ଯିବାର ବ୍ୟବସ୍ଥା ଯଥା କଣ୍ଟେନ୍‌ମେଣ୍ଟ ଜୋନ ତଥା ବାହାର ରାଜ୍ୟରୁ ଆସି ପାଠ ପଢୁଥିବା ପିଲାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ରାଜ୍ୟସରକାର ସବୁ ଜାଣି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ବୋଲି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି। କରୋନା ସମୟରେ ଏଭଳି ପରୀକ୍ଷା କେନ୍ଦ୍ର କରିବା କିମ୍ବା ନୂତନ ପରୀକ୍ଷା ପ୍ରଣାଳୀର ମଡେଲ ଫର୍ମାଟ ଏପର୍ଯ୍ୟନ୍ତ ଛାତ୍ର ଏବଂ ଶିକ୍ଷକ ମାନଙ୍କୁ ଠିକ୍ ଭାବରେ ଅବଗତ ନକରାଯିବା ବିପିୟୁଟିକୁ ସନ୍ଦେହ ଘେରକୁ ଆଣୁଛି। କରୋନା ଭଳି ସଙ୍କଟ ସମୟରେ ଛାତ୍ରଛାତ୍ରୀମାନେ କଲେଜ ହଷ୍ଟେଲ ଛାଡି ଘରକୁ ଆସିଥିବାରୁ ଛାତ୍ରଛାତ୍ରୀଙ୍କ ପାଖରେ ପାଠ୍ୟ ପୁସ୍ତକ ଉପଲବ୍ଧ ନାହିଁ। ଏଭଳି ପରିସ୍ଥିତିରେ ନୂଆ ପ୍ରଣାଳୀରେ ଖୋଲା ବହି ପରୀକ୍ଷା (ଓପନ ବୁକ ଟେଷ୍ଟ) ଏକ ହାସ୍ୟାସ୍ପଦ ବିଷୟ। କମ୍ପେଟ୍ ଏଜୁଟେକ ନାମକ ସଂସ୍ଥା(ଯାହାକି ପୂର୍ବରୁ ଗ୍ଲୋବ ଏରିନା)କୁ ପରୀକ୍ଷା ପରିଚାଳନା ପାଇଁ ଯେଉଁ ଦାୟୀତ୍ୱ ଦିଆଯାଇଛି ସେ ସଂସ୍ଥା ସଂପର୍କରେ ବିପିୟୁଟି ଅଧିକ ତର୍ଜମା କରିବାର ଆବଶ୍ୟକତା ରହିଛି।
ରାଜ୍ୟସରକାର ଓ ବିପିୟୁଟି କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ହଇରାଣ କରିବା ଉଦ୍ଦେଶ୍ୟ ନରଖି କିଭଳି ସେମାନଙ୍କର ଭବିଷ୍ୟତକୁ ଆଗାମୀ ଦିନରେ ସଠିକ ଦିଗରେ ନେଇପାରିବେ ସେ ବିଷୟରେ ଚିନ୍ତା କରନ୍ତୁ। ହରିୟାଣା, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ସରକାର ତଥା ଆଇଆଇଟି, ଏନଆଇଆଇଟି ଭଳି ସଂସ୍ଥା ନର୍ମାଲାଇଜେସନ ପ୍ରଣାଳୀ ଆପଣାଇଛନ୍ତି। ଏହି ସବୁକୁ ଦୃଷ୍ଟିରେ ରଖି ବିପିୟୁଟି ନିଜର ପରୀକ୍ଷା ପ୍ରଣାଳୀକୁ ପରିବର୍ତ୍ତନ କରି ଛାତ୍ରଛାତ୍ରୀଙ୍କ ହିତରେ କାର୍ଯ୍ୟକରୁ। ଯଦି ବିପିୟୁଟି ପରୀକ୍ଷା ପ୍ରଣାଳୀରେ ପରିବର୍ତ୍ତନ ନଆଣେ ତେବେ ହଜାର ହଜାର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେପି ଯୁବମୋର୍ଚ୍ଚା ଆଗାମୀ ଦିନରେ ତୀବ୍ର ପ୍ରତିବାଦ କରିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଏହି ଅବସରରେ ଯୁବମୋର୍ଚ୍ଚା ଭୁବନେଶ୍ୱର ଜିଲ୍ଲା ସଭାପତି ଅଭିଷେକ ଆଚାର୍ଯ୍ୟ ଏବଂ କଟକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଭକ୍ତବତ୍ସଳ ବସ୍ତିଆ ଉପସ୍ଥିତ ଥିଲେ।

Comments are closed.