ରାଜଶେଖରଙ୍କ ସମୟର ତିନି ଅଧିକାରୀଙ୍କୁ ଆଣିବେ ଜଗନ

ବିଜୟୱାଡ଼ା : ଆନ୍ଧ୍ରପ୍ରଦେଶର ଭାବୀ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ନିଜର ବିଶ୍ବସ୍ତ ସହଯୋଗୀ ଭାବେ ସ୍ବତନ୍ତ୍ର ପ୍ରଶାସନିକ ଟିମ୍‌ ଗଠନ କରୁଛନ୍ତି। ଏମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିଚାଳନା ଦାୟିତ୍ବରେ ରହିବେ। ଏଥିରେ ସେ ବାପା ୱାଇ.ଏସ୍‌ ରାଜଶେଖର ରେଡ୍ଡିଙ୍କ ଅମଳର ତିନି ପ୍ରଶାସନିକ ଅଧିକାରୀଙ୍କୁ ନିୟୋଜିତ କରିବେ। ଏଥିସହିତ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ ମଧ୍ୟ ସାଙ୍ଗରେ ରଖିବେ ବୋଲି ଜଣାପଡ଼ିଛି। ଏହି ଟିମ୍‌ ସେ ନିର୍ବାଚନବେଳେ ଦେଇଥିବା ୯ଟି ପ୍ରତିଶ୍ରୁତି ପାଳନ ପ୍ରତି ଧ୍ୟାନ ଦେବେ। ଏହି ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ୨୦୦୪ରୁ ୨୦୦୯ ମଧ୍ୟରେ ରାଜଶେଖରଙ୍କ ସହିତ କାର୍ଯ୍ୟ କରିଥିବା ଏମ୍‌.କୃଷ୍ଣା ବାବୁ, ଆଦିତ୍ୟନାଥ ଦାଶ, କେ. ଧନୁଞ୍ଜୟ ରେଡ୍ଡି ଓ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ସଚିବ ଏମ୍‌. ଗିରିଜା ଶଙ୍କର। କୃଷ୍ଣା ବାବୁ ହେଉଛନ୍ତି ପୂର୍ବତନ ବିଶାଖାପାଟଣା ବନ୍ଦର ନ୍ୟାସ ଅଧ୍ୟକ୍ଷ। ସେ ଜଗନଙ୍କ ଟିମ୍‌ରେ ପ୍ରମୁଖ ଭୂମିକା ନିଭାଇବେ। ଆଦିତ୍ୟନାଥ ହେଉଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ଏବଂ ସେ ଜଳସମ୍ପଦ ସଚିବ ଭାବେ ରାଜଶେଖରଙ୍କ ‘ଜଳଯଜ୍ଞମ୍‌’ ଯୋଜନାକୁ ସଫଳ କରିଥିଲେ। ସେହିପରି ଧନୁଞ୍ଜୟ ହେଉଛନ୍ତି ପୂର୍ବତନ ଶ୍ରୀକାକୁଲମ୍‌ ଜିଲାପାଳ। ‘ଆରୋଗ୍ୟଶ୍ରୀ’ ଯୋଜନାର ସଫଳ ରୂପାୟନରେ ତାଙ୍କର ବଡ଼ ଭୂମିକା ରହିଥିବାରୁ ତାଙ୍କୁ ଜଗନ ନିଜ ଟିମ୍‌ରେ ରଖିବାକୁ ସ୍ଥିର କରିଛନ୍ତି।

Comments are closed.