ଲୋକପ୍ରିୟ ୟୁ-ଟ୍ୟୁବର କାର୍ଲ କଳା ତାଲିକାଭୁକ୍ତ

ନୂଆଦିଲ୍ଲୀ : ‘କାର୍ଲ ରକ୍‌’ ଭାବେ ପରିଚିତ ଲୋକପ୍ରିୟ ୟୁ-ଟ୍ୟୁବର୍‌ କାର୍ଲ ଏଡୱାଡ଼ ରାଇସ୍‌ଙ୍କୁ ବର୍ଷକ ପାଇଁ ଭାରତ ସରକାର କଳା ତାଲିକାଭୁକ୍ତ କରିଛନ୍ତି। ଏଥିସହିତ ତାଙ୍କର ଭିସା ମଧ୍ୟ ରଦ୍ଦ କରାଯାଇଛି। ବହୁମୁଖୀ ଭିସା ନିୟମ ଉଲଂଘନ ଅଭିଯୋଗରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତାଙ୍କ ବିରୋଧରେ ଏଭଳି ପଦକ୍ଷେପ ନେଇଛି। ସେ ପର୍ଯ୍ୟଟକ ଭିସା ବଳରେ ଭାରତରେ ଅବସ୍ଥାନ କରି ବ୍ୟବସାୟ ଚଳାଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦର୍ଶାଇଛି। ନ୍ୟୁଜିଲାଣ୍ଡ ନାଗରିକ କାର୍ଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ତାଙ୍କ ପତ୍ନୀ ମନୀଷା ମଲିକ ଭାରତୀୟ ନାଗରିକ ଏବଂ ସେ ପରିବାର ସହ ଦିଲ୍ଲୀରେ ଅବସ୍ଥାନ କରୁଥିଲେ ମଧ୍ୟ ତାଙ୍କୁ ଭାରତରେ ପ୍ରବେଶ ପାଇଁ ବାରଣ କରାଯାଇଛି। କାର୍ଲଙ୍କ ପତ୍ନୀ ଏଭଳି କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳର ଦ୍ବାରସ୍ଥ ହୋଇଛନ୍ତି। କାର୍ଲ ମଧ୍ୟ ସାମାଜିକ ଗଣମାଧ୍ୟମରେ ନିଜ ସପକ୍ଷରେ ଆବେଦନ ଆହ୍ବାନ କରିଛନ୍ତି। ସେ ଦୁବାଇରେ ଥିବାବେଳେ ଭାରତ ସରକାର ତାଙ୍କ ଭିସା ରଦ୍ଦ କରିଥିଲେ; ଯାହା ଫଳରେ ସେ ଦିଲ୍ଲୀର ପିତମ୍‌ପୁରଠାରେ ଅବସ୍ଥାନ କରୁଥିବା ପତ୍ନୀଙ୍କ ନିକଟକୁ ଫେରିପାରି ନ ଥିଲେ। ଦୀର୍ଘ ୨୬୯ ଦିନ ଧରି ସେ ପତ୍ନୀଙ୍କୁ ଭେଟି ନ ଥିବା କହିଛନ୍ତି। କିଛି ବର୍ଷ ଧରି ଭାରତରେ ରହିଆସୁଥିବା କାର୍ଲ ୨୦୧୯ରେ ମନୀଷାଙ୍କୁ ବିବାହ କରିଥିଲେ। ତାଙ୍କୁ ପ୍ରଦତ୍ତ ଏକ୍ସ-୨ ଭିସାର ଅବଧି ୨୦୨୪ ପର୍ଯ୍ୟନ୍ତ ବଳବତ୍ତର ଥିଲେ ମଧ୍ୟ ଏଭଳି ପଦକ୍ଷେପ ପଛରେ ସରକାରଙ୍କର ପ୍ରକୃତ ଉଦ୍ଦେଶ୍ୟ କ’ଣ ତାହା ସେ ଜାଣିବାକୁ ଚାହିଁଛନ୍ତି। ମିଳିଥିବା ସୂଚନାନୁଯାୟୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗତ ବର୍ଷ କାର୍ଲଙ୍କର ଖୁବ୍ ପ୍ରଶଂସା କରିଥିଲେ। ଦିଲ୍ଲୀରେ କରୋନା ରୋଗୀଙ୍କ ପାଇଁ ସେ କେଜରିୱାଲଙ୍କ ଦ୍ବାରା ଖୋଲାଯାଇଥିବା ପ୍ଲାଜ୍‌ମା ବ୍ୟାଙ୍କକୁ ପ୍ଲାଜ୍‌ମା ଦାନ କରିବା ପରେ ତାଙ୍କୁ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ଭାବେ କେଜରିୱାଲ ବର୍ଣ୍ଣନା କରିଥିଲେ। ଏହି ପ୍ରଶଂସା କେଜରିୱାଲ ବିରୋଧୀଙ୍କୁ ସହ୍ୟ ହୋଇ ନ ଥିଲା। ଏତଦ୍‌ବ୍ୟତୀତ ସେ ଓ ପତ୍ନୀ ମନୀଷା ବିଭିନ୍ନ ସମୟରେ ଭାରତରେ ଚାଲିଥିବା ଦୁର୍ନୀତି ପ୍ରସଙ୍ଗରେ ଅାଲୋଚନା କରିଥାଆନ୍ତି। ସୂଚନାଯୋଗ୍ୟ ଯେ କାର୍ଲଙ୍କ ୟୁ-ଟ୍ୟୁବ୍‌ ଭିଡିଓର ୧୮ ଲକ୍ଷରୁ ଅଧିକ ଗ୍ରାହକ ଅଛନ୍ତି। ବିଭିନ୍ନ ସ୍ଥାନ ଭ୍ରମଣ ଅଭିଜ୍ଞତାକୁ ନେଇ ସେ ଏଗୁଡ଼ିକୁ ପ୍ରସ୍ତୁତ କରୁଥିବା​ବେଳେ ଏହାର ଖୁବ୍‌ ପ୍ରଶଂସକ ଅଛନ୍ତି।

Comments are closed.