ୟୁ-ଟ୍ୟୁବ୍ ଭିଡିଓରୁ ଆୟ

କିଛି ବର୍ଷ ତଳେ ୟୁ-ଟ୍ୟୁବ୍‌ରେ ବ୍ଲଗିଙ୍ଗ୍ କ୍ୟାରିୟରର ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହିଣୀମାନେ ଏଇ କାମକୁ କ୍ୟାରିୟର ଭାବେ ଗ୍ରହଣ କରି ଆଗେଇଥିଲେ। ବର୍ତ୍ତମାନ କିନ୍ତୁ ଉଭୟ ପୁରୁଷ ଓ ମହିଳା ୟୁ-ଟ୍ୟୁବ୍‌ ବ୍ଲଗିଙ୍ଗ୍ କରିବାକୁ ପସନ୍ଦ କରୁଛନ୍ତି। ଏହି ଜରିଆରେ କାମ କରିଥିବା ବ୍ୟକ୍ତିଙ୍କ ମତରେ ପରିଶ୍ରମ ଓ ନିଷ୍ଠାର ସହ କାମ କଲେ ୟୁ-ଟ୍ୟୁବ୍‌ ବ୍ଲଗିଙ୍ଗ୍‌ରେ ଆୟ ମଧ୍ୟ ଖୁବ୍ ଭଲ ହୋଇଥାଏ। ଏହାର ସୁନ୍ଦର ଉଦାହରଣ ହେଲେ ଅଷ୍ଟ୍ରେଲିଆ ନିବାସୀ ଭାରତୀୟ ଯୁବ ଦମ୍ପତି ଇନ୍ଦର ଓ ଗୁର୍‌କିରତ୍। ପଞ୍ଜାବର ପଟିଆଲାରେ ରହୁଥିବା ଇନ୍ଦର-ଗୁର୍‌କରିତ୍‌ ୨୦୧୪ରେ ଅଷ୍ଟ୍ରେଲିଆ କାମ ଅନ୍ବେଷଣରେ ଯାଇଥିଲେ। ଆରମ୍ଭ ଦିନରେ ଇନ୍ଦର ସିଡ୍‌ନୀରେ ଉବର ଟ୍ୟାକ୍ସି ଚଲାଇବାବେଳେ ପତ୍ନୀ ଗୁରକିରତ୍‌ ପାଖ ମହାବିଦ୍ୟାଳୟରେ ସହାୟିକା ଭାବେ କାମ କଲେ। ସେଭଳି ଆଖିଦୃଶିଆ ଆୟ ହେଉନଥିଲା କିନ୍ତୁ ଦୁହେଁ କଠିନ ପରିଶ୍ରମ କରୁଥିଲେ। ଏଇ ଲକ୍‌-ଡାଉନ୍ ସମୟରେ ସେମାନଙ୍କ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। କ’ଣ କରିବେ ଭାବିଭାବି ଶେଷ​‌େ​‌ର ଟିକ୍‌ଟକ୍‌ରେ ମଜାଦାର ଭିଡିଓମାନ ଅପଲୋଡ କଲେ। ଲକ୍‌-ଡାଉନ୍‌ ସମୟରେ ସେମାନଙ୍କ ପ୍ରଶଂସକଙ୍କ ସଂଖ୍ୟା ୨୨ ମିଲିୟନ୍‌ରେ ପହଞ୍ଚିଥିଲା। ତେବେ ଜୁଲାଇରେ ଭାରତରେ ଟିକ୍‌ଟିକ୍‌ ବନ୍ଦ ହେବାର ଘୋଷଣା ପରେ ଏଇ ଯୁବଦମ୍ପତିଙ୍କ ରୋଜଗାର ପ୍ରଭାବିତ ହେଲା; କାରଣ ତାଙ୍କର ଅଧିକାଂଶ ପ୍ରଶଂସକ ଭାରତୀୟ ଲୋକ ହିଁ ଥିଲେ। କ’ଣ କରିବେ ଭାବି ପୁଣି ୟୁ-ଟ୍ୟୁବ୍‌ରେ ସେମାନଙ୍କ ଚ୍ୟାନେଲ୍‌ ଚଲାଇଲେ। ଦିନ କେଇଟାରେ ଏଥିରେ ମଧ୍ୟ ସେମାନଙ୍କ ଲୋକପ୍ରିୟତା ବଢ଼ିଲା। ବର୍ତ୍ତମାନ ଏଥିରେ ହେଉଥିବା ଆୟରେ ସେମାନଙ୍କ ଜୀବନ ଅତିବାହିତ ହେଉଛି। ତାଙ୍କ ୟୁ-ଟ୍ୟୁବ୍‌ ଚ୍ୟାନେଲ୍‌ରେ ପ୍ରଶଂସକଙ୍କ ସଂଖ୍ୟା ଏବେ ୧.୨୦ ଲକ୍ଷରେ ପହଞ୍ଚିଛି। କରୋନା ମହାମାରୀ କାରଣରୁ ଅନେକଙ୍କ ଚାକିରି ଓ ବ୍ୟବସାୟ ପ୍ରଭାବିତ ହୋଇଛି, କିନ୍ତୁ ଉପସ୍ଥିତ ବୁଦ୍ଧି ଖଟାଇଲେ ନିଜ ରୋଜଗାରକୁ ବଢ଼ାଇପାରିବେ ବୋଲି ଏଇ ଯୁବ ଦମ୍ପତିଙ୍କ ମତ।

Comments are closed.