ରାଉରକେଲାର ପାଉଁରୁଟି କାରଖାନାରେ ଦିନକୁ ୫୦ ଟଙ୍କାରେ କରୁଥିଲେ କାମ; ଏବେ ସେନା ଅଧିକାରୀ ହେଲେ ଏହି ବିହାରୀ ଯୁବକ

ଭୁବନେଶ୍ୱର: ଏହା ହେଉଛି ଏମିତି ଜଣେ ଯୁବକଙ୍କ କାହାଣୀ, ଯିଏ ଅସମ୍ଭବକୁ ସମ୍ଭବ କରିବାରେ ସକ୍ଷମ ହୋଇଛନ୍ତି । ଏକଦା ରାଉରକେଲାର ଏକ ପାଉଁରୁଟି କାରଖାନାରେ ଦିନକୁ ୫୦ ଟଙ୍କା ମଜୁରୀ​‌ରେ କାମ କରୁଥିବା ଏହି ବିହାରୀ ଯୁବକ ନିଜର ଅଧ୍ୟବସାୟ ବଳରେ ମିଲିଟାରୀ ଏକାଡ଼େମୀରୁ ସ୍ନାତକ ଡ଼ିଗ୍ରୀ କରିବା ସହ ସେନା ଅଧିକାରୀ ଭାବରେ ନିଯୁକ୍ତି ପାଇଛନ୍ତି । ଏହି ଯୁବକଙ୍କ ନାଁ ହେଉଛି ବାଲବାଙ୍କା ତିୱାରୀ

ବାଲବାଙ୍କା ତିୱାରୀଙ୍କ ଘର  ବିହାରର ଭୋଜପୁର ଜିଲ୍ଲାର ଆରା ନିକଟସ୍ଥ ସୁନ୍ଦରପୁର ବରଜା ଗାଁରେ । ଏକ ସମୟରେ ତାଙ୍କ ପରିବାର ବେଶ୍ ଗରିବ ଥିଲା । କାମ ପାଇଁ ସେ ଓଡ଼ିଶା ଆସିଥିଲେ ଏବଂ ଦିନକୁ ୫୦ ଟଙ୍କା ମଜୁରୀରେ ଏକ ପାଉଁରୁଟି କାରଖାନାରେ କାମ କରୁଥିଲେ । ମାତ୍ର ପାଠ ପଢ଼ିବା ପାଇଁ ତାଙ୍କର ଇଚ୍ଛା ଥିଲା ଓ ପାଉଁରୁଟି କାରଖାନା କାମ କରିବା ସହ ସେ ପାଠପଢ଼ା ଜାରି ରଖିଥିଲେ । ଏପରିକି ହାଇସ୍କୁଲ ପାଠ୍ୟକ୍ରମ ଶେଷ ପରେ ସେ ପରିବାରକୁ ସହାୟତା ପାଇଁ ଟ୍ୟୁସନ କରିବା ଆରମ୍ଭ କରିଥିଲେ ।

ନିଜ ପିଲାଦିନରେ ହୋଇଥିବା ସଂଘର୍ଷ ବିଷୟରେ ବାଲବାଙ୍କା କହିଛନ୍ତି ଯେ ତାଙ୍କ ପିତା ଜଣେ କୃଷକ ଏବଂ ସେମାନେ ଯୌଥ ପରିବାରରେ ରହୁଥିଲେ । ପରିବାରର ଆର୍ଥିକ ଅବସ୍ଥା ଖରାପ ଥିଲା । ସେ ପରିବାରର ଏକମାତ୍ର ପୁଅ ଥିଲେ । ସେ ସ୍କୁଲ ପାଠ୍ୟକ୍ରମ ଶେଷ ପରେ ୨୦୦୮ ମସିହାରେ ରାଉରକେଲା ଆସିଥିଲେ । ସେଠାରେ ଏକ ଲୁହା କାରଖାନାରେ କାମ ଆରମ୍ଭ କରିଥିଲେ । ଏହାପରେ ସେ ଏକ ପାଉଁରୁଟି କାରଖାନାରେ କାମ କରିଥିଲେ, ଯେଉଁଠି ତାଙ୍କୁ ଦିନକୁ ୫୦ ଟଙ୍କା ମଜୁରୀ ମିଳୁଥିଲା। ଏହି ସମୟରେ ସେ ଏକ ସ୍ଥାନୀୟ କଲେଜରେ ନାମ ଲେଖାଇଥିଲେ ଓ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ ।

ଏହି ସମୟରେ ସେନାରେ କାର୍ଯ୍ୟ କରୁଥିବା ତାଙ୍କର ଜଣେ ସମ୍ପର୍କୀୟ ବିହାରର ଦାନପୁରରେ ସେନା ନିଯୁକ୍ତି ସମ୍ପର୍କରେ ସୂଚନା ଦେଇଥିଲେ । ସେ ସେନାରେ ଯୋଗ ଦେବା ପାଇଁ ଚାହୁଁଥିଲେ ଏବଂ ଏଥିପାଇଁ ଆବେଦନ ମଧ୍ୟ କଲେ । ଦେଶର ସେବା କରିବା ସହିତ ଏକ ପ୍ରତିଷ୍ଠିତ ଜୀବିକା ମଧ୍ୟ ପାଇବାକୁ ଚାହୁଁଥିଲେ ବାଲବାଙ୍କା । ଦ୍ବିତୀୟ ପ୍ରୟାସରେ ସେ ସେନାରେ ଯୋଗ ଦେବାକୁ ସଫଳ ହେଲେ ଏବଂ ୨୦୧୨ରେ ସେନାର ଇଏମଇ କେନ୍ଦ୍ର (ଭୋପାଳ)ରେ ସେ ନିଯୁକ୍ତି ପାଇଲେ ।

ଭୋପାଳରେ କାର୍ଯ୍ୟ କରୁଥିବାବେଳେ ବାଲବାଙ୍କା ସେନା ବାହିନୀରେ ଅଧିକାରୀ ପଦ ପାଇଁ ଆବେଦନ କରିଥିଲେ । ସେନା କ୍ୟାଡ଼େଟ୍ କଲେଜ (ଏସିସିସ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦୧୭ରେ ଆଇଏମଏରେ ଏସିସି ଭାବରେ ଯୋଗ ଦେଲେ । ଗତକାଲି ଡ଼ିସେମ୍ବର ୧୨ ତାରିଖ ବାଲବାଙ୍କାଙ୍କ ପାଇଁ ଥିଲା ସ୍ବପ୍ନର ଦିନ । ସେ ଅନ୍ୟ ୩୨୫ ଜଣଙ୍କ ସହ ସେ ପାସଆଉଟ୍ ପ୍ୟାରେଡ଼ରେ ଅଂଶଗ୍ରହଣ କରିଥିଲେ ।

Comments are closed.