ଗୋଡ ହାତରେ ବେଡି ପଡ଼ିଥିବା ଯୁବକ ରାସ୍ତାକଡରୁ ଉଦ୍ଧାର

ଚୌଦ୍ୱାର : ଚୌଦ୍ୱାର ଚାରବାଟିଆ ରେଲୱ ଲାଇନର ଅନତି ଦୂରରେ ହାତରେ ଓ ଗୋଡରେ ତାଲା ପଡ଼ି ଅଚେତ ଅବସ୍ଥାରେ ପଡ଼ିଥିବା ଏକ ଯୁବକକୁ ଉଦ୍ଧାର କରିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉଦ୍ଧାର ଫାଉଣ୍ଡେସନ’। ମିଳିଥିବା ସୁଚନା ଅନୁଯାୟୀ ଯୁବକ ଜଣଙ୍କର ୨ହାତରେ ହାତକଡି ପଡ଼ି ଥିବା ସହିତ ସେଥିରେ ତାଲା ପଡ଼ିଥିବା ଓ ଗୋଟିଏ ଗୋଡରେ ତାଲା ପଡ଼ି ଅଚେତ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ଫାଉଣ୍ଡେସନର କର୍ମକର୍ତ୍ତାଙ୍କୁ ଖବର ଜଣାଇଥିଲେ। ଖବରପାଇ ସଂଗଠନର ସଭାପତି ନରୋତ୍ତମ ଦାସ ଓ କର୍ମକର୍ତ୍ତା ମାନେ ଚୌଦ୍ୱାର ପୋଲିସ ସହାୟତାରେ ଯୁବକଙ୍କୁ ଉଦ୍ଧାର କରିଥିଲେ। ଯୁବକଙ୍କ ପରିଚୟ ପାଇବା ପରେ ପାଖ ଗ୍ରାମ ଆଗ୍ରାହାଟର ମନୋଜ ମଲ୍ଲିକ(୪୫) ବୋଲି ଜାଣି ପାରି ତାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ସେ ଜଣେ ଦୀର୍ଘ ଦିନର ମାନସୀକ ରୋଗୀ ହୋଇଥିବା ଓ ତାଙ୍କର ଘରଲୋକେ ତାଙ୍କୁ ପଦାକୁ ନଯିବା ପାଇଁ ଏପରି ବ୍ୟବସ୍ଥା କରିଥିବା କହିଥିଲେ। ହେଲେ ଆଜି କୌଣସି କାରଣରୁ ପରିବାରର ଅଜ୍ଞାତରେ ସେ ବାହାରକୁ ପଳାଇ ଯାଇଥିଲେ। ଆଗକୁ ତାଙ୍କୁ ହାତ ଓ ଗୋଡରେ ତାଲା ପକାଇ ରଖିବେ ନାହିଁ ବୋଲି ଏକ ଲିଖିତ ପ୍ରତିଶୃତି ପରିବାର ଲୋକେ ଥାନାରେ ଦେଇଥିବା ଜଣାପଡ଼ିଛି।

Comments are closed.