ଭୋକିଲା ପେଟକୁ ଦାନା ଦେଉଛି ୟୁଥ ଅଫ କନ୍ଧମାଳ

ଫୁଲବାଣୀ: ସଟ୍‍ଡ଼ାଉନ୍‍ ସମୟରେ ନିର୍ମାଣ କାର୍ଯ୍ୟ ଜାରି ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବା ଶ୍ରମିକମାନଙ୍କ ଯିବା ଆସିବା ପାଇଁ କୌଣସି ପ୍ରକାର ପଦକ୍ଷେପ ନିଆଯାଇନାହିଁ। ଫଳରେ ଫୁଲବାଣୀ ସହରକୁ କାମଧନ୍ଦାରେ ଆସୁଥିବା ଶ୍ରମିକମାନେ ସଟ୍‍ଡ଼ାଉନ୍‍ ଯୋଗୁଁ ଗାଡ଼ି ମଟର ବନ୍ଦଥିବାରୁ ନିଜ ନିଜ ନିର୍ମାଣ କାର୍ଯ୍ୟରେ ଯୋଗାଦେଇ ପାରିନଥିଲେ। ଏଭଳି ପରିସ୍ଥିତିରେ ଗ୍ରାମାଞ୍ଚଳରେ ଥିବା ଅନେକ ଶ୍ରମିକଙ୍କ ପାଖରେ ପହଞ୍ଚିଥିଲା ସ୍ୱେଚ୍ଛାସେବୀ ସଂଗଠନ ୟୁଥ୍‍ ଅଫ କନ୍ଧମାଳ।

କରେନାର କରାଳ ଦାଉରୁ ସମାଜର ନିମ୍ନବର୍ଗର ଲୋକମାନେ ଆର୍ଥିକ ଅନାଟନରେ ଦିନ ବିତାଉଛନ୍ତି। ଏହାକୁ ଅଙ୍ଗେ ନିଭାଇଛନ୍ତି ସଂଗଠନର ସଦସ୍ୟମାନେ। ଆଜି ମୂଲ ମଜୁରି କଲେ ପେଟ ପୋଷୁଥିବା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଦୁତିମେଣ୍ଡି ପଂଚାୟତର ବଇକୁମ୍ପା, ତକଳି, କୁଚିଲାଝର, ଝାଡ଼ ବଲସକୁମ୍ଫା ଓ ଖଲିବେରଣା ଭଳି ଅନେକ ଗ୍ରାମରେ ପହଞ୍ଚି ସଂଗଠନର ସଦସ୍ୟମାନେ ଦିନ ମଜୁରିଆମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି। ଏଥିରେ ସଂଗଠନର ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱରେ ଅମରେଶ ଦନ୍ତ, ବଳରାମ ବିନ୍ଧାଣୀ, କରୁଣ, ସୌମ୍ୟଜିତ୍‍ ତ୍ରିପାଠୀ ଓ ଶିବ ସୁନ୍ଦର ସାହୁଙ୍କ ସମେତ ଅନ୍ୟମାନେ ସାମିଲ୍‍ ହୋଇ ସହଯୋଗର ହାତ ବଢାଇଥିଲେ।

Comments are closed.