ଯୁବଗୋଷ୍ଠୀ ସାମାଜିକ ପରିବର୍ତ୍ତନର ସଶକ୍ତ ପ୍ରତିନିଧି – ରାଷ୍ଟ୍ରପତି

ଦେଶର ଯୁବଗୋଷ୍ଠୀ ସାମାଜିକ ପରିବର୍ତ୍ତନର ସଶକ୍ତ ପ୍ରତିନିଧି ଅଟନ୍ତି ଏବଂ ଶିକ୍ଷା କ୍ଷେତ୍ରରେ ସେମାନେ ପରିବର୍ତ୍ତନର ମୁଖ୍ୟ ସ୍ରୋତ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟର ୪୧ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଶ୍ରୀ କୋବିନ୍ଦ ଏହା କହିଛନ୍ତି। ଏହି ଅବସରରେ ଆନ୍ନା ବିଶ୍ୱବିଦ୍ୟାଳୟ ବିଶ୍ୱର ଅଗ୍ରଣୀ ବୈଷୟିକ ବିଶ୍ୱବିଦ୍ୟାଳୟଗୁଡିକରେ ପ୍ରମୁଖ ସ୍ଥାନ ଅଧିକାର କରିବା ସହ ଭବିଷ୍ୟତକୁ ଲକ୍ଷ୍ୟ ରଖି ବିଭିନ୍ନ ବିଷୟରେ ପାଠ୍ୟକ୍ରମ ପ୍ରସ୍ତୁତ କରୁଥିବା ସେ କହିଛନ୍ତି। ସେ କହିଛନ୍ତି, ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଶିଖିବାର ମନୋବୃତ୍ତି ବିକାଶ ଦିଗରେ ଆନ୍ନା ବିଶ୍ୱବିଦ୍ୟାଳୟ ଉପଯୁକ୍ତ ପରିବେଶ ସୃଷ୍ଟି କରିଛି। ଉପଗ୍ରହ ଡିଜାଇନ୍‍, ବିକାଶ ଏବଂ ଏହାର ସଞ୍ଚାଳନ କରିବା କ୍ଷେତ୍ରରେ ସେହି ବିଶ୍ୱବିଦ୍ୟାଳୟ ଭାରତରେ ପ୍ରଥମ ବୋଲି କହିବା ସହ ରାଷ୍ଟ୍ରପତି ଏହା ବିଶ୍ୱର ଯୁବ ବୈଜ୍ଞାନିକମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି।

୨୦୨୦ ଜାତୀୟ ଶିକ୍ଷାନୀତି ଉପରେ ମତବ୍ୟକ୍ତ କରି ରାଷ୍ଟ୍ରପତି କହିଛନ୍ତି, ଜ୍ଞାନ ହେଉଛି ସେଭଳି ଆଧାର ସ୍ତମ୍ଭ, ଯାହା ପ୍ରତ୍ୟେକ ବ୍ୟକ୍ତିର ଚରିତ୍ର ଗଠନ କରେ। ଦେଶରେ ନୂଆ ଜାତୀୟ ଶିକ୍ଷାନୀତି ତାହାର ପ୍ରକୃତ ଉଦ୍ଦେଶ୍ୟ ସାଧନ କରିପାରିଲେ ତାହା ଭବିଷ୍ୟତର ସାମଗ୍ରୀକ ଲକ୍ଷ୍ୟ ପୂରଣ ଦିଗରେ ସଫଳ ହୋଇପାରିବ ବୋଲି ଶ୍ରୀ କୋବିନ୍ଦ କହିଛନ୍ତି।

Comments are closed.