ରକ୍ତଦାନ କରି ଗର୍ଭବତୀଙ୍କୁ ବଞ୍ଚାଇଲେ ଯୁବକ

0

ନରଣପୁର : ଜରୁରୀ ଆବଶ୍ୟକତା ବେଳେ ଜଣେ ସ୍ବେଚ୍ଛାସେବୀ ଯୁବକ ରକ୍ତଦାନ କରି ଗର୍ଭବତୀଙ୍କ ଜୀବନ ବଞ୍ଚାଇବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।
ବାଂଶପାଳ ବ୍ଲକ କଂସ ଗ୍ରାମର ଠାକୁରଦାସ ଜୁଆଙ୍ଗଙ୍କ ପତ୍ନୀ ମୀରାମଣି ଜୁଆଙ୍ଗଙ୍କୁ ପ୍ରସବ ପାଇଁ ରବିବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ମୀରାମଣିଙ୍କ ଶରୀରରେ ରକ୍ତ କମ୍‍ ଥିବା କହି ପ୍ରସବ କିମ୍ବା ଅସ୍ତ୍ରୋପଚାର କରିବାକୁ ଡାକ୍ତର ମନା କରିଦେଇଥିଲେ। ଫଳରେ ଏହି ଘଟଣା ନେଇ ରକ୍ତଭଣ୍ଡାର ସହ ଯୋଗାଯୋଗ କରିବାରେ ରକ୍ତ ନେବାକୁ ହେଲେ ଜଣେ ରକ୍ତଦାତା ଯୋଗାଡ଼ କରିବାକୁ ରକ୍ତଭଣ୍ଡାର କର୍ମଚାରୀ ପରାମର୍ଶ ଦେଇଥିଲେ। ତେବେ ଏହି ମହିଳାଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସେ ରକ୍ତଦାତା ଯୋଗାଡ଼ କରିବାକୁ ଅସମର୍ଥ ହୋଇଥିଲେ। ପରିବାର ତଥା ବନ୍ଧୁବାନ୍ଧବଙ୍କ ମଧ୍ୟରୁ କାହାର ରକ୍ତ ନମୁନା ତାଙ୍କ ସହ ମେଳ ଖାଇ ନ ଥିଲା। ଏଣେ ରକ୍ତର ଆବଶ୍ୟକତା ପଡୁଥିବା ବେଳେ ତେଣେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଆଡ଼କୁ ଗତି କରୁଥିଲା। ତେଣୁ ଏଭଳି ପରିସ୍ଥିତିରେ ଗର୍ଭସ୍ଥ ଶିଶୁ ଓ ମା’କୁ ବଞ୍ଚାଇବାକୁ ଯାଇ ସେଠାରେ ସଂଯୋଗବଶତଃ ଉପସ୍ଥିତ ଥିବା କୁଣ୍ଢେଇ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ବହୁମୁଖୀ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଉଦୟନାଥ ରାୟ ସ୍ୱେଚ୍ଛାକୃତ ରକ୍ତଦାନ କରି ମୀରାମଣି ଓ ତାଙ୍କ ଶିଶୁପୁତ୍ରର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ।
ଉଦୟଙ୍କ ସ୍ୱେଚ୍ଛାକୃତ ରକ୍ତଦାନ ଦ୍ୱାରା ଉଭୟ ମା’ ଓ ଶିଶୁ ସମ୍ପ୍ରତି ସୁସ୍ଥ ଥିବା ବେଳେ ତାଙ୍କର ଏଭଳି ମହତକାର୍ଯ୍ୟ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଲୋଚନା ହେଉଛି।

Leave A Reply