ପାଣିରେ ବୁଡ଼ି ଯୁବକ ମୃତ; ଅପମୃତ୍ୟୁ ମାମଲା ରୁଜୁ

ଗାଧୋଇବାବେଳେ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି ଜଣେ ଯୁବକ । ତାଙ୍କ ନାମ ଶୁଭମ କୁମାର ବ୍ରହ୍ମା ଓ ବାରିପଦା ସ୍ବୟଂ ଶାସିତ ମହାବିଦ୍ୟାଳୟର +୩ ଶ୍ରେଣୀର ଛାତ୍ର ଥିଲେ । କଲେଜ ବନ୍ଦ ଥିବାରୁ ଶୁଭମ୍ ଘରେ ରହୁଥିଲେ ଓ ଆଜି ଅପରାହ୍ନରେ ଆଉ ଦୁଇ ସାଙ୍ଗଙ୍କ ସହ ଅରିକୂଳ ଜଳ ଅମଳ ପ୍ରକଳ୍ପ (ବଡ଼ ପୋଖରୀ)କୁ ଗାଧୋଇବାକୁ ଯାଇଥିଲେ ।

ମାତ୍ର ଗାଧୋଇବା ସମୟରେ ସେ ଗହୀର ପାଣିକୁ ଚାଲି ଯାଇଥିଲେ । ତାଙ୍କ ସହ ଯାଇଥିବା ଅନ୍ୟ ବନ୍ଧୁମାନେ ଶୁଭମଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳି ନ ଥିଲା । ଏହି ସମୟରେ ଖବର ପାଇ ଯୁବ ସରପଞ୍ଚ ଶିବ ସିଂହ ପୋଖରୀ ପାଣିରେ ବୁଡ଼ି ଶୁଭମଙ୍କୁ ଖୋଜାଖୋଜି କରିଥିଲେ । କିଛି ସମୟ ପରେ ଶୁଭମଙ୍କୁ ଠାବ କରିବାରେ ଶିବ ସକ୍ଷମ ହୋଇଥିଲେ ଓ ତାଙ୍କୁ ଉପରକୁ ଆଣିଥିଲେ । ଗୁରୁତର ଅବସ୍ଥାରେ ଶୁଭମଙ୍କୁ ଡ଼ୁକୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଘଟଣା ସମ୍ପର୍କରେ ଖୁଣ୍ଟା ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।