ରାହୁଲଙ୍କୁ ମନାଇବାକୁ ବିଶାଳ ଶୋଭାଯାତ୍ରା କରିବ ଯୁବ କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦବୀରୁ ଇସ୍ତଫା ଦେବା ଜିଦରେ ଅଟଳ ରହିଛନ୍ତି। ଦଳୀୟ ନେତାମାନେ ବହୁ ଅନୁରୋଧ କରିଥିଲେ ମଧ୍ୟ ରାହୁଲ ଶୁଣିବାକୁ ନାରାଜ। ନିକଟରେ ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ମଧ୍ୟ ରାହୁଲ ଏ ନେଇ ଘୋଷଣା କରିବା ସହ ସେ ଅଧ୍ୟକ୍ଷ ପଦରେ ରହିବାକୁ ଚାହୁଁ ନ ଥିବା କହିଥିଲେ। ତେବେ ରାହୁଲଙ୍କୁ ମନାଇବା ଲାଗି ଯୁବ କଂଗ୍ରେସ ଉଦ୍ୟମ ଆରମ୍ଭ କରିଛି। ବିଭିନ୍ନ ରାଜ୍ୟରୁ ଶତାଧିକ ଯୁବ କଂଗ୍ରେସ ପ୍ରତିନିଧି ଏବଂ କର୍ମୀମାନେ ନୂଆଦିଲ୍ଲୀରେ ପହଞ୍ଚି ଦଳୀୟ ମୁଖ୍ୟାଳୟଠାରେ ଏକତ୍ର ହେବେ। ଏହା ପରେ ଏକ ବିଶାଳ ଶୋଭାଯାତ୍ରାରେ ରାହୁଲଙ୍କୁ ମନାଇବାକୁ ଯିବେ। ରାହୁଲ ଦଳର ଅଧ୍ୟକ୍ଷ ପଦରେ ରୁହନ୍ତୁ ବୋଲି କର୍ମୀମାନେ ଦାବି କରିବେ।

ଶୁକ୍ରବାର ଯୁବ କଂଗ୍ରେସ ପ୍ରତିନିଧିମାନଙ୍କ ସହିତ ପୂର୍ବତନ ଏଆଇସିସି ସଦସ୍ୟ, ସମ୍ପାଦକ, ପୂର୍ବତନ ବିଧାୟକ ଏବଂ ସାଂସଦମାନେ ଏଆଇସିସି ମୁଖ୍ୟାଳୟରେ ଏକାଠି ହେବେ। ସମସ୍ତେ ରାହୁଲଙ୍କୁ ମନାଇବାକୁ ଉଦ୍ୟମ କରିବେ। ଦଳର ବରିଷ୍ଠ ତଥା ଆଗଧାଡ଼ିର ନେତାମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ ବୋଲି ଏହି ଅଭିଯାନ ଆୟୋଜନ କରୁଥିବା ଜଣେ ଯୁବ କଂଗ୍ରେସ ନେତା ତଥା ପୂର୍ବତନ ଏଆଇସିସି ସମ୍ପାଦକ କହିଛନ୍ତି। ସେ କହିଛନ୍ତି ଯେ, ବିଭିନ୍ନ ରାଜ୍ୟର ପ୍ରତିନିଧିମାନେ ଶୋଭାଯାତ୍ରାରେ ସାମିଲ ହେବ। ଆମେ ପ୍ରଥମେ ଏଆଇସିସି ମୁଖ୍ୟାଳୟକୁ ଯିବୁ। ସେଠାରୁ ଏକାଠି ହୋଇ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବାସଭବନକୁ ଯିବୁ।

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ପରାଜିତ ହେବା ପରେ ରାହୁଲ ଏଥିପାଇଁ ନିଜକୁ ଦାୟୀ କରି ଦଳର ଅଧ୍ୟକ୍ଷ ପଦବୀରୁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। କିନ୍ତୁ ସେ ଅଧ୍ୟକ୍ଷ ରୁହନ୍ତୁ ବୋଲି ଦଳୀୟ ନେତାମାନେ ଚାହୁଁଛନ୍ତି।

Comments are closed.