ଛାତ୍ରଛାତ୍ରୀଙ୍କ ଫି’ ଛାଡ ଦାବିରେ ମାଷ୍ଟର କ୍ୟାଣ୍ଟିନ ଛକରେ ଛାତ୍ର କଂଗ୍ରେସର ନିରବ ପ୍ରତିବାଦ

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ଫି’ ଛାଡ଼ ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ଗୁରୁବାର ଏକ ନୀରବ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଛାତ୍ର କଂଗ୍ରେସ ରାଜ୍ୟ ସମନ୍ୱୟ କମିଟି ସଦସ୍ୟ ନିରଞ୍ଜନ ଦାସଙ୍କ ନେତୃତ୍ୱରେ  ଭୁବନେଶ୍ଵରର ମାଷ୍ଟ୍ରର କ୍ୟାଣ୍ଟିନ ଛକରେ ନିରବ ପ୍ରତିବାଦ କରାଯାଇଥିଲା । ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ରଛାତ୍ରୀଙ୍କର ଫି’ ଛାଡ ସହ ଦାଖଲ ସମୟ ସୀମା ବୃଦ୍ଧି ପାଇଁ ୭ ଦିନ ପୂର୍ବରୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅବଗତ କରାଯାଇଥିଲା । ତେବେ ଏଯାବତ୍ ଉଭୟ ସରକାର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପାଇଁ କୌଣସି ପଦକ୍ଷେପ ନେଇ ନଥିବାରୁ ପ୍ରତିବାଦ ସଭା କରାଯାଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଛାତ୍ରଙ୍କ ସ୍ୱାର୍ଥ ବିରୋଧୀ । କରୋନା ମହାମାରୀ ସମୟରେ ବିଦ୍ୟାର୍ଥୀଙ୍କୁ ସହଯୋଗ କରିବାକୁ ସରକାର ଚେଷ୍ଟା କରିବା ପରିବର୍ତେ ବିଦ୍ୟାର୍ଥୀଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ସେଥିପାଇଁ ଆଜି ସାମାଜିକ ଦୂରତା ବଜାୟ ରଖି ନୀରବ ପ୍ରତିବାଦ ସଭା କରାଯାଇଛି । ଏହି କାର୍ୟ୍ୟକ୍ରମରେ ବିଭିନ୍ନ ଅଂଚଳର ଛାତ୍ର କଂଗ୍ରେସ କର୍ମକର୍ତା ଯୋଗଦେଇଥିଲେ ।

ଛାତ୍ର କଂଗ୍ରେସ ରାଜ୍ୟ ସମନ୍ୱୟ କମିଟି ସଦସ୍ୟ ନିରଞ୍ଜନ ଦାସ କହିଛନ୍ତି ସରକାର ତୁରନ୍ତ ଛାତ୍ରଛାତ୍ରୀଙ୍କ ଫି ଛାଡ଼ କରନ୍ତୁ । ଯଦି ଫି ଛାଡ଼ ନକରିବେ ଗରୀବ ବିଦ୍ୟାର୍ଥୀଙ୍କୁ ଚିହ୍ନଟ କରିବା ସହ ତୁରନ୍ତ ସେମାନଙ୍କ ବ୍ୟାଙ୍କ ଆକାଉଂଟରେ ଅର୍ଥ ପ୍ରଦାନ କରନ୍ତୁ । ଛାତ୍ର କଂଗ୍ରେସ ଓଡ଼ିଶାର ବିଦ୍ୟାର୍ଥୀଙ୍କ ସୁରକ୍ଷା ପାଇଁ ତାର ଲଢେଇ ଜାରି ରଖିବ । ସମଗ୍ର ଦେଶରେ ଜୀବନ ଜୀବିକା ପ୍ରଭାବିତ ହୋଇଥିବାବେଳେ ଉଭୟ ସରକାର ବିଦ୍ୟାର୍ଥୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେବା ଗ୍ରହଣୀୟ ନୁହେଁ । ଯଦି ସରକାର ଛାତ୍ର କଂଗ୍ରେସର ଦାବିକୁ ନମାନନ୍ତି ତେବେ ଆଗାମୀ ଦିନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ପରାମର୍ଶକ୍ରମେ ସାରା ରାଜ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଏକାଠି କରି ଛାତ୍ର କଂଗ୍ରେସ ନୀରବ ପ୍ରତିବାଦର ସ୍ୱରକୁ ଦୃଢ଼ କରିବ ।

Comments are closed.