ବୈବାହିକ ୱେବସାଇଟରୁ ପ୍ରେମ ଓ ବିବାହ : ଯୁବତୀଙ୍କୁ ୧୪ ଲକ୍ଷ ଠକିଥିବା ପଞ୍ଜାବ ଯୁବକ ଗିରଫ

ବ୍ରହ୍ମପୁର : ବୈବାହିକ ୱେବସାଇଟରୁ ସମ୍ପର୍କ ଯୋଡି ବ୍ରହ୍ମପୁରର ଜଣେ ଝିଅଙ୍କୁ ବିବାହ କରିବା ପରେ ତାଙ୍କ ପରିବାର ଠାରୁ ୧୪ ଲକ୍ଷରୁ ଅଧିକ ଟଙ୍କା ଠକି ଫେରାର ହୋଇଯାଇଥିବା ଜଣେ ଅଣଓଡିଆ ଯୁବକଙ୍କୁ ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା ପୁଲିସ ଗିରଫ କରିଛି ା ଅଭିଯୁକ୍ତ ଯୁବକ ଜଣକ ହେଲେ ପଞ୍ଜାବ ରାଜ୍ୟ ବାଘପୁରାନା ଥାନା ଅନ୍ତର୍ଗତ ଗୋଲିଆକଲାନ ଗ୍ରାମର ଅଜୟ କୁମାର(୩୨)। ବ୍ରହ୍ମପୁର ପୁଲିସ ଅଜୟଙ୍କୁ ଗତକାଲି ପଞ୍ଜାବରୁ ଗିରଫ କରିବା ପରେ ଆଜି ବ୍ରହ୍ମପୁରରେ ପହଞ୍ଚି ଅଦାଲତ ଚାଲାଣ କରିଛି।
ସୂଚନାଯୋଗ୍ୟ, ଗୋସାଇଁ ନୂଆଗାଁ ଅଞ୍ଚଳର ୩୫ ବର୍ଷୀୟ ଯୁବତୀ ଜଣକ ଏକ ବୈବାହିକ ୱେବସାଇଟରେ ଆକାଉଣ୍ଟ ଖୋଲିଥିଲେ। ସେହି ୱେବସାଇଟରେ ଅଭିଯୁକ୍ତ ଅଜୟ ପୂର୍ବରୁ ଆକାଉଣ୍ଟ ଖୋଲିଥିଲେ। ନିଜକୁ ​ଷ୍ଟେଟ ବ୍ୟାଙ୍କର ଜଣେ ଅଧିକାରୀ ଭାବେ ପରିଚୟ ଦେଇଥିଲା। ୨୦୧୭ରେ ଯୁବତୀ ଓ ଅଜୟଙ୍କ ସେହି ​‌େ​‌ୱବସାଇଟ ଜରିଆରେ ପରିଚୟ ହେବା ସହ ସମ୍ପର୍କ ଆଗକୁ ବଢିଥିଲା। ଉଭୟେ‌ ଦୁଇ ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ା ଜାନୁଆରୀ ୨୦୧୯ରେ ଅଜୟ ବ୍ରହ୍ମପୁର ଆସି ସମ୍ପୃକ୍ତ ଯୁବତୀଙ୍କ ପରିବାରର ସହମତିରେ ପଞ୍ଜାବ ନେଇଥିଲେ। ଚଣ୍ଡିଗଡ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ଉଭୟ ଆଇନଗତ ବିବାହ କରିଥିଲେ। ଏହା ପରେ ଅଜୟ ନିଜ ପତ୍ନୀଙ୍କୁ ତାଙ୍କ ଗ୍ରାମକୁ ନେଇ ରଖିଥିଲେ। କିଛି ଦିନ ରହଣି ଭିତରେ ଅଜୟ ​‌େ​‌ଷ୍ଟଟ ବ୍ୟାଙ୍କରେ ଚାକିରି କରୁନଥିବା ଓ ତାଙ୍କୁ ମିଛ କହି ବିବାହ କରିଥିବା ଯୁବତୀ ଜଣକ ଜାଣିପାରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା ଏବଂ ଏପ୍ରିଲ ୨୦୧୯ରେ ଯୁବତୀ ଜଣକ ନିଜ ଘର ବ୍ରହ୍ମପୁରକୁ ଚାଲି ଆସିଥିଲେ। ପରିବାରର ସମ୍ମାନକୁ ଆଖି ଆଗରେ ଯୁବତୀଙ୍କ ପରିବାର ଲୋକେ ଅଜୟଙ୍କୁ ବୁଝାଇ ବ୍ରହ୍ମପୁରକୁ ଡାକି ହିନ୍ଦୁ ରୀତିନୀତି ଅନୁସାରେ ପୁଣି ଉଭୟଙ୍କ ବିବାହ କରାଇଥିଲେ। ସେତେବେଳେ ଯୁବତୀଙ୍କ ପରିବାର ପକ୍ଷରୁ ଅଜୟଙ୍କୁ ୨୦୦ ଗ୍ରାମ ସୁନା ଅଳଙ୍କାର ଦିଆଯାଇଥିଲା। ଉଭୟ ପୁଣି ପଞ୍ଜାବ ଯାଇ ମିଳିମିଶି ରହିବା ପରେ ତାଙ୍କ କିଡନୀ ଖରାପ ଅଛି ଓ ସେଥିପାଇଁ କାନାଡା ଯିବାକୁ ପଡ଼ିବ ବୋଲି ଅଜୟ ନିଜ ପତ୍ନୀଙ୍କୁ କହିବା ସହ ବ୍ରହ୍ମପୁରରେ ଆଣି ଛାଡି ଦେଇଥିଲେ। ଏହା ପରେ ତାଙ୍କୁ କରୋନା ହୋଇଛି କହି ଟଙ୍କା ମାଗିଥିଲେ। ଚିକିତ୍ସା କରାଇବି ବୋଲି ଅଜୟ ଯୁବତୀଙ୍କ ପରିବାର ଲୋକଙ୍କ ଠାରୁ ପର୍ଯ୍ୟାୟକ୍ରମରେ ୧୪ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ ା ଏହା ପରେ ଅଜୟ ମୋବାଇଲ ବନ୍ଦ କରି ନିଜ ପତ୍ନୀ ଓ ଶ୍ବଶୁର ଘର ଲୋକଙ୍କଠାରୁ ସମସ୍ତ ପ୍ରକାର ସମ୍ପର୍କ କାଟି ଦେଇଥିଲେ। ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ଯୁବତୀ ଜଣକ ପ୍ରତାରଣା ଓ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ସେ ୨୦୨୧ ଜୁନ ୧୬ ତାରିଖ‌େର ଗୋସାଇଁ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ୭୪/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ଅଜୟର ମୋବାଇଲ ଟ୍ରାକିଂ କରି ସେ ପଞ୍ଜାବରେ ଥିବା ଜାଣିବା ପରେ ବ୍ରହ୍ମପୁର ପୁଲିସ ଜିଲାର ଏକ ଦଳ ତାଙ୍କ ଗାଁକୁ ଯାଇ ଅଜୟକୁ କାବୁ କରିଥିଲା । ଅଜୟକୁ ଗିରଫ ପରେ ପଞ୍ଜାବର ମୋଗା ଜିଲା ନିହାଲ ସିଂ ୱାଲା ଉପଖଣ୍ଡ ବିଚାରପତିଙ୍କ ଅଦାଲତରେ ହାଜର କରିବା ସହ ଜିମାରେ ବ୍ରହ୍ମପୁରକୁ ଆଣାଯାଇଥିଲା। ଆଜି ତାଙ୍କୁ ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ଅଦାଲତରେ ହଜାର କରାଯାଇଛି ଓ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ନଗର ଉପଖଣ୍ଡ ପୁଲିସ ଅଧିକାରୀ ବିଷ୍ଣୁପ୍ରସାଦ ପତି ସୂଚନା ଦେଇଛନ୍ତି।

Comments are closed.