ଯାହାକୁ ରଖିବେ ଅନନ୍ତ…. ୧୬ ବଗିି ଚାଲିଗଲା ପରେ ବି ଯୁବକ ଜୀବନ୍ତ ଉଦ୍ଧାର

ନୂଆପଡା : କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଠିକ୍‌ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ନୂଆପଡା ସଦର ବ୍ଲକ ଗୋତମା ଗ୍ରାମର ଜଣେ ୧୯ ବର୍ଷ ଯୁବକଙ୍କ କ୍ଷେତ୍ରରେ। ଆତ୍ମହତ୍ୟା କରିବାକୁ ଯାଇ ରେଳ ଧାରଣା ଉପରେ ଶୋଇ ପଡ଼ିଥିଲେ। ତାଙ୍କ ଉପରେ ମାଲଗାଡିର ୧୬ଟି ବଗି ଗଡ଼ିଗଲା ପରେ ମଧ୍ୟ ଜୀବନ୍ତ ଉଦ୍ଧାର ହୋଇଛନ୍ତି।
ଖବର ମୁତାବକ ନୂଆପଡା ବ୍ଲକ ଗୋତମା ଗ୍ରାମର ସନାତନ ସାହୁଙ୍କ ପୁଅ ଟିକେଶ୍ୱର (୧୯) ଗତ ୨୨ ତାରିଖ ସନ୍ଧ୍ୟାରେ ଘରକୁ ନିଶା ପିଇ ଫେରିଥିଲେ। ଏହି କାରଣରୁ ସନାତନ ତାଙ୍କୁ ଗାଳିଗୁଲଜ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଟିକେଶ୍ୱର ଘରେ କାହାକୁ କିଛି ନକହି ଆତ୍ମହତ୍ୟା କରିବା ପାଇଁ ଚାଲିଯାଇଥିଲେ। ନିଜ ଗ୍ରାମରୁ କିଛି ଦୂରରେ ଯାଇଥିବା ରେଳଧାରଣା ପାଖରେ ପହଞ୍ଚି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଆର୍‌ପିଏଫ ଏଏସଆଇ ମଙ୍ଗଲ ସିଂ ନାଗଙ୍କ ସୂଚନା ମୁତାବକ ଟିଟଲାଗଡ ପଟୁ ରାୟପୁରକୁ ଯାଉଥିବା ଏକ ମାଲଗାଡିକୁ ଦେଖି ଟିକେଶ୍ୱର ରେଳଧାରଣା ଉପରେ ଶୋଇପଡିଥିଲେ। କିନ୍ତୁ ସଂଯୋଗ ବଶତଃ ରେଳଗାଡିର ଲୋକ ପାଇଲଟ ଦୂରରୁ ଦେଖିପାରିଥିଲେ ଓ ଯଥା ସମ୍ଭବ ବଞ୍ଚାଇବା ପାଇଁ ହର୍ଣ୍ଣ ଦେବା ସହ ଜରୁରୀ କାଳିନ ବ୍ରେକ ଲଗାଇଥିଲେ। ଗାଡିର ଗତି କିଛି ମାତ୍ରାରେ କମିଯାଇଥିଲା ମଧ୍ୟ ସମ୍ପୂର୍ଣ୍ଣ ଅଟକିବା ପୂର୍ବରୁ ଟିକେଶ୍ୱରଙ୍କ ଉପରେ ୧୬ଟି ବଗି ଚଢିଯାଇଥିଲା। ଗାଡି ଅଟକିବା ମାତ୍ରେ ଲୋକୋ ପାଇଲଟ ଏନ୍‌ ମହନ୍ତ ଗାଡିରୁ ଓହ୍ଲାଇ ଘଟଣାକୁ ଅନୁକ୍ଷଣ କରି ତୁରନ୍ତ ନିକଟସ୍ଥ ରେଳ ଷ୍ଟେସନ ମାଷ୍ଟରଙ୍କୁ ସୂଚନା ପ୍ରଦାନ କରିଥିଲେ। ଖବର ପାଇ ଆର୍‌ପିଏଫ୍‌ ହେଡ କନଷ୍ଟେବଳ ଟି. ରାହୁଲ କୁମାର, କନଷ୍ଟେବଳ ଜି ବଗର୍ତ୍ତି ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଜୀବନ୍ତ ଉଦ୍ଧାର କରିଥିଲେ। ତେବେ ଯୁବକ ସଂଜ୍ଞାହୀନ ହୋଇଯାଇଥିଲେ। ଆର୍‌ପିଏଫ ପକ୍ଷରୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗାଯୋଗ କରାଯାଇଥିଲା। କିନ୍ତୁ ଯୋଗାଯୋଗ ହୋଇନପାରିବାରୁ ମାଲଗାଡିରେ ଖରିଆରରୋଡ ରେଳଷ୍ଟେସନକୁ ଆଣି ଅନ୍ୟ ବ୍ୟବସ୍ଥାରେ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ଦେଢଘଣ୍ଟା ପରେ ତାଙ୍କର ସଂଜ୍ଞା ଫେରିଥିଲା। ଚେତା ଆସିବା ପରେ ଆର୍‌ପିଏଫ ପକ୍ଷରୁ ପଚରା ଉଚୁରା କରାଯାଇଥିଲା। ଖବର ପାଇ ପରିବାର ଲୋକେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଟିକେଶ୍ୱରଙ୍କୁ ବୁଝାଇ ସୁଝାଇ ଘରକୁ ନେଇଯାଇଥିଲେ।

Comments are closed.