ବଡଭାଇର ଶାବଳ ମାଡ଼ରେ ସାନଭାଇର ପ୍ରାଣ ଗଲା

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଇରମ ସଦେଇପଡା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣାକ୍ରମରେ ବଡଭାଇର ଶାବଳ ମାଡ଼ରେ ସାନଭାଇର ଶୋଚନୀୟ ମୃତ୍ୟୁ ଘଟିଛି। ବଡଭାଇ ସତ୍ୟବ୍ରତ ତ୍ରିପାଠୀ ସାନଭାଇ ଅମରେନ୍ଦ୍ର ତ୍ରିପାଠୀଙ୍କୁ ଶାବଳରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଛି। ବାସୁଦେବପୁର ପୁଲିସ ବଡଭାଇ ସତ୍ୟବ୍ରତକୁ ଅଟକ ରଖି ପଚରାଉଚୁରା କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ବାପା ମା’ଙ୍କ ଦେହାନ୍ତ ପରେ ଦୁଇ ଭାଇ ସତ୍ୟବ୍ରତ ଓ ଅମରେନ୍ଦ୍ର ମିଳିମିଶି ଟେଣ୍ଟ ବେପାର କରୁଥିଲେ। ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହେଉଥିବା ପଡୋଶୀଙ୍କ ଠାରୁ ଜଣାପଡିଛି। ସମ୍ପୃକ୍ତ ଦୁଇ ଭାଇଙ୍କ ମାନସିକ ଅବସ୍ଥା ସେତେଟା ଠିକ ନଥିବା ମଧ୍ୟ ସୂଚନା ମିଳିଛି। ତେବେ ଆଜି ସାନଭାଇ ଖାଉଥିବା ବେଳେ କୌଣସି କାରଣ ଯୋଗୁ ବଡଭାଇ ହଠାତ ସାନଭାଇକୁ ଶାବଳରେ ଆକ୍ରମଣ କରିଥିଲା। ସାନଭାଇ ମଧ୍ୟ ପାଲଟା ଆକ୍ରମଣ କରିଥିଲା କିନ୍ତୁ ଶାବଳ ମାଡ଼ ଯୋଗୁ ଘଟଣାସ୍ଥଳରେ ସାନଭାଇର ମୃତ୍ୟୁ ଘଟିଥିଲା। ପରେ ବଡଭାଇ ୧୦୮ ଆମ୍ବୁଲାନ୍ସରେ ସାନଭାଇକୁ ନେଇ ବାସୁଦେବପୁର ଡାକ୍ତରଖାନା ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରି ପୁଲିସକୁ ଖବର ଦେଇଥିଲେ।

Comments are closed.