ଫୁଲ ପ୍ରେମରେ ଯୁବ ସଫ୍ଟୱେୟାର୍ ଇଂଜିନିୟର

ଉଚ୍ଚଶିକ୍ଷା ଲାଭ କରି ଭଲ ଚାକିରିଟିଏ କରିବାର ଲକ୍ଷ୍ୟ ସମସ୍ତଙ୍କର ଥାଏ। ଆଜିର ଯୁବପିଢ଼ି ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ଶେଷ କରି ଦେଶବିଦେଶ ଯାଇ ରୋଜଗାର କରୁଥିବାର ଦେଖାଯାଉଛି। ହେଲେ ଏଇ ବିଦେଶୀ ରାଇଜର ଚାକଚକ୍ୟ ସମସ୍ତଙ୍କୁ ଆକର୍ଷଣ କରିପାରିନଥାଏ। କେତେଜଣ ସବୁବେଳେ ନିଜ ଦେଶମାଟିକୁ ଝୁରି ହେଉଥାନ୍ତି। ସେହିଭଳି ଚିନ୍ତାଧାରାର ଜଣେ ଯୁବକ ହେଲେ ମୋହିତ୍ ଚୌଧୁରୀ।

ରାଜସ୍ଥାନର ଧୋଲପୁରନିବାସୀ ମୋହିତ୍ ଏକ ନାମୀ କମ୍ପାନୀରେ ସଫ୍ଟୱେୟାର୍ ଇଂଜିନିୟର ଭାବେ କାମ କରୁଥିଲେ। ମୋଟା ଅଙ୍କର ଦରମା ପାଉଥିଲେ ସତ, କିନ୍ତୁ ମାନସିକ ଶାନ୍ତି ସେ ପାଉନଥିଲେ। ଗାଁକୁ ଫେରି ପରିବାର ଲୋକଙ୍କ ସହ ରହିବାକୁ ଚାହୁଁଥିଲେ ମୋହିତ୍। ହେଲେ ଗାଁକୁ ଫେରିବା ପରେ ରୋଜଗାର ବିଷୟରେ ଭାବି ସେ ଚାକିରି ଛାଡ଼ିପାରୁନଥିଲେ। ମୋହିତ୍‌ଙ୍କ ବାପା ରମେଶ ଚନ୍ଦ୍ର ଚୌଧୁରୀଙ୍କ ସମ୍ପତ୍ତି କିଛି କମ୍ ନଥିଲା। ୩ ଏକରରୁ ଅଧିକ ଜମି ଥିଲା ଓ ସେଥିରେ ନଡ଼ିଆ ଗଛ ସହ ଅନ୍ୟାନ୍ୟ ଚାଷ ଚାଲିଥିଲା।

ବହୁ ଭାବିବା ପରେ ମୋହିତ୍ ସ୍ଥିର କଲେ ଏଇ ପୈତୃକ ଜମିରେ ସେ ଅନ୍ୟ ଚାଷ କରିବେ। ଇଣ୍ଟରନେଟ୍ ସାହାଯ୍ୟ ନେଇ ସେ ପ୍ରଥମେ ଗେଣ୍ଡୁ ଫୁଲ ଚା​‌ଷ ଆରମ୍ଭ କଲେ। ଗେଣ୍ଡୁ ଫୁଲ ସହ ତାଇୱାନ୍‌‌ର ଅମୃତଭଣ୍ଡାର ଚାଷ ମଧ୍ୟ ଆରମ୍ଭ ହେଲା। ଅକ୍ଳାନ୍ତ ପରିଶ୍ରମ କଲେ ମୋହିତ୍, ସଫଳ ମଧ୍ୟ ହେଲେ। ବର୍ତ୍ତମାନ ସମୟରେ ଦିଲ୍ଲୀର ଗାଜିପୁର ମଣ୍ଡି ସହ ଗ୍ବାଲିୟର ଓ ଆଗ୍ରା ମଣ୍ଡିରେ ତାଙ୍କ ଗେଣ୍ଡୁ ଫୁଲର ଚାହିଦା ଦିନକୁଦିନ ବଢ଼ିବାରେ ଲାଗିଛି। କିଲୋ ପିଛା ଏଇ ଗେଣ୍ଡୁ ଫୁଲ ୧୦୦-୧୫୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଗତ ବର୍ଷ ଦୀପାବଳି ସମୟରେ ମୋହିତ୍ ଗେଣ୍ଡୁ ଫୁଲ ବ୍ୟବସାୟ କରି ଅଢ଼େଇ ଲକ୍ଷ ଟଙ୍କାର ଲାଭବାନ୍ ହୋଇଥିଲେ। ଏସବୁ ଗେଣ୍ଡୁ ଆକାରରେ ବଡ଼ ଓ ବେଙ୍ଗାଲୁରୁରୁ ଗେଣ୍ଡୁ ଚାରା ଆସିଥାଏ।

ଗେଣ୍ଡୁ ସହ ତାଇୱାନ୍ ଅମୃତଭଣ୍ଡାର ବିକ୍ରି ମଧ୍ୟ ବଢ଼ିବାରେ ଲାଗିଛି। ଏବେ ମୋହିତ୍ ଏହି ଚାଷ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରୁଛନ୍ତି। ଆଗାମୀ ଦିନରେ ସେ ଏଇ ଗେଣ୍ଡୁ ଫୁଲ ବ୍ୟବସାୟରୁ ବାର୍ଷିକ ୫୦ ଲକ୍ଷ ଟଙ୍କା ରୋଜଗାର କରିବାର ଲକ୍ଷ୍ୟରେ ଥିବାର କହିଛନ୍ତି। ଉଚ୍ଚଶିକ୍ଷିତ ହେବା ସହ ନିଜ ପରିବାର ଲୋକଙ୍କ ସହ ଗାଁରେ ରହି ଭଲ ରୋଜଗାର କରିପାରୁଛନ୍ତି, ଏହା ହିଁ ତାଙ୍କ ପାଇଁ ସବୁଠୁ ବଡ଼ କଥା ବୋଲି କହିଛନ୍ତି ମୋହିତ୍।

Comments are closed.