ଦିଲ୍ଲୀରେ ମିଳିଲାନି ଚିକିତ୍ସା, କରୋନାରେ ଆଖି ବୁଜିଲେ ଓଡ଼ିଶାର ଯୁବ ସଫ୍ଟୱେର ଇଞ୍ଜିନିୟର

ନୀଳଗିରି: ବାଲେଶ୍ୱର ଜିଲ୍ଲା ଅଧୀନ ନୀଳଗିରି ଉପଖଣ୍ଡର ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କର ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଔପଦା ବ୍ଲକ ସନ୍ତରାଗଡ଼ିଆ ନିକଟ ଶ୍ରୀଦେଇପୁର ଗାଁର ସୁକୁମାର ପରିଡ଼ା (୩୬) ଦିଲ୍ଲୀର ଗାଜିଆବାଦ ଅଞ୍ଚଳରେ ଥିବା ଏକ କମ୍ପାନୀରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। କିଛିଦିନ ହେବ ତାଙ୍କୁ ଜ୍ୱର ଲାଗି ରହିବାରୁ କାଲି ତାଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା। ରିପୋର୍ଟ ପଜିଟିଭ ଆସିବାରୁ ସେ ମେଡିକାଲରେ ଭର୍ତ୍ତି ହେବା ପାଇଁ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ମେଡ଼ିକାଲ ଯାଇଥିଲେ ମଧ୍ୟ କୌଣସି ଠାରେ ବେଡ଼ ମିଳି ନଥିଲା।

କାଲି ବିଳମ୍ବିତ ରାତିରେ ଦେହ ଅଧିକ ଅସୁସ୍ଥ ହେବାରୁ ସମ୍ପର୍କୀୟମାନେ ଏକ ମେଡିକାଲକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ମରଶରୀର ନିକଟରେ ତାଙ୍କ ସ୍ତ୍ରୀ ଓ ଦେଢ଼ ବର୍ଷର ପୁଅ ଅଛନ୍ତି। ଏହି ଦୁଃଖଦ ଖବର ଶୁଣିବା ପରେ ନୀଳଗିରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦିଲ୍ଲୀରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି।

Comments are closed.