ଦିବ୍ୟାଙ୍ଗ ଯୁବ କବି ହିମାଂଶୁ ପାଇବେ ପେନ ଇନ ବୁକ୍ସ ଯୁବ ଲେଖକ ସମ୍ମାନ

ପାଟଣା: ଘଟଗାଁ ବ୍ଲକ ତୋରାଣୀପୋଖରୀ ଗ୍ରାମର ମନୋରଞ୍ଜନ ମିଶ୍ରଙ୍କ ପୁଅ ହିମାଂଶୁ ଶେଖର ମିଶ୍ରଙ୍କ ନାମ ୨୦୨୦ ମସିହା ସମ୍ମାନଜନକ ‘ପେନ ଇନ ବୁକ୍ସ’ ଯୁବ ଲେଖକ ସମ୍ମାନ ପାଇଁ  ଘୋଷଣା କରାଯାଇଛି । ଏହି ଖବର ଆସିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

ସୂଚନାଯୋଗ୍ୟ, ପ୍ରକାଶନ ସଂସ୍ଥା ପେନ ଇନ ବୁକ୍ସ ତରଫରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ପାଇଁ ମଧ୍ୟ ଯୁବ ଲେଖକ ପୁରଷ୍କାର ଘୋଷିତ ହୋଇଛି। ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଲେଖାଲେଖି କରୁଥିବା ୧୦ ଜଣ ଯୁବ ଲେଖକଙ୍କୁ ନିଜର ପ୍ରକାଶିତ ପାଣ୍ଡୁଲିପି ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ତୋରାଣୀପୋଖରୀର ଯୁବଲେଖକ ଦିବ୍ୟାଙ୍ଗ ହିମାଂଶୁଙ୍କୁ ତାଙ୍କର କବିତା ପାଣ୍ଡୁଲିପି ‘ଟୋପାଏ ସମୁଦ୍ର‘ ପାଇଁ ପେନ ଇନ ବୁକ୍ସ ଯୁବ ଲେଖକ ଆୱାର୍ଡ଼ ୨୦୨୦ ପାଇଁ ଯୋଗ୍ୟ ବିବେଚିତ କରାଯାଇଛି । ହିମାଂଶୁ ୨୦୦୯ରେ +୨ ପଢୁଥିବା ସମୟରେ ଏକ ସଡକ ଦୁର୍ଘଟଣାରେ ତାଙ୍କର ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ସେହିଦିନଠାରୁ ହୁଇଲ ଚେୟାରରେ ଅନ୍ୟର ସହାୟତାରେ ଜୀବନ ବିତାଉଛନ୍ତି । ହେଲେ କବିତା ଲିଖନ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଏବଂ ପ୍ରବଳ ଇଛାଶକ୍ତି ଯୋଗୁଁ ସେ କେବେ ନିଜ ଲେଖା ବନ୍ଦ କରି ନାହାନ୍ତି। ତେବେ ରାଜ୍ୟସ୍ତରୀୟ ଏପରି ଏକ ଅନୁଷ୍ଠାନରୁ ତାଙ୍କ ଲେଖା ପାଇଁ ଏହି ସମ୍ମାନ ମିଳିଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ବିଭିନ୍ନ ମହଲରୁ ହିମାଂଶୁଙ୍କୁ ଶୁଭେଚ୍ଛା ଛୁଟୁଛି।

Comments are closed.