ବିଦ୍ୟୁତ୍ ଆଘାତରେ ଶ୍ରମିକ ମୃତ

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଠିଡିକାଯୋର ଗ୍ରାମରେ ବୁଧବାର ସକାଳେ ବିଦ୍ୟୁତ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏକ ଘର ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଶ୍ରମିକ ଜଣକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯିବାରୁ ଏପରି ଘଟଣା ଘଟିଛି। ମୃତ ଶ୍ରମିକ ହେଲେ ଅରୁଣ ବେହେରା(୨୨)। ତାଙ୍କ ଘର ହରଭଙ୍ଗା ଥାନା ଅର୍ନ୍ତଗତ ଖଣ୍ଡିଧଳପୁର।

ମିଳିଥିବା ସୂଚନା ଅନୁସାରେ, ଠିଡିକାଯୋର ଗ୍ରାମରେ ଏକ ଘର ନିର୍ମାଣ କାର୍ଯ୍ୟରେ ଜଣେ ଠିକାଦାରଙ୍କ ଅଧୀନରେ ଅରୁଣ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଆଜି ସକାଳେ ଅରୁଣ ବିମ୍ ନିର୍ମାଣ ପାଇଁ ବନ୍ଧା ହୋଇଥିବା ଲୁହାଛଡ ଫ୍ରେମର ରଡକୁ ଉପରେ ସିଧା କରୁଥିବା ସମୟରେ ଅସାବଧାନତାବଶତଃ ଲୁହା ଛଡଟି ପାଖରେ ଯାଇଥିବା ବିଦ୍ୟୁତ୍ ତାରରେ ଲାଗିଯାଇଥିଲା। ଫଳରେ ବିଦ୍ୟୁତ୍ ତାର ଆଘାତରେ ସେ ଗୁରୁତର ହୋଇପଡିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମୁମୂର୍ଷୁ ଅବସ୍ଥାରେ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ  ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇଛି। ଏ ନେଇ ପୁରୁଣାକଟକ ପୁଲିସ ଏକ ଅପମୃତ୍ୟୁ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତୁରନ୍ତ ମୃତ ଶ୍ରମିକଙ୍କ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇବାକୁ ଦାବି ହେଉଛି।

Comments are closed.