ଯୁବତୀଙ୍କୁ ଗଣ ବଳାତ୍କାର ଅଭିଯୋଗ ; ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର

ଖୋର୍ଦ୍ଧା: ଜଣେ ଯୁବତୀଙ୍କୁ କିଛି ଯୁବକ ବଳାତ୍କାର କରି ରାସ୍ତାକଡରେ ଫୋପାଡି ଦେଇଥିବା ନେଇ ଅଭିଯୋଗ ହୋଇଛି। ସମ୍ପୃକ୍ତ ଯୁବତୀଙ୍କୁ ୧୬ନମ୍ବର ଜାତୀୟ ରାଜପଥ କଡରେ ଥିବା ସ୍ପିନିଂ ମିଲି ନିକଟସ୍ଥ ମଶାଣୀରୁ ସ୍ଥାନୀୟ ଯୁବକମାନେ ଉଦ୍ଧାର କରିଛନ୍ତି। ନିକଟସ୍ଥ ଜେମାଦେଇ ଗ୍ରାମର ଜଣେ ଯୁବକ ଶିଳ୍ପାଞ୍ଚଳରୁ କାମ ସାରି ଫେରୁଥିବାବେଳେ ଯୁବତୀ ଜଣକ ମଶାଣି କଡରେ ଅଚେତ ହୋଇ ପଡିଥିବାର ଦେଖିବାକୁ ପାଇଥିଲେ। ପରେ ତାଙ୍କଠାରୁ ଖବର ପାଇ ଅନ୍ୟ ଯୁବକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯୁବକମାନେ ତାଙ୍କୁ ସାଷ୍ଟାମ କରିବା ପରେ ଏ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଯୁବତୀ ଜଣଙ୍କ ଘର ନୟାଗଡ ଜିଲା ଗଣିଆ ଅଞ୍ଚଳରେ ବୋଲି ପୁଲିସ ସୁତ୍ରରୁ ପ୍ରକାଶ। ଯୁବତୀଙ୍କ ବାପା ପୂର୍ବରୁ ବାଙ୍କୀ କଲେଜରେ ଚାକିରି କରିଥିଲେ। ସମ୍ପୃକ୍ତ ଯୁବତୀ ଜଣକ କିଛିଦିନ ପାଇଁ ବାଙ୍କୀ କଲେଜରେ କାର୍ଯ୍ୟରତ ଥିଲେ। ଦୀର୍ଘ ଦିନ ତଳୁ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଯାଇଛି। ଯୁବତୀ ଜଣଙ୍କ ନିଜ ମା’ଙ୍କ ସହ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ଶ୍ରୀବିହାରରେ ରହୁଥିଲେ। କୌଣସି କାର୍ଯ୍ୟକୁ ନେଇ ସେ ବୁଧବାର ଭୁବନେଶ୍ୱର ଯାଇଥିଲେ।
ଉଦ୍ଧାରକାରୀ ଯୁବକମାନଙ୍କ ସୁତ୍ରରୁ ପ୍ରକାଶ ଯେ, ଚେତା ଫେରିବା ପରେ ସମ୍ପୃକ୍ତ ଯୁବତୀ ଜଣଙ୍କ ଖଣ୍ଡଗିରି ଛକରୁ ଏକ କାରକୁ ଲିଫ୍ଟ ମାଗି ସେଥିରେ ଆସିଥିଲେ ବୋଲି ପ୍ରକାଶ କରିଥିଲେ। ସମ୍ପୃକ୍ତ ଯୁବତୀଙ୍କ ବୟସ ଆନୁମାନିକ ୩୦ ହେବ ବୋଲି ଜଣାଯାଇଛି। କାରଭିତରେ ଦୁଇଜଣ ଯୁବକ ଥିବାବେଳେ ସେମାନେ ତାଙ୍କ ସହିତ ଅନୈତିକ କାମ କରିଛନ୍ତି ବୋଲି ସେ ଉଦ୍ଧାରକାରୀ ଯୁବକଙ୍କ ଆଗରେ କହିଥିବାର ଜଣାଯାଇଛି। ଏ ସମ୍ପର୍କରେ ଖବର ପାଇ େଖାର୍ଦ୍ଧା ଏସପି ଅଜେୟପ୍ରତାପ ସ୍ବାଇଁ ହସପିଟାଲରେ ପହଞ୍ଚି ଯୁବତୀଙ୍କ ଅବସ୍ଥା ପଚାରି ବୁଝିଥିଲେ। ଏସପି ଶ୍ରୀ ସ୍ୱାଇଁ ଏ ସମ୍ପର୍କରେ ତଦନ୍ତ କରି ତାଙ୍କୁ ଜଣାଇବା ପାଇଁ ଖଣ୍ଡଗିରି ଥାନାକୁ ଜଣାଇଛନ୍ତି। ଏସପି ସାମ୍ବାଦିକଙ୍କୁ କହିଛନ୍ତି ଯେ, ଏବେ ଯୁବତୀଙ୍କ ମାନସିକ ସ୍ଥିତି ଭଲ ନାହିଁ। ସେ ସୁସ୍ଥ ହେବା ପରେ ତାଙ୍କୁ ପଚରାଉଚରା କରାଯିବ। ତାଙ୍କଠାରୁ ମିଳିବାକୁ ଥିବା ତଥ୍ୟ ଅନୁଯାୟୀ ପୁଲିସ ପକ୍ଷରୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ସ୍ୱାଇଁ କହିଛନ୍ତି।

Comments are closed.