ଷ୍ଟ୍ରବେରୀ ଚାଷ କରି ଯୁବ ଇଂଜିନିୟର ଲକ୍ଷପତି

ବିଦେଶରେ ଅନ୍ତର୍ଜାତୀୟ କମ୍ପାନୀରେ ଉଚ୍ଚ ପଦରେ କାର୍ଯ୍ୟରତ ସିଦ୍ଧାର୍ଥ ସିଂହ ନିଜ ଦେଶକୁ ଫେରିବାକୁ ଚାହୁଁଥିଲେ। ମାଟି ପ୍ରତି ମୋହ ଦିନକୁଦିନ ତାଙ୍କର ବଢ଼ିବାକୁ ଲାଗିଲା। ଶେଷରେ ଦିନେ ଆଉ ଆଗପଛ ନ ଭାବି ଚାକିରି ଛାଡ଼ି ନିଜ ଘରକୁ ଫେରିଆସିଲେ। ଉତ୍ତରପ୍ରଦେଶର ଗୋପାଲଖେଡ଼ା ଗ୍ରାମବାସିନ୍ଦା ସିଦ୍ଧାର୍ଥ ପୂର୍ବରୁ ଯୋଜନା କରିଥିଲେ ଉନ୍ନତ ପ୍ରଣାଳୀରେ ଚାଷ କରି ଭଲ ରୋଜଗାର କରିବା ନିମନ୍ତେ। ଏଥିପାଇଁ ଆବଶ୍ୟକ ଥିଲା ଅନ୍ୟର ପରାମର୍ଶ। ମାଉସୀ ପୁଅ ଭାଇମାନଙ୍କ ଉପଦେଶ ଗ୍ରହଣ କରି ସେ ଷ୍ଟ୍ରବେରୀ ଚାଷ କରିବେ ଯୋଜନା କଲେ। ଭାରତରେ ଷ୍ଟ୍ରବେରୀ ଚାଷ ହେଉଥିବା ହିମାଚଳ ଯାଇ ଭଲଭାବେ ଜ୍ଞାନ ଆହରଣ କରିବା ସହ ଇଂଲଣ୍ଡର ନଟିଂହାମ୍ ଯିବାକୁ ସିଦ୍ଧାର୍ଥ ପଛଘୁଞ୍ଚା ଦେଇନଥିଲେ।

୨୦୧୯ ଡିସେମ୍ବରରେ ୧ ଏକର ଜମିରେ ପ୍ରଥମକରି ସେ ଷ୍ଟ୍ରବେରୀ ଚାଷ ଆରମ୍ଭ କରିଥିବାର କହିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କର ୪ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। ଯେତେବେଳେ ଷ୍ଟ୍ରବେରୀ ବିକ୍ରି ଆରମ୍ଭ କଲେ, ଲାଭ ପରିମାଣ ଦେଖି ସେ ଖୁସି ହେବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ। ମାତ୍ର ୬ ମାସରେ ସିଦ୍ଧାର୍ଥ ୨୦ଲକ୍ଷ ଟଙ୍କା ଲାଭ କରିଥିବାର ପ୍ରକାଶ। ଷ୍ଟ୍ରବେରୀ ଚାଷ ପାଇଁ ଥଣ୍ଡା ପରିବେଶ ଅନୁକୂଳ, କିନ୍ତୁ ଭାରତରେ ଶୀତ ଋତୁରେ ଏହାର ଚାଷ ହେବାରେ କୌଣସି ଅସୁବିଧା ନାହିଁ। ଉନ୍ନତ ପ୍ରଣାଳୀରେ ​‌ସେ ଚାଷ କରି ସଫଳ ହୋଇପାରିଛନ୍ତି। ପାଖଆଖର ଅନ୍ୟ କୃଷକଭାଇମାନେ ଏବେ ସିଦ୍ଧାର୍ଥଙ୍କ ଠାରୁ ଷ୍ଟ୍ରବେରୀ ଚାଷର ତାଲିମ ନେଉଛନ୍ତି।

Comments are closed.