ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାରେ ଆଣିଛନ୍ତି ସ୍ୱର୍ଣ୍ଣ : ଆଥଲେଟ ଅର୍ପିତାଙ୍କ ଲକ୍ଷ୍ୟ-୨୦୨୪ ଅଲମ୍ପିକସ

ରାଉରକେଲା: ଜାତୀୟ ଓ ଅନ୍ତର୍ଜାତୀୟ ଆଥଲେଟିକସରେ ସ୍ୱର୍ଣ୍ଣପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ଅର୍ପିତା ଏବେ ୨୦୨୪ ଅଲମ୍ପିକସ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ସେକ୍ଟର-୬ରେ ରହୁଥିବା ପଙ୍କଜ କୁମାର ପରିଡ଼ା ଓ ପ୍ରତିମା ପରିଡ଼ାଙ୍କ କନ୍ୟା ଅର୍ପିତା ପିଲାଟି ଦିନରୁ ଖେଳରେ ଆଗୁଆ। ପାଠପଢ଼ା ସହିତ ଖେଳପ୍ରତି ତାଙ୍କର ଅହେତୁକ ଆଗ୍ରହ ଓ ନିଷ୍ଠା ତାଙ୍କୁ ସଫଳତାର ଏକ ନୂଆ ସୋପାନରେ ପହଞ୍ଚାଇଛି। ସଟପୁଟ ଓ ଡିସକସ ଥ୍ରୋରେ ଗୋଟିଏ ପରେ ଗୋଟିଏ ସଫଳତା ପାଇଛନ୍ତି। ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲର ଛାତ୍ରୀ ଥିବା ବେଳେ ବିଦ୍ୟାଳୟ ଓ ଜିଲାସ୍ତରୀୟ ପ୍ରତିଯୋଗିତାର ସଫଳତା ପାଇଥିଲେ। ଏବେ ସେ କେନ୍ଦ୍ରୀୟ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ସେ ରାଜ୍ୟରୁ ପ୍ରତିନିଧିତ୍ୱ କରି ଉତରପ୍ରଦେଶ ଓ ହରିଆନା ଆଦି ବିରୋଧରେ ଚମତ୍କାର ଖେଳ ପ୍ରଦର୍ଶନ କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି।

ଜାନୁଆରୀ ୨୦୨୧ରେ ଭୂଟାନ ବିରୋଧରେ ସେ ଖେଳିଥିଲେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ। ଉଲ୍ଲେଖନୀୟ ଖେଳ ପ୍ରଦର୍ଶନ କରିବା ସହିତ ସ୍ୱର୍ଣ୍ଣପଦକ ବିଜୟିନୀ ହୋଇଥିଲେ। ସେହିପରି ମାର୍ଚ୍ଚ ୨୦୨୧ରେ ନେପାଳରେ ଖେଳିଥିବା ଅନ୍ୟ ଅନ୍ତର୍ଜାତୀୟ ମ୍ୟାଚ ତାଙ୍କ ପାଇଁ ଥିଲା ସ୍ମରଣୀୟ। ଏହି ମ୍ୟାଚରେ ସଫଳତାର ଧାରାକୁ ବଜାୟ ରଖିବା ସହିତ ସ୍ୱର୍ଣ୍ଣପଦକ ବିଜୟୀ ହୋଇ ଦେଶ ପାଇଁ ଗୌରବ ଆଣିଥିଲେ। ଏହା ସହିତ ଆଉ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି। ନେପାଳ ଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ବିଦ୍ୟାଳୟ ଖେଳ ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆଗାମୀ ଅଗଷ୍ଟରେ ହେବାକୁ ଥିବା ଏହି ପ୍ରତିଯୋଗିତା କରୋନା ମହାମାରୀ ପାଇଁ ନଭେମ୍ବର ମାସରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ସଫଳତା ପାଇଁ ସେ ପ୍ରସ୍ତୁତି କରୁଛନ୍ତି।

ତେବେ ତାଙ୍କର ପ୍ରମୁଖ ଲକ୍ଷ୍ୟ ହେଉଛି ୨୦୨୪ ଅଲମ୍ପିକରେ ଦେଶ ପାଇଁ ଗୌରବ ଆଣିବା। ପିଲାଟି ଦିନରୁ ପରିବାରର ପ୍ରୋତ୍ସାହନ, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହାୟତା,ପାନପୋଷ କ୍ରୀଡ଼ା ସଙ୍ଗଠନ ଭଳି କ୍ରୀଡ଼ା ଅନୁଷ୍ଠାନ ତାଙ୍କ ସଫଳତା ପାଇଁ ମାର୍ଗ ଦର୍ଶନ କରିଛି। ବିଶେଷକରି ତାଙ୍କ ପ୍ରଶିକ୍ଷକ ଅଶୋକ ପ୍ରସାଦଙ୍କ ସୁଦକ୍ଷ ପ୍ରଶିକ୍ଷଣ ତାଙ୍କୁ ଗୋଟିଏ ପରେ ଗୋଟିଏ ସଫଳତା ଦେଉଥିବା ସେ କହିଛନ୍ତି। ଇଉରୋପର ପ୍ରସିଦ୍ଧ ଖେଳାଳୀ ତଥା ଡିସକସ ଥ୍ରୋର ରାଣୀ ଭାବେ ପରିଚିତ ସାନ୍ଦ୍ରା ହେଉଛନ୍ତି ତାଙ୍କ ପ୍ରରେଣାର ଉତ୍ସ। ବର୍ତମାନ କରୋନା ମହାମାରୀ ଉପଯୁକ୍ତ ଅଭ୍ୟାସ ପାଇଁ ବାଧା ସୃଷ୍ଟି କରିଛି। ନିଜ ଘର ସମ୍ମୁଖରେ ଥିବା ପଡ଼ିଆରେ ପିଚ୍‍ ପ୍ରସ୍ତୁତ କରି ପ୍ରତ୍ୟେହ ସେ ଅଭ୍ୟାସ କରୁଛନ୍ତି। ପାଖରେ ଥିବା ପାହାଡ଼ ଉପରେ ଅଭ୍ୟାସ ପାଇଁ ଆଉ ଏକ ଭିତିଭୂମି ସହାୟତା କରୁଛି ବୋଲି ଅର୍ପିତା କହିଛନ୍ତି।

Comments are closed.