ଯାନ୍ତ୍ରିକ ପାଠପଢ଼ା

ୟୁଟ୍ୟୁବ୍‌ ମାଧ୍ୟମରେ ପାଠପଢ଼ା ଶିକ୍ଷାର୍ଥୀ ଓ ଶିକ୍ଷକଙ୍କ ପାଇଁ କେବଳ ଅସୁବିଧାଜନକ ନୁହେଁ, ଏହା ଅର୍ଦ୍ଧାଧିକଙ୍କ ପାଇଁ ଦୁର୍ଲଭ ମଧ୍ୟ

ଗତ ୨୧ ଜୁନରୁ ରାଜ୍ୟର ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ୟୁଟ୍ୟୁବ୍‌ରେ ପାଠପଢ଼ା ଆରମ୍ଭ ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୭ ଜୁଲାଇ ଓ ନବମ-ଦଶମ ପିଲାଙ୍କୁ ୩୧ ଜୁଲାଇ ଯାଏ ଶିକ୍ଷାଦାନ ନିମନ୍ତେ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ତେବେ ଗତ ଚାରି ଦିନର ଏହି ଯାନ୍ତ୍ରିକ ପାଠପଢ଼ା ଏହାର ଅନେକ ଦୋଷ ଦୁର୍ବଳତାକୁ ପଦାକୁ ଆଣିଛି। ଅନ୍‌ଲାଇନ୍‌ ଶିକ୍ଷା ଶ୍ରେଣୀକକ୍ଷ ଶିକ୍ଷାର ଆଦୌ ଏକ ବିକଳ୍ପ ନୁହେଁ, ଏହା ବହୁ ଅନୁଧ୍ୟାନରୁ ପୂର୍ବରୁ ପ୍ରମାଣିତ ହୋଇସାରିଛି। ଗୋଟିଏ ଦିଗରୁ ଯୋଗାଯୋଗ ହୋଇପାରୁଥିବା ୟୁଟ୍ୟୁବ୍‌ ପାଠପଢ଼ା ଜୁମ୍‌, ଗୁଗୁଲ୍‌ ମିଟ୍‌ ଭଳି ଉଭୟ ଦିଗ ଯୋଗାଯୋଗସଂପନ୍ନ ବ୍ୟବସ୍ଥାରେ ପଢ଼ାଠାରୁ କମ୍‌ ସୁବିଧାଜନକ ଓ ଉପଯୋଗୀ। ତେଣୁ ୟୁଟ୍ୟୁବ୍‌ରେ ପାଠ ପଢ଼ାଇବାକୁ କାହିଁକି କୁହାଗଲା, ତାହା ବୁଝିବା କଷ୍ଟ। ଘରୋଇ ବିଦ୍ୟାଳୟଗୁଡ଼ିକ ଉଭୟ ପଟୁ ଯୋଗାଯୋଗ ହୋଇପାରୁଥିବା ମାଧ୍ୟମରେ ହିଁ ପାଠ ପଢ଼ାଉଛନ୍ତି; କାରଣ ଆବଶ୍ୟକବେଳେ ଛାତ୍ରଛାତ୍ରୀ ଓ ଶିକ୍ଷକ ମୁହାଁମୁହିଁ ଆଲୋଚନା ମଧ୍ୟ କରିପାରୁଛନ୍ତି। ଅବଶ୍ୟ ବାର୍ତ୍ତାପ୍ରଦାନ ମାଧ୍ୟମରେ ପିଲାଏ ବୁଝିପାରୁନଥିବା ପାଠ ବିଷୟରେ ଶିକ୍ଷକଙ୍କୁ ପଚାରୁଛନ୍ତି ବୋଲି କୁହାଯାଉଛି; କିନ୍ତୁ ଏହି ବ୍ୟବସ୍ଥା ଯେ ଆଦୌ ଶିକ୍ଷାଦାନ ଓ ଗ୍ରହଣ ପାଇଁ ଅନୁକୂଳ ନୁହେଁ ଏହା ସମସ୍ତଙ୍କର ହୃଦ୍‌ବୋଧ ହେଲାଣି।
ଆମ ରାଜ୍ୟରେ ପ୍ରଥମରୁ ଦଶମ ୧୦ଟି ଶ୍ରେଣୀରେ ପ୍ରାୟ ୬୬ ଲକ୍ଷ ବିଦ୍ୟାର୍ଥୀ ଅଛନ୍ତି; କିନ୍ତୁ ବର୍ତ୍ତମାନ ସୁଦ୍ଧା ୟୁଟ୍ୟୁବ୍‌ ସହ ଯୋଡ଼ି ହୋଇଛନ୍ତି ମାତ୍ର ୧୦ ଲକ୍ଷ ପାଖାପାଖି; ଅର୍ଥାତ୍‌ ଅର୍ଦ୍ଧାଧିକ ପିଲା ଏ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ସହ ହିଁ ଯୋଡ଼ି ହୋଇନାହାନ୍ତି। ପିଲା ଓ ଅଭିଭାବକ ନବମ ଓ ଦଶମ ଶ୍ରେଣୀକୁ ଅଧିକ ଗୁରୁତ୍ବ ଦେଉଥିବାରୁ ଏହି ଦୁଇ ଶ୍ରେଣୀରେ ହିଁ ପ୍ରାୟ ଚାରି ଲକ୍ଷ ପିଲା ଏହି ମାଧ୍ୟମ ସହ ଯୋଡ଼ି ହୋଇଛନ୍ତି; ତେଣୁ ବାକି ଆଠଟି ​‌େ​‌ଶ୍ରଣୀରେ ପ୍ରାୟ ୬ ଲକ୍ଷରୁ କିଛି ଅଧିକ ପିଲା ଅଛନ୍ତି। ଏଥିରୁ ଅନ୍‌ଲାଇନ୍‌ରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ବିପର୍ଯ୍ୟୟ ସ୍ଥିତିକୁ ସହଜରେ ଅନୁମାନ କରିହେବ। ଏହି ଶିକ୍ଷା ବ୍ୟବସ୍ଥାର ସବୁଠୁ ବଡ଼ ସମସ୍ୟା ହେଲା ସ୍ମାର୍ଟଫୋନ୍ ଓ ଦ୍ରୁତ ଇଣ୍ଟର୍‌ନେଟ୍‌ ସଂଯୋଗ ବିନା ଏହା ଅସମ୍ଭବ। ପ୍ରାୟ ୫୦ ଶତାଂଶରୁ ଅଧିକ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ କିମ୍ବା ଇଣ୍ଟରନେଟ୍‌ ସଂଯୋଗ ନାହିଁ। ସେହିପରି ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ପାଇଁ ନେଟ୍‌ୱାର୍କ ସମସ୍ୟା ଅତି ସାଧାରଣ। ଦ୍ରୁତ ଇଣ୍ଟରନେଟ୍‌ ବିନା ୟୁଟ୍ୟୁବ୍‌ ଚାଲେନାହିଁ। ଇଣ୍ଟର୍‌ନେଟ୍‌ ଡାଟା କ୍ରୟ ପାଇଁ ଅର୍ଥାଭାବ ଅସ୍ବଚ୍ଛଳ ପରିବାରର ବହୁ ଛାତ୍ରଛାତ୍ରୀଙ୍କୁ ଏହି ବ୍ୟବସ୍ଥାରୁ ଦୂରେଇ ରଖିଛି। ଏପରି ସ୍ଥିତିରେ ଏହି ଯାନ୍ତ୍ରିକ ପାଠପଢ଼ାର ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ।
ଏବେ ପିଲାଙ୍କ ଭିତରେ ପାତରଅନ୍ତର କରାଯାଇଥିବାର ଏକ ଅଭିଯୋଗ ଆସିଛି, ଯାହା ବାଞ୍ଛନୀୟ ନୁହେଁ। ସରକାର ପ୍ରଥମରୁ ପଞ୍ଚମ ପିଲାଙ୍କ ପାଇଁ ଉଳ, ଷଷ୍ଠରୁ ଅଷ୍ଟମ ପିଲାଙ୍କୁ ଉତ୍‌ଥାନ, ନବମ ପିଲାଙ୍କ ପାଇଁ ଉତ୍କର୍ଷ ପାଠ୍ୟକ୍ରମ ଏବଂ ଦଶମ ଶ୍ରେଣୀ ପିଲାଙ୍କୁ ସିଧାସଳଖ ପାଠ୍ୟପୁସ୍ତକରୁ ପଢ଼ାଇବାର ବ୍ୟବସ୍ଥା କରିଛନ୍ତି। ତେବେ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଉତ୍କର୍ଷ ପାଠ୍ୟବହି ପ୍ରଦାନ କରାଯାଇଥିବାବେଳେ ଅନୁଦାନପ୍ରାପ୍ତ ଓ ଅପ୍‌ଗ୍ରେଡେଡ୍‌ ବିଦ୍ୟାଳୟର ପିଲାଙ୍କୁ ଏହା ଦିଆଯାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। କାହିଁକି ଏପରି ବିସଙ୍ଗତି ରହିଛି, ବିଭାଗୀୟ ମନ୍ତ୍ରୀ ଏ ବିଷୟରେ ଅନୁସନ୍ଧାନ କରି ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ଏବେ ମାଧ୍ୟମିକ ଶିକ୍ଷା ପରିଷଦ ଚଳିତ ଶିକ୍ଷାବର୍ଷରେ ମଧ୍ୟ ଗତବର୍ଷ ପରି ନବମ ଓ ଦଶମ ଶ୍ରେଣୀର ପାଠ୍ୟକ୍ରମକୁ ୩୦ ଶତାଂଶ ହ୍ରାସ କରିଛନ୍ତି। କରୋନା ଯୋଗୁଁ ପିଲାଙ୍କ ପାଠପଢ଼ା ଗୁରୁତର ବାଧାପ୍ରାପ୍ତ ହୋଇଥିବାରୁ ଏହା ନିଶ୍ଚୟ ସ୍ବାଗତଯୋଗ୍ୟ। ତେବେ ୟୁଟ୍ୟୁବ୍‌ ଓ ଅନ୍ୟାନ୍ୟ ଯାନ୍ତ୍ରିକ ମାଧ୍ୟମ ପାଠପଢ଼ା ବିଫଳ ପ୍ରତୀତ ହେଉଥିବାରୁ କରୋନା ସଂକ୍ରମଣ ହ୍ରାସପରେ ବିଦ୍ୟାଳୟ ଖୋଲି ସାମାଜିକ ଦୂରତା ଓ ଅନ୍ୟାନ୍ୟ କଟକଣା ଭିତରେ ଶିକ୍ଷାଦାନ କରିବାକୁ ବିଭିନ୍ନ ମହଲରୁ ଯେଉଁ ମତପ୍ରକାଶ ପାଉଛି, ତା’ ଉପରେ ମଧ୍ୟ ସରକାର ବିଚାର କରନ୍ତୁ। ଆଉ ଅଧିକ ଦିନ ପିଲାଙ୍କୁ ଶିକ୍ଷାରୁ ବଞ୍ଚିତ କରି ରଖାଯାଇପାରିବ ନାହିଁ।
ଅନ୍ୟପକ୍ଷରେ ଗୁରୁବାର ଉଚ୍ଚତମ ନ୍ୟାୟାଳୟ ସମଗ୍ର ଦେଶରେ ଦ୍ବାଦଶ ଶ୍ରେଣୀ ମୂଲ୍ୟାୟନ ପଦ୍ଧତି ସମାନ ହୋଇପାରିବ ନାହିଁ ବୋଲି କହିଛନ୍ତି ଏବଂ ରାଜ୍ୟଗୁଡ଼ିକର ଶିକ୍ଷା ପରିଷଦଙ୍କୁ ୩୧ ଜୁଲାଇ ସୁଦ୍ଧା ଅନ୍ତରୀଣ ମୂଲ୍ୟାୟନ ମାଧ୍ୟମରେ ଫଳ ଘୋଷଣା କରିବାକୁ ନିର୍ଦେଶ ଦେଇଛନ୍ତି। ବିଶେଷଜ୍ଞ ସମିତି ସାହାଯ୍ୟରେ ରାଜ୍ୟଗୁଡ଼ିକ ନିଜ ଅନୁସାରେ ଆସନ୍ତା ଦଶଦିନ ମଧ୍ୟରେ ମୂଲ୍ୟାୟନ ପଦ୍ଧତି ସ୍ଥିର କରିବେ ବୋଲି ଅଦାଲତ କହିଛନ୍ତି, ଯାହା ଯଥାର୍ଥ ମନେହୁଏ। ସୂଚନାଯୋଗ୍ୟ ଯେ ୨୮ଟି ରାଜ୍ୟ ମଧ୍ୟରୁ ଛଅଟି ରାଜ୍ୟ ଦ୍ବାଦଶ ଶ୍ରେଣୀର ପରୀକ୍ଷା କରାଇଥିବାବେଳେ ଓଡ଼ିଶା ସମେତ ୧୮ଟି ରାଜ୍ୟ ପରୀକ୍ଷା ରଦ୍ଦ କରିସାରିଛନ୍ତି। ପଞ୍ଜାବ, ତ୍ରିପୁରା ଓ ଆନ୍ଧ୍ରପ୍ରଦେଶ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି।

Comments are closed.