ଯୋଜନ ଦୂରରେ ସରକାରୀ ଯୋଜନା: ବିକାଶ ଯେଉଁଠି ସାତ ସପନ

ମ.ରାମପୁର: କଳାହାଣ୍ଡି ଜିଲା ମ.ରାମପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସରକାରୀ ଯୋଜନା ଆଜି ବି ଅପହଞ୍ଚ ପାଲଟିଛି। ଫଳରେ ଅଞ୍ଚଳରେ ବିକାଶ ଏବେ ବି ବହୁ ଦୂରରେ। ମ.ରାମପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ବାରବନ୍ଧା, ମାଣିକେରା, ଡୁଡୁକାରଞ୍ଜା, ମୋହନଗିରି, ସିଂହପୁର, ଲୁବେନଗଡ, ଦେଢଶୁଳି ପଞ୍ଚାୟତରେ ବହୁ ଗାଁରେ ସରକାରଙ୍କ ବିଭିନ୍ନ ଯୋଜନାରୁ ଲୋକେ ବଞ୍ଚିତ ହେଉଛନ୍ତି।

ଲୁବେନଗଡ, ଦେଢଶୁଳି ପଞ୍ଚାୟତରେ ବିଭିନ୍ନ ଗାଁରେ ସରକାରଙ୍କ ଯୋଜନା ପହଞ୍ଚିପାରୁନାହିଁ। ସରକାରଙ୍କ ଆବାସ ଯୋଜନା, ସ୍ୱଚ୍ଛ ଭାରତ ମିଶନ, ସମନ୍ୱିତ ଶିଶୁ ବିକାଶ ଯୋଜନା, ସ୍ୱାସ୍ଥ୍ୟ ସେବା, ସଡକ ଯୋଜନା, ସୌଭାଗ୍ୟ ଯୋଜନା, ବିଭିନ୍ନ ଭତ୍ତା ଏମାନଙ୍କ ପାଇଁ ସାତସପନ ପାଲଟିଛି।
ମାଣିକେରା ପଞ୍ଚାୟତଠାରୁ ୧୨ କିମି ଦୂରରେ ପଡେ ରାଜସ୍ୱ ଗ୍ରାମ ରାକ୍ଷାସବନ୍ଧ। ଏହି ଗାଁରେ ମାତ୍ର ୩ଟି ପରିବାର ରହନ୍ତି। ପୂର୍ବରୁ ୧୨ରୁ ୧୫ ପରିବାର ଥିବା ଏହି ଗାଁକୁ ଛାଡି ଅନ୍ୟମାନେ ଅନ୍ୟ ସବୁ ଅଞ୍ଚଳକୁ ଯାଇ ବସତି ସ୍ଥାପନ କରିଛନ୍ତି। ରାକ୍ଷାସବନ୍ଧ ଗାଁଠାରୁ ୩ କିମି ପାଦରେ ପାହାଡିଆ ରାସ୍ତାରେ ଚାଲିଚାଲି ଗଲା ପରେ ରହିଛି ଟୁଡାପଡା ଗାଁ। ଏହି ଗାଁରେ ୨୦ଟି ପରିବାର ରହନ୍ତି। ହେଲେ ଗାଁକୁ ଯିବାକୁ ରାସ୍ତା ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି।

ଫଳରେ ଏଠାକାର ଲୋକେ ନିକଟସ୍ଥ ନାଳର ଦୂଷିତ ପାଣି ଉପରେ ନିର୍ଭର କରିଥାନ୍ତି। ହେଲେ ଅନେକ ସମୟରେ ପେଟ ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ହେଲେ ଗାଁରେ ଗୋଟିଏ ନଳକୂପ ଅଛି, ସେଥିରୁ ବାହାରୁଥିବା ପାଣି ଦୂଷିତ ହୋଇଥିବାରୁ ପିଇବା ଉପଯୋଗୀ ନୁହେଁ।

ଏହି ଗାଁର ଆରମ୍ଭରେ ଦୁଇଟି ନାଳର ସଙ୍ଗମସ୍ଥଳୀ ରହିଛି। ସେଠାରୁ ପ୍ରାୟ ୫ କିମି ଜଙ୍ଗଲ ରାସ୍ତାରେ ଗଲେ ପଡେ ଆଉ ଏକ ଆଦିବାସୀ ଗାଁ କୁର୍ତେଲ। ଏହି ଗାଁରେ ୨୦ ପରିବାରର ଏକ ଶହରୁ ଊର୍ଦ୍ଧ୍ୱ ଲୋକ ୩ଟି ଛୋଟିଆ ବସ୍ତି କରି ରହନ୍ତି। ଏହି ଗାଁର ଛାତ୍ରଛାତ୍ରୀ ବାହାରେ ବିଭିନ୍ନ ଆଶ୍ରମ ବିଦ୍ୟାଳୟରେ ରହି ପାଠପଢୁଥିବା ବେଳେ ଶିକ୍ଷା ବ୍ୟବସ୍ଥା ନଥିବାରୁ କେତେକ ପାଠନପଢି ଘରେ ରହୁଛନ୍ତି। ସ୍ୱାସ୍ଥ୍ୟସେବା ପାଇଁ ଏହି ଅଞ୍ଚଳରେ ଲୋକେ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି। ହେଲେ ମ.ରାମପୁରକୁ ଆସିବାକୁ ହେଲେ ରାକ୍ଷାସବନ୍ଧ ପର୍ଯ୍ୟନ୍ତ ରୋଗୀକୁ ଦୋଳାରେ ବୋହି ଆଣିଥାନ୍ତି ଏବଂ ପରେ ସେଠାରୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ବାଇକରେ ବହୁତ କଷ୍ଟରେ ନେଇଥାନ୍ତି। ବର୍ଷା ଦିନରେ ଅନେକ ସମୟରେ ମଝିରେ ନାଳ ଯାଇଥିବାରୁ ନାଳର ପ୍ରଖର ସ୍ରୋତରେ ଜୀବନହାନୀ ଘଟିଥିବା ମଧ୍ୟ ନଜିର ଅଛି।


କୁର୍ତେଲକୁ ପ୍ରାୟ ୨ କିମି ଜଙ୍ଗଲ ରାସ୍ତାରେ ଗଲେ ପାହାଡ ଶିଖରରେ ରହିଛି ପୋଇଝିରି ଗାଁ। ଏଠାରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଅଛି। ଏହି ବିଦ୍ୟାଳୟରେ ୨୫ ଜଣ ଛାତ୍ରଛାତ୍ରୀଙ୍କୁ ୨ ଜଣ ଶିକ୍ଷକ ଅଛନ୍ତି। ୧ମରୁ ୫ମ ଶ୍ରେଣୀ ଯାଏଁ ରହିଛି। ପ୍ରାକ୍‌ ଶିକ୍ଷା ବ୍ୟବସ୍ଥା ପାଇଁ ଅଙ୍ଗନବାଡି କେନ୍ଦ୍ର ରହିଥିବାବେଳେ ସେଠାରୁ ସବୁବେଳେ ସେବା ପାଇପାରୁନଥିବା ପ୍ରକାଶ କରିଛନ୍ତି କିଛି ଗ୍ରାମବାସୀ। ୨୧ ପରିବାରର ପ୍ରାୟ ୧୫୦ ଜନସଂଖ୍ୟାର ଏହି ଗାଁରେ ସୋଲାରରେ ବିଦ୍ୟୁତ୍‌ ବ୍ୟବସ୍ଥା ହୋଇଛି, ହେଲେ ପାଣି ପାଇଁ ଗାଁ ପାଖ ନାଳ ହିଁ ସେମାନଙ୍କ ପାଇଁ ଭରସା। ସ୍ୱାସ୍ଥ୍ୟସେବା ପାଇବା ପାଇଁ ଏମାନେ ଏଠାରୁ ୮ କିମି ଗଣ୍ଡିଗୁଡାକୁ ଯାଇ ସେଠାରୁ ସାଙ୍କୁଶ ରାସ୍ତା ଦେଇ ଉର୍ଲାଦାନୀ ଗାଁକୁ ଯାଇଥାନ୍ତି। ହେଲେ ବର୍ଷା ଦିନେ ସାଙ୍କୁଶ ନଦୀରେ ପାଣି ହେଲେ ୪ ମାସ ଉର୍ଲାଦାନୀକୁ ଯିବା ସଂପୂର୍ଣ୍ଣ ବନ୍ଦ ହୋଇଯାଏ। ଏହି ଗାଁ ପୂର୍ବରୁ ଉର୍ଲାଦାନୀ ପଞ୍ଚାୟତ ଅଧୀନରେ ଥିବା ବେଳେ ବର୍ତ୍ତମାନ ଲୁବେନଗଡ ପଞ୍ଚାୟତ ଅଧୀନରେ ଅଛି। ରାସନସାମଗ୍ରୀ ପାଇଁ ଉର୍ଲାଦାନୀ ଉପରେ ନିର୍ଭର କରିଥାନ୍ତି। ଏହି ଅଞ୍ଚଳରେ ସ୍ୱାସ୍ଥ୍ୟ, ଗମନାଗମନ, ଶିକ୍ଷା ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିବା ବେଳେ ସମାଧାନ କେବେ ହେବ ବୋଲି ଅନାଇ ବସିଛନ୍ତି  ଅଞ୍ଚଳବାସୀ। ରାଜନେତାଠାରୁ ଆରମ୍ଭ କରି ପ୍ରଶାସନକୁ ବାରମ୍ବାର ଜଣାଇଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ। ତେଣୁ ଏହି ଅଞ୍ଚଳର ଲୋକେ ନିଜ ଭାଗ୍ୟକୁ ଆଦରି ଅଗମ୍ୟ ଅଞ୍ଚଳରେ ପଡି ରହିଛନ୍ତି।

Comments are closed.