ଡ଼ାକ୍ତରୀ ପ୍ରବେଶିକାରେ ଟପ୍ପର ପ୍ରସଙ୍ଗ: ଆକାଂକ୍ଷାଙ୍କୁ ଯୁଗ୍ମ ଟପ୍ପର ଘୋଷଣା ଲାଗି ଏନ୍ଇଇଟି ନିକଟରେ ଫେରାଦ ହେବେ ଉତ୍ତରପ୍ରଦେଶ ସରକାର

ଲକ୍ଷ୍ନୌ: ଏନଇଇଟି (ଡ଼ାକ୍ତରୀ ପ୍ରବେଶିକା ପରୀକ୍ଷା)ରେ ଟପ୍ପର ପ୍ରସଙ୍ଗକୁ ନେଇ ବିବାଦରେ ଉତ୍ତରପ୍ରଦେଶ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ୭୨୦ରୁ ୭୨୦ ନମ୍ବର ରଖିଥିବା ସତ୍ବେ ଏନଇଇଟି ପରୀକ୍ଷାଫଳ ତାଲିକାରେ ଦ୍ବିତୀୟ ସ୍ଥାନରେ ଥିବା ଆକାଂକ୍ଷା ସିଂହଙ୍କୁ ଯୁଗ୍ମ ପ୍ରଥମ ସ୍ଥାନରେ ରଖିବା ନିମନ୍ତେ ଉତ୍ତରପ୍ରଦେଶ ସରକାର ଏନଇଇଟିକୁ ଚିଠି ଲେଖିବେ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି । ଏହା ସହ ଆକାଂକ୍ଷାଙ୍କର ଶିକ୍ଷା ନିମନ୍ତେ ରାଜ୍ୟ ସରକାର ବହନ କରିବେ ଏବଂ ତାଙ୍କ ଘରକୁ ଯାଉଥିବା ରାସ୍ତାର ମରାମତି କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି । ବୁଧବାର ଆକାଂକ୍ଷା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ । ଏହି ଅବସରରେ ଆଦିତ୍ୟନାଥ ତାଙ୍କୁ ଓ ତାଙ୍କ ପିତାମାତାଙ୍କୁ ସମ୍ମାନିତ କରିବା ସହ ସେ ରାଜ୍ୟର ଝିଅମାନଙ୍କ ନିମନ୍ତେ ଅଦର୍ଶ ବୋଲି କହିଥିଲେ ।

ସୂଚନାଯୋଗ୍ୟ ଯେ ରାଉରକେଲାର ସୋଏବ ଓ ଆକାଂକ୍ଷା ୭୨୦ ନମ୍ବର ମଧ୍ୟରୁ ୭୨୦ ନମ୍ବର ରଖିଥିଲେ । ମାତ୍ର ବୟସରେ ଅଧିକ ଥିବା ପରୀକ୍ଷାର୍ଥୀଙ୍କୁ ପ୍ରଥମ ସ୍ଥାନରେ ରଖାଯିବାର ଏନଇଇଟିର ନିୟମ ଦୃଷ୍ଟିରୁ ସୋଏବଙ୍କୁ ଟପ୍ପର ଘୋଷଣା କରାଯାଇଥିଲା। ଏହାକୁ ନେଇ ସୋସିଆଲ ମିଡ଼ିଆରେ ବିବାଦ ସୃଷ୍ଟି ହୋଇଥିଲା ।

Comments are closed.