ଯୋଗୀ ଆଦିତ୍ୟନାଥଙ୍କ ସମ୍ମୁଖରେ ମୁଣ୍ଡ ନୁଆଇଁ ବିବାଦରେ ପୁଲିସ ଅଧିକାରୀ

0

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ମୁଖରେ ନତମସ୍ତକ ହେବାର ଫଟୋ ସାମଜିକ ଗଣମାଧ୍ୟମରେ ଭାଏରାଲ ହେବା ପରେ ଜଣେ ପୁଲିସ ଅଧିକାରୀ ବିବାଦୀୟ ହୋଇପଡିଛନ୍ତି। ଗୋରଖପୁରର ଗୋରଖନାଥ ଅଞ୍ଚଳରେ ସର୍କଲ ଅଧିକାରୀ ପ୍ରବୀଣ କୁମାର ସିଂହ ଫଟୋଟିରେ ସେ ଆଣ୍ଠୁଭାଙ୍ଗି ବସିବା ସହିତ ବିନମ୍ର ହାତ ଯୋଡି ଆଦିତ୍ୟନାଥଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଥିବା ଦେଖିବାକୁ ମିଳୁଛି। ସିଂହ ନିଜେ ଏହି ଫଟୋଟିକୁ ନିଜ ଫେସ୍‍ବୁକ୍‍ ଆକାଉଣ୍ଟରେ ସେୟାର କରିବା ପରେ ତାହା ଭାୟରାଲ ହୋଇଥିଲା। ଗୁରୁପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ତଥା ଗୋରଖନାଥ ମନ୍ଦିରର ପୂଜକଙ୍କଠାରୁ ଆଶିଷ ଲାଭ କରିଥିବା ସେ ଉକ୍ତ ଫଟୋ ତଳେ ଉଲ୍ଲେଖ କରିଥିଲେ। ସେ ଆଦିତ୍ୟନାଥଙ୍କୁ ପୁଷ୍ପମାଳ ପିନ୍ଧାଇବା ତଥା ତିଳକ ଲଗାଇବାର ଫଟୋ ମଧ୍ୟ ରହିଛି। ପୁଲିସ ପୋଷାକରେ ସେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଏଭଳି ନତମସ୍ତକ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା। ସିଂହ କହିଛନ୍ତି, ତାଙ୍କୁ ଗୋରଖନାଥ ମନ୍ଦିରରେ ମୁତୟନ କରାଯାଇଥିଲା। ନିଷ୍ଠାର ସହିତ କାର୍ଯ୍ୟ ଶେଷ କରିବା ପରେ ସେ ପୁଲିସ ବେଲ୍‍ଟ, ଟୋପି ଏବଂ ଅନ୍ୟାନ୍ୟ ସରକାରୀ ସାମଗ୍ରୀ ଶରୀରରୁ ବାହାର କରିଥିଲେ। ପରେ ରୁମାଲରେ ମୁଣ୍ଡକୁ ଢାଙ୍କି ପୀଠାଧିଶ୍ୱର ମହନ୍ତ ଯୋଗୀ ଆଦିତ୍ୟନାଥଙ୍କଠାରୁ ଆଶିର୍ବାଦ ଗ୍ରହଣ କରିଥିଲେ। ଏହି ସ୍ପଷ୍ଟୀକରଣ ପରେ ସିଂହ ତାଙ୍କ ଫେସବୁକ୍‍ ଆକାଉଣ୍ଟରୁ ଉକ୍ତ ଫଟୋଗୁଡିକ ବାଦ୍‍ ଦେଇଛନ୍ତି। ଉଲ୍ଲେଖ ଯେ, ଜନୈକ ସାଧୁଙ୍କଠାରୁ ଆଶିର୍ବାଦ ଗ୍ରହଣ କରିବାର ଫଟୋ ଭାୟରାଲ ହେବା ପରେ ଦିଲ୍ଲୀ ପୁଲିସର ଜଣେ ଅଧିକାରୀଙ୍କୁ ବଦଳି କରାଯାଇଥିଲା।

Leave A Reply