ଅଯୋଧ୍ୟାରୁ ପ୍ରତିଦ୍ବନ୍ଦ୍ବିତା କରିପାରନ୍ତି ଯୋଗୀ

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚଳିତ ନିର୍ବାଚନରେ ଅଯୋଧ୍ୟା ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବା ସମ୍ଭାବନା ରହିଛି। ଏହା ଉପରେ ପ୍ରଧାନମନ୍ତ୍ରୀ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ରାଜ୍ୟରେ ଫେବୃଆରୀ ୧୦ରୁ ଆରମ୍ଭ ହେଉଥିବା ୭ ପର୍ଯ୍ୟାୟ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଚୂଡ଼ାନ୍ତ ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ବରେ ବିଜେପିର କୋର୍‌ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଶାହ ସେକ୍ଟର ଭିତ୍ତିରେ ଦଳୀୟ ସ୍ଥିତି ସମୀକ୍ଷା କରିବା ସହ ପ୍ରାର୍ଥୀଙ୍କ ନାମ ଉପରେ ବିଚାର କରିଛନ୍ତି। ହିନ୍ଦୁତ୍ବର ବାର୍ତ୍ତାବହ ଯୋଗୀଙ୍କୁ ଅଯୋଧ୍ୟାରୁ ପ୍ରାର୍ଥୀ କରାଇ ଦଳ ବଡ଼ ଫାଇଦା ଉଠାଇବା ଉଦ୍ୟମ କରୁଥିବା କୁହାଯାଉଛି; ତେବେ ତାଙ୍କ ପ୍ରାର୍ଥିତ୍ବ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ଶାହ ଓ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଆଲୋଚନା କରିବେ ବୋଲି ଜଣାପଡ଼ିଛି। କିଛି ଦିନ ପୂ​‌େ​‌ର୍ବ ଯୋଗୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ସମ୍ପର୍କରେ ଘୋଷଣା କରିବା ପରେ ସେ ମଥୁରା କିମ୍ବା ନିଜ ଗଡ଼ ଗୋରଖପୁରରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା। ଯୋଗୀ ସମ୍ପ୍ରତି ବିଧାନ ପରିଷଦ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏଥର ସେ ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢ଼ିବେ। ଅଯୋଧ୍ୟା ଆସନରେ ବିଜେପି ୧୯୯୧ରୁ କ୍ରମାଗତ ଜିତି ଆସୁଛି; କେବଳ ୨୦୧୨ରେ ସେଠାରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଜିତିଥିଲେ। ଏତଦ୍‌ ବ୍ୟତୀତ ୨୦୦୨ରେ ରାଜନାଥ ସିଂହଙ୍କ ପରଠାରୁ ପ୍ରଥମ କରି ରାଜ୍ୟର ଜଣେ କ୍ଷମତାସୀନ ମୁଖ୍ୟମନ୍ତ୍ରୀ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଅପରପକ୍ଷରେ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ମୁଖ୍ୟ ଅଖିଳେଶ ସିଂହ ଯାଦବ ଓ ମାୟାବତୀ ଚଳିତ ନିର୍ବାଚନରେ ପ୍ରାର୍ଥୀ ହେବେ ନାହିଁ ବୋଲି ଘୋଷଣା କରିଛନ୍ତି।

Comments are closed.