କର୍ମକ୍ଷେତ୍ରରେ ଯୋଗ ବିରତି : ଅବଧି ୫ ମିନିଟ

ନୂଆଦିଲ୍ଲୀ : ସରକାରୀ ଓ କର୍ପୋରେଟ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଭୋଜନ ବିରତି ଭଳି ଯୋଗାଭ୍ୟାସ ଲାଗି ମଧ୍ୟ ବିରତି ଦିଆଯିବ। ଏହି ବିରତି ସମୟକୁ କର୍ମକ୍ଷେତ୍ରର ଏକ ଅଂଶ ବିଶେଷ ଭାବେ ବିବେଚନା କରାଯିବ। ସୋମବାର ପରୀକ୍ଷାମୂଳକ ଭାବେ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟରେ ଏହି ଯୋଗ ବିରତିକୁ ଆରମ୍ଭ କରାଯାଇଛି। ମୋରାଇ ଦେଶାଇ ନ୍ୟାନସାନ ଇନଷ୍ଟିଚ୍ୟୁଟ ଅଫ ଯୋଗର ପ୍ରସ୍ତାବକ୍ରମେ ଏହାକୁ ଲାଗୁ କରାଯାଇଛି। ଏହି ଯୋଗ ବିରତିର ଅବଧି ରହିଛି ମାତ୍ର ୫ ମିନିଟ୍। ଏହି ବିରତି ଅବଧି ୩୦ ମିନିଟ୍‌ ରଖିବାକୁ ପୂର୍ବରୁ ଆୟୁଷ ମନ୍ତ୍ରଣାଳୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। ଏହି ୫ ମିନିଟ୍‌ରେ କର୍ମଚାରୀମାନେ କର୍ମରୁ ବିରତି ନେଇ ଯୋଗାଭ୍ୟାସ କରିବେ। କର୍ପୋରେଟ କ୍ଷେତ୍ରରେ କର୍ମଚାରୀମାନେ ସର୍ବଦା ଚାପରେ ରହିଥାନ୍ତି। ଯୋଗଭ୍ୟାସ ଦ୍ବାରା କର୍ମଚାରୀମାନେ ଚାପମୁକ୍ତ ହୋଇପାରିବେ। ଯୋଗ ବିରତିକୁ କାର୍ଯ୍ୟକାରୀ କରିବା ଲାଗି ଏଫଆଇସିସିଆଇ, ଆକ୍ସିସ୍ ବ୍ୟାଙ୍କ, ଟାଟା କେମିକାଲ୍ସ ଓ ଏର୍ଣ୍ଣଷ୍ଟ ଆଣ୍ଡ ୟଙ୍ଗ ଗ୍ଲୋବାଲ କନସଲଟିଙ୍ଗ ସର୍ଭିସେସ୍ କାର୍ଯ୍ୟକାରୀ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି।

Comments
Loading...