ଅପ୍ରତିଦ୍ୱନ୍ଦ୍ବୀ ଯୋଗ ସାଧକ…ଆସନାଚାର୍ଯ୍ୟ ଦିନବନ୍ଧୁ କର

ସମାଜ ପୋର୍ଟାଲ ଡେସ୍କ: ଯୋଗଶାସ୍ତ୍ର ଏକ ବିଶାଳ ସମୁଦ୍ର ସଦୃଶ। ଏହାକୁ ଭିନ୍ନ ଭିନ୍ନ ସମୟରେ ମନ୍ଥନ ହୋଇଛି। ଏହାର ବର୍ଣ୍ଣନା ଖୁବ ରୋଚକ,ଚର୍ଚ୍ଚିତ। ଯୁଗ ଯୁଗ ଧରି ଏହା ବ୍ୟବହାର ହୋଇ ଆସିଛି। କିନ୍ତୁ ଏତିକି ସ୍ପଷ୍ଟ ଯେ,ଏହାର ସାଧାନା ମଣିଷକୁ ସୁସ୍ଥ ସବଳ ଓ ନିରୋଗ ରଖେ। ଜଣେ ଯୋଗ ସାଧକ ଗଲା ସତୁରୀ ଦଶକରେ ବଲାଙ୍ଗିରରୁ କେବଳ ଯୋଗାସନ ଶିଖେଇବା ପାଇଁ ନେପାଳ ଦେଶ ଯିବା କମ କଥା ନୁହେଁ। ଜଣେ ଅପ୍ରତିଦ୍ୱନ୍ଦୀ ଯୋଗ ସାଧକଙ୍କୁ ନେଇ ଆମର ସ୍ୱତନ୍ତ୍ର ପ୍ରତିବେଦନ ଉପସ୍ଥାପନା କରିଛନ୍ତି ଆମ ବଲାଙ୍ଗୀର ସିଟି ରିପୋର୍ଟର ବିଭୁ କଲ୍ୟାଣ ଗଡ଼ତ୍ୟା।

ଆସନାଚାର୍ଯ୍ୟ ଦିନବନ୍ଧୁଙ୍କ ଜୀବନ ଯାତ୍ରା
ବଲାଙ୍ଗିର ସହରର ଟିକ୍ରାପଡା ବାସିନ୍ଦା ପଣ୍ଡିତ ସ୍ୱର୍ଗତ ବିଶ୍ୱନାଥ କରଙ୍କ ପୁତ୍ର ହେଉଛନ୍ତି ଆସନାଚାର୍ଯ୍ୟ ଦିନବନ୍ଧୁ କର। ୧୯୪୩ ମସିହା ଅକ୍ଟୋବର ୨୪ରେ ଜନ୍ମ ଗ୍ରହଣ କରିଥିଲେ। ଏବେ ବୟସ ପାଖାପାଖି ୭୮ ଛୁଇଁଲାଣି। ସେ ପତିତପାବନର ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ। ଆଜକୁ ଦୀର୍ଘ ୪୭ ବର୍ଷ ପଛକୁ ଆମକୁ ସେ ଫେରାଇ ନେଇଥିଲେ। ସେ ସମୟର କଥା ସବୁ ତାଙ୍କ ଆଖିରେ ଝଲସି ଉଠୁଥିଲା। ଯେଉଁ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ବ୍ୟାୟମ ଶିକ୍ଷାକୁ ଅପରିହାର୍ଯ୍ୟ ରୂପେ ଗ୍ରହଣ କରିବାକୁ ସ୍ଥିର କରିଥିଲେ, ଏହାର ଯଥା ପୂର୍ବରୁ ଯୋଗ ଶିକ୍ଷାର ପ୍ରଚାର ପ୍ରସାର ଆରମ୍ଭ କରି ସାରିଥିଲେ।

ଶ୍ରୀ କର ଖୁବ କମ ବୟସରେ ଏଥି ପ୍ରତି ଆକର୍ଷିତ ହୋଇଥିଲେ। ଧୀରେ ଧୀରେ ଅଭ୍ୟାସ ବଳରେ ଶୀର୍ଷ ଚନ୍ଦ୍ରାସନ,ମୟୂର ଚନ୍ଦ୍ରାସନ ସାଧାରଣରେ ଭାରତ ତଥା ଆନ୍ତର୍ଜାତୀୟ କ୍ଷେତ୍ରରେ ଚାଞ୍ଚଳ୍ୟ ସୃଷ୍ଟି କରିଥିଲେ। ସେ ଏହାର ସ୍ରଷ୍ଟା। ଶାସ୍ତ୍ରୀୟ ୧୦୮ ପ୍ରକାର ପାତଞ୍ଜଳି ଯୋଗସନରେ ସେ ବୋଧହୁଏ ଅପ୍ରତିଦ୍ୱନ୍ଦୀ ସାଧକ। ବ୍ୟାସ ଯୋଗାସନର ୨୫୦ଟି ଆସନ ମଧ୍ୟ ସେ ସାଧ୍ୟ କରିଥିବା ସେ କୁହନ୍ତି। ଏହା ବ୍ୟତୀତ ସେ ସମସ୍ତ ପ୍ରଚଳିତ ସାଧାରଣ ଆସନ ମାନଙ୍କରେ ଅବଗ୍ରାହୀ। ଏହା ପରେ ସେ ପ୍ରାଣାୟମ ଓ ହଟ୍ଟ ଯୋଗ ସାଧାନ କରିଛନ୍ତି। ସେ ଏଠାରେ ବହୁ ଅଧିକାରୀ,ଯୁବକମାନଙ୍କୁ ଏ ସମ୍ବନ୍ଧରେ ତାଲିମ ଦେଇଛନ୍ତି। ଭାରତର ହୃଷିକେଶ, ବଦ୍ରୀନାଥ, ହରିଦ୍ୱାର, କାଶ୍ମୀର ଓ ହିମାଚଳ ପାର୍ବତ୍ୟ ଅଞ୍ଚଳରେ ସେ ଏହି ସାଧନ ଅଭ୍ୟାସ କରିଥିଲେ।

୧୯୬୬ ମସିହାରୁ ସେ ବିଭିନ୍ନ ଅଞ୍ଚଳରେ ଆନୁଷ୍ଠାନିକ ଭାବେ ତାଙ୍କର ଏହି ଆସନ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ତାଙ୍କ କହିବା ଅନୁସାରେ,ସେ କଲିକତା, ଦିଲ୍ଲୀ, ଜମ୍ମୁ କାଶ୍ମୀର, ମେରଟ, ଚଣ୍ଡିଗଡ,ଲୁଧିଅ।।ନା, ଅମୃତ ସର, କୁଲ, ସିମଲା, ଲକ୍ଷ୍ନୌ, ପାଟଣା, ବୀରଗଞ୍ଜ, କାଠମାଣ୍ଡୁ, ବମ୍ବେ, ବରୋଦା, ଅମଦାବାଦ, ଗୌହାଟି, ରାୟଗଡ, ରାୟପୁର ସମେତ ଦେଶର ଅଧିକାଂଶ ସହରରେ ତାଙ୍କ ସାଧନା ପ୍ରଦର୍ଶନ କରିଥିଲେ।

ଓଡିଶାର ଭୁବନେଶ୍ୱର, କଟକ, ରାଉରକେଲା, ଫୁଲବାଣୀ ଆଦି ସ୍ଥାନମାନଙ୍କରେ ଯୋଗ, ଆସନ, ପ୍ରାଣାୟାମାନ ପ୍ରାତ୍ୟ ଯୌଗିକ ସାଧନ ପ୍ରଦର୍ଶନ କରି ନିଜର ସାଧନ ତଥା ପ୍ରତିଭାର ମୂଲ୍ୟାୟନ କରିଥିଲେ। ତାଙ୍କର କୃତିତ୍ୱ ପ୍ରଦର୍ଶନରେ ଓଡିଶାର ପୂର୍ବତନ ରାଜ୍ୟପାଳ ତଥା ଦେଶର ପୂର୍ବ ଉପ ରାଷ୍ଟ୍ରପତି ବିଡି ଜର୍ତ୍ତି,ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାଶ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ସଦାଶିବ ତ୍ରିପାଠୀ, ବିରେନ ମିତ୍ର, ବିଭିନ୍ନ ସମୟର ଡିପିଆଇ, ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଅନ୍ୟ ମନ୍ତ୍ରୀମାନେ ତାଙ୍କ ସହ ଯୋଡି ହୋଇଥିବା ବେଳେ ଏହି ବ୍ୟକ୍ତିବିଶେଷଙ୍କୁ କାର୍ଯ୍ୟକ୍ରମ ଜରିଆରେ ଯୋଗ ଶିକ୍ଷା ପ୍ରଦାନ କରିଛନ୍ତି। ଆସନାଚାର୍ଯ୍ୟ ଶ୍ରୀ କରଙ୍କ ପ୍ରଦର୍ଶନରେ ଡା. କରଣ ସିଂ, ବହୁ ଏମପି, କେନ୍ଦ୍ର ସରକାରଙ୍କ ମନ୍ତ୍ରୀଙ୍କୁ ଏହି ଯୋଗାସନ ଉପରେ ମୌଲିକ ଧାରଣା ଓ ଆସନ ପ୍ରଦର୍ଶନ କରି ଦେଖାଇଥିବା ସେ କୁହନ୍ତି।

ଏହାରି ଭିତରେ ଅନେକ ବର୍ଷ ବିତି ଯାଇଛି ସିନା କିନ୍ତୁ ଅଭ୍ୟାସକୁ ଛାଡି ପାରି ନାହାଁନ୍ତି। ରାତି ଅଢେଇ ଟାରୁ ଆସନ ଗୁଡିକ ଆରମ୍ଭ କରନ୍ତି। ଏହା ସକାଳ ପ୍ରାୟ ୮ଟା ଯାଏଁ ଏଭଳି ଚାଲେ। ପୁଅ କରାଚିରେ ଆଉ ଝିଅ ମାନଙ୍କୁ ବିବାହ କରି ଦେଇ ସାରିଲେଣି। ଶିକ୍ଷକତାରୁ ଅବସର କରିବା ପ୍ରାୟ ୨୦ ବର୍ଷ ହୋଇଯାଇଥିବା ବେଳେ ଘରେ ସ୍ତ୍ରୀଙ୍କ ସହ ବାକିତକ ଜୀବନ କାଟୁଛନ୍ତି। ସେ ଆହୁରି କୁହନ୍ତି ଯେ,ଦୀର୍ଘ ବର୍ଷ ହେଲା ଲୋକଙ୍କ ସଂସ୍ପର୍ଶରେ ଆଉ ଆସି ନାହିଁ। ଏବେ ବନ୍ଦ କୋଠରୀରେ ସକାଳୁ ସଞ୍ଜ ଆଉ ସଞ୍ଜରୁ ପୁଣି ଆଉ ଗୋଟେ ନୂଆ ସକାଳକୁ ଅପେକ୍ଷା କରିଥାନ୍ତି ଶ୍ରୀ କର ପତିପତ୍ନୀ।

 

ଯୋଗଶିକ୍ଷା ପାଇଁ ନେପାଳରୁ ନିମନ୍ତ୍ରଣ
୧୯୬୯ ମସିହାର କଥା। ତତ୍କାଳୀନ ନେପାଳ ମହାରାଜା ମହେନ୍ଦ୍ର ସିଂ ଓ ମହାରାଣୀ ରତ୍ନା ଓଡିଶା ଗସ୍ତରେ ଆସିଥିଲେ। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଏହି ସମୟରେ ତତ୍କାଳୀନ ଓଡିଶାର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ସହ ଶ୍ରୀ କର ପୁରୀ ଯାଇଥିଲେ। ସେଠାରେ ନେପାଳ ମହାରାଜ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ସୌଜନ୍ୟମୂଳକ ସାକ୍ଷାତ ହୋଇଥିଲା। ସାକ୍ଷାତ ହେଲା ପରେ ତାଙ୍କ ଯୋଗ ଶିକ୍ଷା କଥା ଶୁଣି ତାଙ୍କୁ ନେପାଳକୁ ଯିବା ପାଇଁ ନିମନ୍ତ୍ରଣ ହୋଇଥିଲା। ଏହା ପରେ ସେ ୩ ମାସ ପାଇଁ ନେପାଳ ଗସ୍ତରେ ଯାଇଥିଲେ। ସେଠାରେ ଯୋଗଶିକ୍ଷା ପ୍ରଦର୍ଶନ ପୂର୍ବକ ଯୋଗ, ଆସନ ତଥା ପ୍ରାଣାୟାମ ସମ୍ପର୍କରେ ଶିକ୍ଷା ଦେଇଥିଲେ। ସେଠିକାର ତତ୍କାଳୀନ ବିଦେଶ ମନ୍ତ୍ରୀ ଗଜେନ୍ଦ୍ର ବାହାଦୁର ରାଜଭଣ୍ଡାରୀ, ଶିକ୍ଷାମନ୍ତ୍ରୀ ଧର୍ମରତ୍ନ ୟାମୀଙ୍କୁ ସ୍ୱତନ୍ତ୍ର ଭାବେ ଯୋଗ ଶିକ୍ଷା ନେଇ ବହୁବିଧ ରୋଗରୁ ମୁକ୍ତ ହୋଇଥିଲେ। ସେଠାରୁ ତାଙ୍କୁ ବିହାର ପର୍ଯ୍ୟନ୍ତ ନେପାଳ ମହାରାଜଙ୍କର ସ୍ୱତନ୍ତ୍ର ବିମାନରେ ସେ ଫେରିଥିଲେ।

ବାବା ରାମଦେବ ବି ତାଙ୍କ ଶିଷ୍ୟ
ଦେଶର ବିଭିନ୍ନ ସ୍ଥାନ ଗସ୍ତ କରି ଶ୍ରୀ କର ଯୋଗଶିକ୍ଷା ପ୍ରଦାନ କରୁଥିଲେ। ୧୯୭୩ ମସିହାରେ ଦିଲ୍ଲୀର ସର୍ବଦେଶିକ ସଭାର ସମ୍ପାଦକ ରାମ ଗୋପାଲ ସାଲବଲେ ଓ ସ୍ୱାମୀ ଭଗବାନ ଦେବ ଜୀ ଙ୍କ ଅନୁରୋଧ କ୍ରମେ ହରିୟାଣାର ଗୁରୁକୁଲ ଥାରକୁ ଗସ୍ତ କରିଥିଲେ। ସେଠାରେ ଶିଷ୍ୟମାନଙ୍କ ନେଳରେ ଥିଲେ ୧୦/୧୨ ବର୍ଷ ବୟସର ପିଲା ରାମଦେବ। ସେଠାରେ ରହିବା ପରିପ୍ରେକ୍ଷୀରେ ରାମଦେବଙ୍କୁ ଶିକ୍ଷା ପ୍ରଦାନ କରିଥିବା ସେ କୁହନ୍ତି। ରାମଦେବ ବେଶ ଅଝଟିଆ ଥିଲେ ବି ଶିକ୍ଷା ଲାଭ କରିବାର ତାଙ୍କ ଇଚ୍ଛା ଓ ଗୁରୁଙ୍କୁ ସମ୍ମାନ ଆଜି ଏହି ସ୍ତରକୁ ପହଞ୍ଚାଇ ପାରିଛି। ବର୍ତ୍ତମାନ ତାଙ୍କୁ ଦେଖି ଗର୍ବିତ ବୋଲି କୁହନ୍ତି ଆସନାଚାର୍ଯ୍ୟ ଶ୍ରୀ କର।

ପାଟଣା ରାଜ ପରିବାରର ସହ ସମ୍ପର୍କ
ପାଟଣା ରାଜା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଅତ୍ୟନ୍ତ ଘନିଷ୍ଠ ବନ୍ଧୁ ଥିଲେ ପଣ୍ଡିତ ସ୍ୱର୍ଗତ ବିଶ୍ୱନାଥ କର। ପାଟଣା ରାଜନୀତିର ଚାଣକ୍ୟ ଭାବେ ସେ ଉହ୍ୟରେ ରହୁଥିଲେ। ଯେହେତୁ ଦିନବନ୍ଧୁଙ୍କ ବାପା ସେଠାରେ ବେଶି ସମୟ ଅତିବାହିତ କରୁଥିଲେ। ତେଣୁ ଛୋଟ ସମୟରୁ ଦିନବନ୍ଧୁ ଶୈଳଶ୍ରୀ ପ୍ୟାଲେସରେ ବଢିଥିଲେ। ସ୍ୱର୍ଗତ ସିଂହଦେଓ ତାଙ୍କୁ ତାଙ୍କ ପୁତ୍ର ମାନଙ୍କ ଭଲି ସ୍ନେହ କରୁଥିଲେ। ପାଟଣା ରାଜ ପରିବାର ସହ ବେଶ ଘନିଷ୍ଠ ସମ୍ପର୍କ ଥିଲା।

ଓଡିଶାରେ ଯୋଗ ଶିକ୍ଷାରେ ଅବଦାନ
୧୯୬୫ ମସିହା ବେଳକୁ ଯୋଗ ଶିକ୍ଷାକୁ ସେତେଟା ଗୁରୁତ୍ୱ ଦିଆଯାଉନଥିଲା। କାହିଁକିନା ଏହା ବହୁ ପୁରାତନ ଯୁଗରୁ ପ୍ରଚଳିତ ଥିଲେ ହେଁ ପ୍ରଚାର ପ୍ରସାର ଅଭାବ ରହିଥିଲା। ଏହା ବିଭିନ୍ନ ଧରଣର ଅଙ୍ଗାଙ୍ଗୀର ପ୍ରଦର୍ଶନ ହେଉଥିବାରୁ ଏହା ଲୋକଙ୍କ ମନରେ କୌତୁହଳ ସୃଷ୍ଟି କରୁଥିଲା। ତେଣୁ ଏହାକୁ ବ୍ୟାୟାମ ନାରେ ବିଶେଷ କରି ଲୋକଙ୍କ ମଧ୍ୟରେ ପରିଚିତ ହେଲା। ପରେ ଲୋକଙ୍କୁ ସଭା ସମିତି ମାଧ୍ୟମରେ ପ୍ରଦର୍ଶନ କରିଆସୁଥିଲେ ଶ୍ରୀ କର। କଟକର ବାରବାଟୀ ଷ୍ଟାଡିୟମରେ କେତେଥର ଏଭଳି ଆୟୋଜନ କରିଛନ୍ତି ତାର ସେଭଳି ହିସାବ ନାହିଁ। ଯୋଗ ଶିକ୍ଷାକୁ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରି ପ୍ରଚାର ପ୍ରସାର ଅଣ୍ଟା ଭିଡିଥିବା ବେଳେ ଏହାକୁ ଶିକ୍ଷା ଭାବେ ମାନ୍ୟତା ଦେବାକୁ ପ୍ରୟାସ ଆରମ୍ଭ କରିଥିବା ସଂରକ୍ଷିତ ତଥ୍ୟ ସ୍ପଷ୍ଟ କରେ। ପୁରୀ ସ୍ଥିତ ଜନନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଯୋଗ ବିଭାଗ ପାଠ୍ୟକ୍ରମର ଆବାହକ ସଦସ୍ୟ ଭାବେ କାର୍ଯ୍ୟ କରିବା ସହ ଅନେକ ସଂସ୍କାର ଆଣିଥିଲେ। ସେହିପରି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦରେ ଦୀର୍ଘ ୧୦ ବର୍ଷ ଧରି ଯୋଗ ପାଠ୍ୟକ୍ରମ କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିସାରିଛନ୍ତି।

ଭୁଲି ଯାଇଛନ୍ତି ସରକାର
ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଜଣେ ଅପ୍ରତିଦ୍ୱନ୍ଦୀ ଯୋଗ ସାଧକଙ୍କୁ ଏକ ପ୍ରକାର ଭୁଲି ଯାଇଛନ୍ତି। ଜୀବନର ଅଧିକାଂଶ ସମୟ ଯୋଗ ଶିକ୍ଷା ଓ ଏହାର ପ୍ରଚାର ପ୍ରସାର ଦିଗରେ ସେ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିଛନ୍ତି। ଆୟୁର୍ବେଦର ଏକ ପ୍ରମୁଖ ଅଂଶକୁ ଏବେ ବର୍ଷ ଧରି ଜୀବନ୍ତ କରି ରଖିବା ଓ ଲୋକଙ୍କ ଠାରେ ପହଞ୍ଚାଇ ଥିବା ମଣିଷ ଆଜି ଦୀର୍ଘ ୨୦ ବର୍ଷ ହେଲା ବନ୍ଦ କୋଠରୀ ଭିତରେ ଆବଦ୍ଧ ହୋଇ ରହିଛନ୍ତି। ଅଧିକାଂଶ ଲୋକ ତାଙ୍କୁ ଭୁଲି ଯାଇଥିବା ବେଳେ ସେ ମଧ୍ୟ ଏହି ଚାକଚକ୍ୟ ଦୁନିଆରୁ ବେଶ ଦୂରରେ। ଦୀର୍ଘ ବର୍ଷର ଯୋଗ ଶିକ୍ଷା ଯାତ୍ରାରେ ଏହି ରାଜ୍ୟ ଓ ଦେଶ ପାଇଁ ଅନେକ ଗୌରବ ସୃଷ୍ଟି କରିଛନ୍ତି। ଅନେକଙ୍କୁ ଶିକ୍ଷା ପ୍ରଦାନ କରି ଗଢି ତୋଳିଛନ୍ତି। ପୁଣି ଏହାକୁ ସଂରକ୍ଷଣ କରିବା ଦିଗରେ ଗବେଷଣା କରି ଲିଖିତ ଭାବେ ସଂରକ୍ଷଣ କରିଛନ୍ତି। କିନ୍ତୁ ଆଜି ଯାଏଁ ତାଙ୍କୁ ନା ରାଜ୍ୟ ସରକାର ସମ୍ମାନିତ କରିଛନ୍ତି ନା କେନ୍ଦ୍ରସର। ସରକାର ଜଣେ ପ୍ରଜ୍ଞା ପୁରୁଷଙ୍କୁ ଅବହେଲା ନୁହେଁ ତ ଆଉ କଣ।

ସ୍ମୃତି ଓ ଅନୁଭୂତି ଗ୍ରନ୍ଥରୁ
ଶ୍ରେଷ୍ଠ ଆତ୍ମଜୀବନୀ ଗ୍ରନ୍ଥ ଭାବରେ ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିବା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣୀ ରାଉତରାୟଙ୍କ ସ୍ମୃତି ଓ ଅନୁଭୂତି ଗ୍ରନ୍ଥରୁ ଜଣାଯାଏ ଯେ, ଅଶୀ ଦଶକରେ ଯୋଗ ଶିକ୍ଷା ଅଭ୍ୟାସ ପାଇଁ ସରକାରୀ ସ୍ତରରେ ପ୍ରୟାସ କରାଯାଇଥିଲା। ‘ପ୍ରବୀଣ କଂଗ୍ରେସ ନେତା ଶ୍ରୀ ଗଙ୍ଗାଧର ମହାପାତ୍ର ଓଡିଶାର ଶିକ୍ଷାମନ୍ତ୍ରୀ ଥିବାବେଳେ ଛାତ୍ରଛାତ୍ରୀମାନଙ୍କୁ ଯୋଗ ଶିକ୍ଷା ଅଭ୍ୟାସ କରାଇବା ନିମନ୍ତେ ସରକାର ଏକ ନୀତିଗତ ନିଷ୍ପତ୍ତି ନେଇଥିଲେ। ସେଥି ପାଇଁ କାର୍ଯ୍ୟରତ ଶିକ୍ଷକମାନଙ୍କୁ ନିର୍ବାଚିତ କରାଯାଇ କ୍ରମାଗତ ତାଲିମ୍‍ ବ୍ୟବସ୍ଥା କରାଯାଇଥିଲା। ଶିକ୍ଷକମାନଙ୍କୁ ଯୋଗଶିକ୍ଷା ତାଲିମ ଦେବା ପାଇଁ ଏକ ଉପଯୁକ୍ତ ବିବେଚିତ ଅନୁଷ୍ଠାନର ଅଭିଜ୍ଞତା ସମ୍ପନ୍ନ କେତେକ ଯୋଗ ସାଧାକମାନଙ୍କୁ ନିଯୁକ୍ତ କରାଯାଇଥିଲା। ପ୍ରଥମ ଦଫା ତାଲିମ ନହେଉଣୁ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ କର୍ଯ୍ୟାଳୟରୁ ରାଜନୈତିକ ଚକ୍ରାନ୍ତ ଓ ହସ୍ତକ୍ଷେପ ହେବା କାରଣରୁ ଯୋଗ ଶିକ୍ଷା ବନ୍ଦ ହୋଇଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ହିତ ପାଇଁ ଓଡିଶାର ତତ୍କାଳୀନ ଶିକ୍ଷାମନ୍ତ୍ରୀଙ୍କ ଯୋଗଶିକ୍ଷା ଯୋଜନା ପରିଶେଷରେ ଏପରି ଦୁର୍ଯୋଗମୟ ସମାପ୍ତି ଭୋଗକଲା’। ତେବେ ସୂଚନା ଥାଉକି ସାରା ଦେଶରେ ପ୍ରଥମ କରି ତତ୍କାଳୀନ ଓଡିଶା ସରକାର ପ୍ରଥମ ରାଜ୍ୟ ଭାବେ ଯୋଗ ଅଭ୍ୟାସକୁ ସ୍ୱୀକୃତି ଦେଇଥିଲେ। କିନ୍ତୁ ତାହା ବେଶି ଦିନ ତିଷ୍ଠି ପାରିନଥିଲା।

ବୁର୍ଲା ମେଡିକାଲରେ ପରୀକ୍ଷା
ଘଣ୍ଟା ଘଣ୍ଟା ଧରି ଚମତ୍କାର ଭାବେ ଯୋଗାସନ ଉପସ୍ଥାପନା କରି ପାରୁଥିବା ଶ୍ରୀ କରଙ୍କ ଉପରେ ଏକଦା ପ୍ରଶ୍ନ ଉଠିଥିଲା। ସେ କୌଣସି ମନ୍ତ୍ର,ତନ୍ତ୍ର ବା ଅନ୍ୟ କିଛି ଜରିଆରେ ଏଭଳି କରୁଛନ୍ତି। ତାଙ୍କୁ ବୁର୍ଲା ମେଡିକାଲରେ ସେଥି ପାଇଁ ସ୍ୱାସ୍ଥ୍ୟ ଗତ ପରୀକ୍ଷା ଦେବାକୁ ପଡିଥିଲା। କିନ୍ତୁ ବୁର୍ଲା ମେଡିକାଲରେ ମଧ୍ୟ ଘଣ୍ଟା ଘଣ୍ଟା ଧରି ଯୋଗାସନ, ପ୍ରାଣାୟାମ କରି ରେକର୍ଡ ସୃଷ୍ଟି କରିଥିଲେ।

Comments are closed.