ଯୋଗ ଦିବସ ପାଳନ କରିବାର ତାତ୍ପର୍ଯ୍ୟ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଆମର ଖାଦ୍ୟପେୟ,ଜୀବନଶୈଳୀ ଏପରି ହୋଇଯାଇଛି ଯେ ଆମେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଭାବେ ଧ୍ୟାନ ଦେଇପାରି ନଥାଉ। ଫଳରେ ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା ରହିଥାଏ। ଏପରି କ୍ଷେତ୍ରରେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗର ଖୁବ ଆବଶ୍ୟକତା ରହିଛି। ଯୋଗ ଦ୍ୱାରା ମାନସିକ ଓ ଶାରୀରିକ ସୁସ୍ଥତା ପ୍ରାପ୍ତି ହୋଇଥାଏ। ଯୋଗ ଏକ ପ୍ରାଚୀନ ଭାରତୀୟ ପଦ୍ଧତି ଅଟେ, ଯାହା ଶାରୀର, ମନ ଓ ଆତ୍ମାକୁ ଏକତ୍ରିତ ଶାନ୍ତି ପ୍ରଦାନ କରିବାରେ ସହାୟକ ହୋଇଥାଏ। ଯୋଗ କରିବା ଦ୍ୱାରା ବିଭିନ୍ନ ରୋଗରୁ ମୁକ୍ତି ପାଇବା ସହ ଏହାକୁ ଆପଣେଇବା ଦ୍ୱାରା ଶାରୀରିକ ଓ ମାନସିକ ଯନ୍ତ୍ରଣାକୁ ଦୂର କରି ପାରିବା। ନିତିଦିନଆ ଜୀବନରେ ଖାଦ୍ୟ ପାନୀୟ ପରି ଯୋଗର ମଧ୍ୟ ଆବଶ୍ୟକତା ରହିଛି। ଯୋଗ ପ୍ରତି ସଭିଁଙ୍କର ବେଶ ବିଶ୍ୱାସ ରହିଛି। ଯେଉଁ କାରଣରୁ ଡ଼ାକ୍ତରମାନେ ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତି ପାଇଁ ପ୍ରତିଦିନ ଯୋଗ କରିବାକୁ ପରାମର୍ଶ ଦେଇଥାଆନ୍ତି। ଡ଼ାକ୍ତରଙ୍କ ମତାନୁଯାୟୀ ଔଷଧ ସହ ଶରୀର ପାଇଁ ଯୋଗ ମଧ୍ୟ ଆବଶ୍ୟକ।
ଯେଉଁ ପ୍ରକାରେ ମନୁଷ୍ୟ ଜୀବିତ ରହିବା ପାଇଁ ଭୋଜନ, ନିଦ୍ରା, ନିତ୍ୟକର୍ମ ଓ ଉପାସନା ଆବଶ୍ୟକ ସେହିପରି ସକ୍ରିୟ, ପ୍ରସନ୍ନତା ପୂର୍ଣ୍ଣ ଜୀବନ ଅତିବାହିତ କରିବା ପାଇଁ ଯୋଗ କରିବା ଉଚିତ। ମୁନି ଋଷିମାନେ ଗଭୀର ସାଧନା ତଥା ଚିନ୍ତନ ଦ୍ୱାରା ଯୋଗ ସାଧନାର ପଥ ପ୍ରଶସ୍ତ କରିଥିଲେ। ଯୋଗର ଏକ ଅଙ୍ଗ ଆସନ ଅଟେ। ବିଭିନ୍ନ ପ୍ରକାରର ଯୋଗାସନ ଅଭ୍ୟାସ କରିବା ଦ୍ୱାରା ଜୀବନରେ ନୂତନତା ଭରିଯାଏ ଓ ପ୍ରଫୁଲ୍ଲିତ ଅନୁଭବ ହୋଇଥାଏ। ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ। ଶରୀରିକ, ମାନସିକ ଓ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱର ବିକାଶ ପାଇଁ ମଧ୍ୟ ଯୋଗାସନର ବିଶେଷ ମହତ୍ତ୍ୱ ରହିଛି। ଆସନ କେବଳ ବ୍ୟାୟାମ ନୁହେଁ ଏହା ସଂସ୍କୃତି ମଧ୍ୟ।
ଏହି ସମସ୍ତ ଲାଭ ଓ ଉଦ୍ଦେଶ୍ୟକୁ ଧ୍ୟାନରେ ରଖି ପ୍ରତିବର୍ଷ ୨୧ ଜୁନକୁ ଯୋଗ ଦିବସ ରୂପେ ସମ୍ପୂର୍ଣ୍ଣ ବିଶ୍ୱରେ ପାଳନ କରାଯାଏ।
ଆଲେଖ୍ୟ ସସ୍ମିତା ମହାନ୍ତି

Comments
Loading...