ବିଶ୍ବ କଲ୍ୟାଣରେ ଯୋଗ

ଅସୀମା ସାହୁ

ଆଜି ଯୋଗ କେବଳ ଏକ ଶାରୀରିକ ବ୍ୟାୟାମ ମଧ୍ୟରେ ସୀମିତ ହୋଇ ରହିନାହିଁ, ବରଂ ପ୍ରାକୃତିକ ଉପାୟରେ ଶରୀରର ରୋଗ ପ୍ରତିରକ୍ଷା ପ୍ରକ୍ରିୟାର ବିକଳ୍ପ ଭାବେ ବିଶ୍ବଦରବାରରେ ଉଚ୍ଚକିତ ବିଶ୍ବାସଟିଏ ହୋଇଯାଇଛି। ନିରାମୟ ଓ ନିରୋଗ ଜୀବନ ପାଇଁ ପାର୍ଶ୍ବ ପ୍ରତିକ୍ରିୟା ରହିତ ଯୋଗ ଏକ ସଞ୍ଜୀବନୀ। ଏହା ଯୋଗୀର ଚେତନାରେ ଭରି ଦେଇପାରେ ସ୍ବର୍ଗୀୟ ଆନନ୍ଦ ଓ ସୌନ୍ଦର୍ଯ୍ୟ। ଜୀବନକୁ ଅନୁଶାସିତ ଓ ଶୃଙ୍ଖଳିତ କରେ। କୁକାର୍ଯ୍ୟରୁ ନିବୃତ୍ତ ରହିବା ଶିଖାଏ। ଅଲୌକିକ ଆନନ୍ଦ ଦିଏ। ଯୋଗର ଗୁରୁତ୍ବ ଉପରେ ଆଲୋକପାତ କରି ଏହାର ସବୁଠାରୁ ଲୋକପ୍ରିୟ ପ୍ରବକ୍ତା ତିରୁମାଲାଇ କ୍ରିଷ୍ଣମାଚାର୍ଯ୍ୟ ଯଥାର୍ଥରେ କହିଥିଲେ: ‘ସତ୍ୟ ପ୍ରକାଶ ପାଇଲେ ଦ୍ବନ୍ଦ୍ବ ରହିବ କେଉଁଠି? ମନ ସ୍ବଚ୍ଛ ରହିଲେ ରୋଗ ରହିବ କେଉଁଠି? ଶ୍ବାସ ନିୟନ୍ତ୍ରିତ ରହିଲେ ମୃତ୍ୟୁ କେଉଁଠି? ତେଣୁ ଯୋଗ ପ୍ରତି ସମର୍ପିତ ହୁଅନ୍ତୁ।’ ତିରୁମାଲାଇଙ୍କ ଶିଷ୍ୟଙ୍କ ମଧ୍ୟରେ ସାମିଲ ଥିଲେ ବି.କେ.ଏସ ଆୟାଙ୍ଗରଙ୍କ ଭଳି ବିଶ୍ବପ୍ରସିଦ୍ଧ ଯୋଗଗୁରୁ। ପୂଜ୍ୟ ଆଚାର୍ଯ୍ୟଙ୍କ ଏହି ଭାବଗର୍ଭକ ଉପଦେଶ କୋଭିଡ୍‌ ପ୍ରତି ଭୟଙ୍କର ଡର ଓ ମାନସିକ ଚାପରେ ଜୀବନ ପ୍ରତି ଏକ ନୂଆ ଆଶାର କିରଣ ଦେଖାଉଛି; ଅଦୃଶ୍ୟ ଭୂତାଣୁ ସହ ଲଢ଼ିବାକୁ ଅଦମ୍ୟ ସାହସ ଦେଉଛି।

ବିଶ୍ବସ୍ତରୀୟ ଗବେଷଣା, ଅନୁସନ୍ଧାନ, ଆଲୋଚନା, ପର୍ଯ୍ୟାଲୋଚନା ଦ୍ବାରା ବାରମ୍ବାର ପ୍ରମାଣିତ ହୋଇସାରିଛି ଯେ, ଯୋଗ ଶ୍ବାସ ନିୟନ୍ତ୍ରଣ ଓ ଚଳନର ବିଶେଷ ଚାବିକାଠି। କାଲିଫର୍ଣ୍ଣିଆର ଲୋମାଲିଣ୍ଡା ବିଶ୍ବବିଦ୍ୟାଳୟ ଗତବର୍ଷ କରୋନା ସମୟରେ ଫୁସ୍‌ଫୁସ୍‌ ଉପରେ ଅନୁସନ୍ଧାନ କରି ପ୍ରମାଣିତ କରିଛନ୍ତି ଯେ ଶ୍ବାସ ସମ୍ବନ୍ଧୀୟ ବ୍ୟାୟାମଦ୍ବାରା କରୋନା ଭୂତାଣୁ ଜନିତ ଶ୍ବାସ କଷ୍ଟରୁ ମୁକ୍ତି ମିଳିପାରିବ। ଏହି ସନ୍ଦର୍ଭଟି ପ୍ରତିଷ୍ଠିତ ପତ୍ରିକା ‘ଫିଜିକାଲ ମେଡିିସିନ୍‌ ଏଣ୍ଡ ରିହାବିଲିଟେସନ’ରେ ପ୍ରକାଶିତ ହୋଇଛି। ସେଥିରେ ଉଜ୍ଜୟୀ ପ୍ରାଣାୟମ ଓ ବିଭିନ୍ନ ଆସନର ଶୃଙ୍ଖଳକୁ ଆପଣାଇବା ପାଇଁ ସୁପାରିସ କରାଯାଇଛି। ‘ଆଡପ୍‌ଟିଭ ଯୋଗ’ର ଲେଖିକା ଇଙ୍ଗ୍ରିଡ ୟଙ୍ଗଙ୍କ ମତରେ କୋଭିଡ୍‌ ଏକ ପ୍ରଦାହଯୁକ୍ତ ରୋଗ ଯାହା ଫୁସ୍‌ଫୁସ୍‌, ମସ୍ତିଷ୍କ ଓ ରକ୍ତ ବାହିକାକୁ ସଂକ୍ରମଣ କରି ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରେ। ​‌େ​‌ଯାଗ ପ୍ରଦାହ ବୃଦ୍ଧିକୁ ହ୍ରାସ କରି ଆମକୁ ଚିନ୍ତାମୁକ୍ତ କରାଏ। ଫୁସ୍‌ଫୁସ୍‌ ଠିକ୍‌ ଭାବରେ ପୁନଃ ସଂଚାଳିତ ହୁଏ। ନିଜ ପୁସ୍ତକରେ ବଡ଼ ସୁନ୍ଦର ଭାବରେ ବର୍ଣ୍ଣନା କରି ସେ କହିଛନ୍ତି ଯେ- ‘ଯେ କୌଣସି କାର୍ଯ୍ୟକ୍ରମ ଯାହା ଲୋକଙ୍କୁ ଅନୁଭବ କରିବାପାଇଁ ସାହାଯ୍ୟ କରେ ଯେ ସେମାନଙ୍କ ରୋଗ ପୂର୍ବାପେକ୍ଷା ନିୟନ୍ତ୍ରଣରେ ଅଛି ଓ ସେମାନେ ଭଲରେ ଅଛନ୍ତି। ଏହା ହିଁ ସଫଳ ପଦ୍ଧତିର ସାରକଥା।’

ଯୋଗଦ୍ବାରା ଆମେ ଏହିସବୁ ଉପକାର ପାଇଥାଉ

ଚାପମୁକ୍ତ ଓ ଉତ୍ତମ ସ୍ବାସ୍ଥ୍ୟ ଅଭ୍ୟାସ ଦ୍ବାରା ଯୋଗ ସର୍ବକଲ୍ୟାଣ କରେ।
ତଳ ପିଠି, ମେରୁଦଣ୍ଡ, ଗ୍ରୀବା ବ୍ୟଥା, ମାନସିକ ଚିନ୍ତା, ମୁଣ୍ଡବ୍ୟଥା, ଆଣ୍ଠୁ ଗଣ୍ଠି ଓ ଖଞ୍ଜା ବ୍ୟଥାରୁ ଉପଶମ ଦିଏ।
ମୋଟାପଣ ଓ ମେଦ ବହୁଳତା ହ୍ରାସ କରେ।
ଦୁଃଖପୂର୍ଣ୍ଣ ପରିସ୍ଥିତିରେ ବିଷାଦଗ୍ରସ୍ତ ଜୀବନରୁ ମୁକ୍ତି ଦିଏ।
ସ୍ଥାୟୀ ବେମାର କମାଇ ଜୀବନର ମାନ ବୃଦ୍ଧି କରେ।
ସୁଖ ନିଦ୍ରା ଦିଏ, ହୃଦ୍‌ଯନ୍ତ୍ର ଓ ଫୁସ୍‌ଫୁସ୍‌କୁ ସୁସ୍ଥ ରଖେ; ସ୍ବାସ୍ଥ୍ୟକୁ ନମନୀୟ କରେ। ଆନନ୍ଦରେ ରହିବା ଶିଖାଏ।
ପିଲାଙ୍କର ଧୀଶକ୍ତି ବୃଦ୍ଧି, ସ୍ଥିର ମନ, ସଂସ୍କାର ଓ ଉଚ୍ଚବିଚାର ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ସହାୟକ ହୁଏ।

ଏହା ମଧ୍ୟ ସତ୍ୟ କୌଣସି ଯୋଗଗୁରୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଯୋଗ ଶିକ୍ଷା କରିବା ଆବଶ୍ୟକ। ଗୁରୁତର ସ୍ଥିତିରେ ଥିବା ରୋଗୀ, ଗର୍ଭବତୀ ମହିଳା, ଅତ୍ୟଧିକ ବୃଦ୍ଧ ବ୍ୟକ୍ତି ଡାକ୍ତର ଓ ଯୋଗଗୁରୁଙ୍କ ପରାମର୍ଶ ନେବା ଉଚିତ୍‌। ଭୂତାଣୁର ପ୍ରକୋପ, ଅମ୍ଳଜାନ ନମିଳିବାର ହାହାକାର, ଘରେ ବନ୍ଦ ରହିବା, ସ୍ବଜନଙ୍କ ଏତେ ସଂଖ୍ୟାରେ ମୃତ୍ୟୁ, ଜୀବିକା ହରେଇବା, ଭବିଷ୍ୟତର ଚିନ୍ତା ସହିତ ବାରମ୍ବାର ତାଲାବନ୍ଦ ଭିତରେ ଅଣନିଶ୍ବାସୀ ହୋଇପଡ଼ୁଛୁ ଆମେ। ଚିନ୍ତା ଓ ଡର ମଧ୍ୟରେ ଚାପଗ୍ରସ୍ତ ହୋଇ ପଡ଼ୁଛୁ। କୋଭିଡ୍‌ ଆକ୍ରାନ୍ତ ରୋଗୀଙ୍କ ଦୁର୍ଦଶା ସହ ତାଳଦେଇ ଆକ୍ରାନ୍ତ ହୋଇନଥିବା ଲୋକମାନଙ୍କର ମାନସିକ ସନ୍ତୁଳନ ବିଗିଡ଼ି ଯାଉଛି। ଫଳ ସ୍ବରୂପ ଚିନ୍ତା ବିକାର ପରି ରୋଗ ଭୟାନକ ଭାବେ ଆକ୍ରମଣ କରୁଛି। ବିଷାଦଗ୍ରସ୍ତ ଶରୀରରେ ଅସ୍ବାଭାବିକ ଶ୍ବାସକ୍ରିୟା, ଭୟ ଲାଗିବା, କମ୍ପନ, ହୃତ୍‌ସ୍ପନ୍ଦନ ଧୀମେଇ ଯିବା, ଜ୍ବଳନ ଆଦି ପ୍ରତିକ୍ରିୟା ହେଉଛି।

କୋଭିଡ୍‌-୧୯ ଫୁସ୍‌ଫୁସ୍‌କୁ ସିଧାସଳଖ ଆକ୍ରମଣ କରୁଛି। ଏ ପରିପ୍ରେକ୍ଷୀରେ ଯୋଗଗୁରୁମାନେ ଯୋଗକୁ ଦିନଚର୍ଯ୍ୟାରେ ସାମିଲ୍‌ କରିବାପାଇଁ ଉପଦେଶ ଦେଉଛନ୍ତି। ଚିନ୍ତାବିକାର ପାଇଁ ମଧ୍ୟ ସଫଳ ପ୍ରୟୋଗ ହେଉଛି ଯୋଗ। ସୂର୍ଯ୍ୟ ନମସ୍କାର ସହ ଅନ୍ୟାନ୍ୟ ଆସନ ମହୌଷଧି ପରି କାର୍ଯ୍ୟ କରୁଛି।

ଆମ ପାଇଁ ଖୁସି ଓ ଗର୍ବର କଥା ଯେ, ଯୋଗ ୫୦୦୦ ବର୍ଷର ପ୍ରାଚୀନ ପ୍ରଥା, ଯାହାର ଉତ୍ପତ୍ତିସ୍ଥଳ ହେଉଛି ଆମ ଭାରତବର୍ଷ। ଆମ ମୁନିଋଷିଗଣ ଅତୁଲ୍ୟ ଯୋଗକୁ ବିଶ୍ବବାସୀଙ୍କୁ ଉପହାର ସ୍ବରୂପ ଦେଇଛନ୍ତି। ପ୍ରଥମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସର ପ୍ରସ୍ତାବ ଓ ସଂକଳ୍ପ ସେପ୍ଟେମ୍ବର ୨୭ ତାରିଖ ୨୦୧୪ରେ ହୋଇଥିଲା। ସଂଯୁକ୍ତ ରାଷ୍ଟ୍ର ମହାସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଅଭିଭାଷଣ ମାଧ୍ୟମରେ ଏ ପ୍ରସ୍ତାବ ରଖିଥିଲେ। ପ୍ରସ୍ତାବଟି ସର୍ବାଧିକ ଅନୁମୋଦନ ପାଇ ପ୍ରାୟ ୧୭୭ଟି ଦେଶର ସମର୍ଥନ ହାସଲ କରିଛି।

ଆଜି (ଜୁନ୍‌ ୨୧) ସାରା ବିଶ୍ବ ସପ୍ତମ ଯୋଗ ଦିବସ ପାଳନ କରୁଛି। ଏ ବର୍ଷର ପ୍ରସଙ୍ଗ (ଥିମ୍‌) ହେଲା- ‘କଲ୍ୟାଣ ପାଇଁ ଯୋଗ’ (ଯୋଗ ଫର୍‌ ୱେଲ୍‌-ବିଙ୍ଗ୍‌)। ସଂକ୍ରମଣ ସଂପ୍ରସାରଣକୁ କମ୍‌ କରିବା ପାଇଁ ସାମୂହିକ ସଭାସମିତି ଉପରେ ରୋକ୍‌ ଲଗାଯାଇଛି। ‘ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ’ର ବଳୟ ଭିତରେ ଆମେ ଅଛୁ। ତେଣୁ ଏଥର ଆନ୍ତର୍ଜାତିକ ଯୋଗ ଦିବସରେ ପୂରା ପରିବାରର ଭାଗୀଦାରିତା ସହ ଦୂରତା ରକ୍ଷା କରି ପ୍ରତ୍ୟେକେ ନିଜନିଜ ଘରେ ରହି ଆସନ୍ତୁ ଯୋଗ କରିବା। ପ୍ରକୃତି ଓ ବ୍ରହ୍ମାଣ୍ଡ ସହ ନିଜକୁ ଏକାଠି କରିଦେବା। ଭାରତୀୟ ସଂସ୍କୃତିର ଏହି ଅନନ୍ୟ ଅବଦାନ ଯୋଗ ବିଶ୍ବର କଲ୍ୟାଣରେ ଲାଗୁ, ଏହା ଆମର ଧ୍ୟେୟ ହେଉ।

Comments are closed.