ସ୍ବାଭାବିକ ଭାବେ ସେବା ଆରମ୍ଭ କଲା ୟେସ୍ ବ୍ୟାଙ୍କ

ମୁମ୍ବଇ : ୨ ସପ୍ତାହ ପରେ ପୁଣିଥରେ ସ୍ବାଭାବିକ ଭାବେ ସେବା ଆରମ୍ଭ କରିଛି ୟେସ୍ ବ୍ୟାଙ୍କ। ବୁଧବାର ସନ୍ଧ୍ୟାରେ ୟେସ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ ଆଜିଠାରୁ ସେବା ପୁନରୁଦ୍ଧାର କରାଗଲା ଏବଂ ବର୍ତ୍ତମାନ ଠାରୁ ଗ୍ରାହକମାନେ ଆମର ସମସ୍ତ ସେବା ପୂର୍ବଭଳି ପାଇପାରିବେ । ବ୍ୟାଙ୍କ ସ୍ବାଭାବିକ ହେବା ଘୋଷଣା ଫଳରେ ହଜାର ହଜାର ଗ୍ରାହକ ଆଶ୍ବସ୍ତ ହୋଇଛନ୍ତି। ଗତ ମାର୍ଚ୍ଚ ମାସ ୫ ତାରିଖରେ ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କକୁ ଦେବାଳିଆ ଘୋଷଣା କରିଥିଲା। ଏହାପରେ ୟେସ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଟଙ୍କା ଦେଣନେଣରେ ମଧ୍ୟ କେତେକ କଟକଣା ଲଗାଯାଇଥିଲା। ଫଳରେ ୟେସ୍ ବ୍ୟାଙ୍କ ଖାତାଧାରୀମାନେ ମାସକୁ ୫୦ ହଜାରରୁ ଅଧିକ ଟଙ୍କା ଉଠାଇପାରୁନଥିଲେ। ବର୍ତ୍ତମାନ ଗ୍ରାହକଙ୍କ ଏହି ଅସୁବିଧା ଦୂର ହୋଇଛି।


ବ୍ୟାଙ୍କର ପରିସ୍ଥିତିରେ ସୁଧାର ଆସିବା ପରେ ବ୍ୟାଙ୍କରେ ନିଯୁକ୍ତ ସିଇଓ ପ୍ରଶାନ୍ତ କୁମାର ସୂଚନା ଦେଇ କହିଛନ୍ତି ବ୍ୟାଙ୍କର ପରିସ୍ଥିତିରେ ସୁଧାର ଆସି ସାରିଛି। ଗ୍ରାହକମାନେ ଆଜି ସନ୍ଧ୍ୟା ୬ଟାରୁ ବ୍ୟାଙ୍କରୁ ପୂର୍ବଭଳି ସେବା ପାଇପାରିବେ। ୟେସ୍ ବ୍ୟାଙ୍କର ସମସ୍ତ ଏଟିଏମରେ ମଧ୍ୟ ବ୍ୟାଙ୍କ ପକ୍ଷରୁ ନଗଦ ଟଙ୍କା ଭର୍ତ୍ତି କରାଯାଇଛି।


ଗତ ୧୩ ତାରିଖରେ କେନ୍ଦ୍ର ସରକାର ୟେସ୍ ବ୍ୟାଙ୍କର ପୁନର୍ଗଠନକୁ ମଂଜୁରୀ ଦେଇଥିଲେ । ଏହା ଅନୁଯାୟୀ ଷ୍ଟେଟ ବ୍ୟାଙ୍କ ୟେସ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ ଅଧିକାର କରିଛି । ସେହିପରି ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ମଧ୍ୟ ଅଂଶଧନ ଖରିଦ ପାଇଁ ପ୍ରସ୍ତାବ ଦେଇଛନ୍ତି।

Comments are closed.