ୟେମେନ୍‌ ବିମାନବନ୍ଦର ବିସ୍ଫୋରଣରେ ୧୦ମୃତ, ବର୍ତ୍ତିଲେ ପ୍ରଧାନମନ୍ତ୍ରୀ

ସାନାନା : ଆରବ ରାଷ୍ଟ୍ର ୟେମେନ୍‌ର ଦକ୍ଷିଣାଞ୍ଚଳ ଏଡେନ୍‌ ବିମାନବନ୍ଦରରେ ବୁଧବାର ଭୟଙ୍କର ବିସ୍ଫୋରଣ ଓ ଗୁଳିକାଣ୍ଡରେ ୧୦ଜଣ ପ୍ରାଣ ହରାଇଛନ୍ତି। ଦେଶରେ ପ୍ରଧାନମନ୍ତ୍ରୀ ମାଇନ ଅବଦୁଲ ମାଲିକ ସଇଦଙ୍କ ନେତୃତ୍ବରେ ସମ୍ପ୍ରତି ନୂଆ ସରକାର ଗଠନ ହୋଇଛି। ପ୍ରଧାନମନ୍ତ୍ରୀ ମାଇନ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ସାଉଦି ଆରବରୁ ଆସି ଏହି ବିମାନବନ୍ଦରରେ ଅବତରଣ କରିବାର ମାତ୍ର କିଛି ସମୟ ବ୍ୟବଧାନରେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ପ୍ରାୟ ୨୦ଜଣ ଆହତ ହୋଇଛନ୍ତି। ସୁରକ୍ଷାକର୍ମୀ ପ୍ରଧାନମନ୍ତ୍ରୀ ଓ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେଇଯିବାରେ ସେମାନଙ୍କର କୌଣସି କ୍ଷତି ଘଟି ନାହିଁ। ଏହି ବିସ୍ଫୋରଣ ପଛରେ କାହାର ହାତ ରହିଛି ତାହା ସ୍ପଷ୍ଟ ହୋଇ ନାହିଁ; ତେବେ ଗତ ସପ୍ତାହରେ ଦାୟିତ୍ବ ଗ୍ରହଣ କରିଥିବା ନୂଆ ସରକାରକୁ ସ୍ବୀକାର କରୁ ନ ଥିବା ଦେଶର ବିଚ୍ଛିନ୍ନତାବାଦୀମାନେ ଏଥିରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଦୀର୍ଘ ବର୍ଷର ଗୃହଯୁଦ୍ଧ ପରେ ନବନିର୍ବାଚିତ ସରକାର ରିଆଦରେ ରହି ଶାସନ ପରିଚାଳନା କରୁଥିଲାବେଳେ ବୁଧବାର ସ୍ବଦେଶ ଫେରୁଥିଲେ। ବିଚ୍ଛିନ୍ନତାବାଦୀଙ୍କୁ ୟୁନାଇଟେଡ ଆରବ ଏମିରେଟ୍ସ ସମର୍ଥନ କରୁଛି। ନିର୍ବାସନରେ ଥିବା ୟେମେନ ରାଷ୍ଟ୍ରପତି ଆବେଦ ରାବୁ ମନସୁର ହାଦିଙ୍କ ସାଉଦି ସମର୍ଥିତ ସରକାର ଓ ଇରାନ ସମର୍ଥିତ ହୌତି ବିଦ୍ରୋହୀଙ୍କ ମଧ୍ୟରେ କିଛି ବର୍ଷ ଧରି ସଂଘର୍ଷ ଜାରି ରହିଛି।

Comments are closed.