ରବି କିଶନଙ୍କୁ ୱାଇ ପ୍ଲସ୍‍ ସୁରକ୍ଷା, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ

ନୂଆଦିଲ୍ଲୀ: ବଲିଉଡ଼ରେ ଡ୍ରଗ୍ସ କାରବାର ବିରୋଧରେ ସ୍ୱର ଉଠାଇଥିବା ବିଜେପି ସାଂସଦ ତଥା ଅଭିନେତା ରବି କିଶନଙ୍କୁ ୱାଇ ପ୍ଲସ୍‍ ସୁରକ୍ଷା ଯୋଗାଇ ଦିଆଯାଇଛି। ଏନେଇ ରବି କିଶନ ନିଜେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। ୱାଇ ପ୍ଲସ୍‍ ଶ୍ରେଣୀର ସୁରକ୍ଷା ମିଳିବା ପରେ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରବି କିଶନ ଟ୍ୱିଟ୍‍ କରି ଲେଖିଛନ୍ତି, “ମୋର ସୁରକ୍ଷାକୁ ଦୃଷ୍ଟିରେ ରଖି, ଆପଣ ଯେଉଁ ୱାଇ ପ୍ଲସ ଶ୍ରେଣୀର ସୁରକ୍ଷା ମୋତେ ଦେଇଛନ୍ତି, ସେଥିପାଇଁ ମୁଁ, ମୋ ପରିବାର ଏବଂ ମୋ ଲୋକସଭା ନିର୍ବାଚନମଣ୍ଡଳୀର ଜନସାଧାରଣ ଆପଣଙ୍କ ନିକଟରେ ଋଣୀ। ମୁଁ ସର୍ବଦା ଗୃହରେ ଅନ୍ୟାୟ ବିରୋଧରେ ସ୍ୱର ଉଠାଉଥିବି ବୋଲି ଲେଖିଛନ୍ତି ରବି କିଶନ ।

ସୂଚନାଯୋଗ୍ୟ, ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ମୁହଁ ଖୋଲି ବିବାଦକୁ ଆସିଥିବା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ୱାଇ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଥିଲା । କଙ୍ଗନାଙ୍କ ପରେ ଏବେ ରବି କିଶନଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଏହି ସୁରକ୍ଷା ପ୍ରଦାନ କରିଛନ୍ତି ଉତ୍ତରପ୍ରଦେଶ ସରକାର। ସେ ଲଗାତର ଭାବେ ଲୋକସଭାରେ ବଲିଉଡ ଡ୍ରଗ୍ସ ଲିଙ୍କ୍‍ ପ୍ରସଙ୍ଗ ଉଠାଇବା ପରେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳୁଥିବା କୁହାଯାଉଛି।

Comments are closed.