୧୧ରେ ଭାରତ ଆସିବେ ଚୀନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ଆସନ୍ତା ୧୧ ତାରିଖରେ ୨ଦିନିଆ ଭାରତ ଗସ୍ତରେ ଆସିବେ। ଚେନ୍ନାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜିନପିଙ୍ଗ ପରସ୍ପରଙ୍କୁ ଭେଟିବେ। ଦୁଇ ନେତାଙ୍କ ମଧ୍ୟରେ ୪ଟି ପୃଥକ ବୈଠକ ଅନୁଷ୍ଠିତ ହେବ। ଏହି ସମୟରେ ମୋଦୀ ଏବଂ ଜିନପିଙ୍ଗ ଚେନ୍ନାଇର ସମୁଦ୍ରକୂଳରେ ଥିବା ଏକ ରିସର୍ଟରେ ରହିବେ। ସୂଚନା ଅନୁସାରେ, ଉଭୟ ଦେଶର ନେତାଙ୍କ ମଧ୍ୟରେ ଅନୌପଚାରିକ ବୈଠକ ହେଉଥିବାରୁ ଏଥିରେ କୌଣସି ରାଜିନାମା କିମ୍ବା ବୁଝାମଣାପତ୍ର ସ୍ବାକ୍ଷରିତ ହେବ ନାହିଁ। ଚୀନ ରାଷ୍ଟ୍ରପତିଙ୍କ ସହିତ ଚୀନର ବିଦେଶ ମନ୍ତ୍ରୀ ଏବଂ ପିଲଟ୍‌ ବ୍ୟୁରୋ ସଦସ୍ୟ ମଧ୍ୟ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି।

ଜିନପିଙ୍ଗ ଚେନ୍ନାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ୨୪ ଘଣ୍ଟା ସମୟ ବିତାଇବେ। ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ସେ ଚେନ୍ନାଇରେ ପହଞ୍ଚିବେ ଏବଂ ପରଦିନ ଅପରାହ୍ନରେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଯିବେ। ଗସ୍ତ ସମୟରେ ମୋଦୀ ଏବଂ ଜିନପିଙ୍ଗ ମହାବଲୀପୂରମର ୩ଟି ପ୍ରସିଦ୍ଧ ସ୍ମାରକ ବୁଲିବା ସହିତ ଏବଂ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

Comments are closed.