ରମଣ ମହିଳା କ୍ରିକେଟ ଦଳର ନୂତନ ପ୍ରଶିକ୍ଷକ

0

ମୁମ୍ବଇ : ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ଡବ୍ଲ୍ୟୁ.ଭି.ରମଣଙ୍କୁ ଜାତୀୟ ମହିଳା କ୍ରିକେଟ ଦଳର ନୂତନ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ଏହି ପଦ ନିମନ୍ତେ ବିସିସିଆଇ ପକ୍ଷରୁ ଗୁରୁବାର ଦଶ ଜଣ ପ୍ରାର୍ଥୀଙ୍କ ସାକ୍ଷାତକାର ନିଆଯାଇଥିଲା। ତିନି ପୂର୍ବତନ କ୍ରିକେଟର କପିଳ ଦେବ, ଅଂଶୁମାନ ଗାଏକୱାର୍ଡ ଓ ଶାନ୍ତା ରଙ୍ଗସ୍ବାମୀଙ୍କୁ ନେଇ ଗଠିତ କାମଚଳା ମନୋନୟନ କମିଟି ତିନିଜଣଙ୍କ ନାମ ସଂକ୍ଷିପ୍ତ ତାଲିକାଭୁକ୍ତ କରିଥିଲେ। ଏମାନେ ହେଲେ ବିଶ୍ବକପ ବିଜେତା (୨୦୧୧) ଭାରତୀୟ ପୁରୁଷ କ୍ରିକେଟ ଦଳର ପୂର୍ବତନ ପ୍ରଶିକ୍ଷକ ଗ୍ୟାରୀ କର୍ଷ୍ଟନ, ପୂର୍ବତନ ଫାଷ୍ଟ ବୋଲର ଭେଙ୍କଟେଶ ପ୍ରସାଦ ଓ ଡବ୍ଲ୍ୟୁ.ଭି.ରମଣ। ନଭେମ୍ବର ୩୦ରେ ରମେଶ ପୱାରଙ୍କ କାର୍ଯ୍ୟକାଳ ଶେଷ ହେବାପରେ ଏହି ପଦ ଖାଲିପଡିଥିଲା। ତିନିଜଣଙ୍କ ମଧ୍ୟରୁ କର୍ଷ୍ଟନଙ୍କୁ ଏହି ପଦରେ ନିଯୁକ୍ତି ଦେବାକୁ ବିସିସିଆଇ କର୍ତ୍ତୃପକ୍ଷ ଆଗ୍ରହୀ ଥିଲେ। କର୍ଷ୍ଟନ ବର୍ତ୍ତମାନ ଆଇପିଏଲ ଫ୍ରାଞ୍ଚାଇଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଉଛନ୍ତି। ତେବେ ଆଇପିଏଲର ଲୋଭନୀୟ ପାରିଶ୍ରମିକ ଛାଡି କର୍ଷ୍ଟନ ମହିଳା ଦଳର ପ୍ରଶିକ୍ଷକ ହେବାକୁ ଅରାଜି ହେବାଫଳରେ ରମଣଙ୍କ ଉପରେ ଏହି ଦାୟିତ୍ବ ନ୍ୟସ୍ତ କରାଯାଇଛି।
୫୩ ବର୍ଷ ବୟସ୍କ ରମଣ ନବେ ଦଶକରେ ଭାରତ ପକ୍ଷରୁ ୧୧ଟି ଟେଷ୍ଟ ଓ ୨୭ଟି ଦିନିକିଆ ଖେଳିସାରିଛନ୍ତି। କ୍ରିକେଟରୁ ଅବସର ନେବାପରେ ରମଣ ତାମିଲନାଡୁ ଓ ବଙ୍ଗଳା ରଣଜୀ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ। ପରବର୍ତ୍ତୀ ସମୟରେ ସେ କିଙ୍ଗ୍‌ସ ଏକାଦଶର ସହକାରୀ ପ୍ରଶିକ୍ଷକ ଓ କଲକାତା ନାଇଟ ରାଇଡର୍ସର ବ୍ୟାଟିଂ ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ। ୨୦୧୫ରୁ ସେ ବାଙ୍ଗାଲୋରସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ବ୍ୟାଟିଂ ପ୍ରଶିକ୍ଷକଭାବେ କାର୍ଯ୍ୟ କରୁଛନ୍ତି।
ଅପରପକ୍ଷରେ କର୍ଷ୍ଟନ ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ବହନ କରିଥିଲେ। ତାଙ୍କରି କାର୍ଯ୍ୟକାଳରେ ୨୦୧୧ ବିଶ୍ବକପରେ ଭାରତ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା। ତେବେ ବିଶ୍ବକପ ଜିତିବାପରେ କର୍ଷ୍ଟନ ଏହି ଦାୟିତ୍ବରୁ ଅବ୍ୟାହତି ନେଇ ୨୦୧୩ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଦଳର ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ। ଚଳିତବର୍ଷ ସେ ଆରସିବିର ପ୍ରଶିକ୍ଷକ ଦାୟିତ୍ବ ନେଇଛନ୍ତି। ଅପରପକ୍ଷରେ ପ୍ରସାଦ ୨୦୦୭ ଟ୍ବେଣ୍ଟି୨୦ ବିଶ୍ବକପ ବିଜେତା ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିବାବେଳେ ଚଳିତବର୍ଷ କିଙ୍ଗ୍‌ସ ଏକାଦଶ ପଞ୍ଜାବର ବୋଲିଂ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି।
ଏହି ପଦ ପାଇଁ ମୋଟ ୨୮ ଜଣ ପ୍ରାର୍ଥୀ ଆବେଦନ କରିଥିଲେ। ଏମାନଙ୍କ ମଧ୍ୟରୁ ସାକ୍ଷାତକାର ପାଇଁ ପ୍ରଥମେ ୧୦ ଜଣଙ୍କୁ ଡକାଯାଇଥିଲା। ସାକ୍ଷାତକାରରେ ଅଂଶଗ୍ରହଣ କରିଥିବା ଅନ୍ୟ ଆବେଦନକାରୀଙ୍କ ମଧ୍ୟରେ ମନୋଜ ପ୍ରଭାକର, ଟ୍ରେଣ୍ଟ ଜନ୍‌ଷ୍ଟନ୍‌, ଦିମିତ୍ରି ମାସ୍କାରେନାସ, ବ୍ରାଡ୍‌ ହଗ୍‌ ଓ କଳ୍ପନା ଭେଙ୍କଟାଚାର ଅନ୍ୟତମ। ଏମାନଙ୍କ ମଧ୍ୟରୁ ତିନିଜଣ ବ୍ୟକ୍ତିଗତଭାବେ ବିସିସିଆଇ କାର୍ଯ୍ୟାଳୟରେ ଉପସ୍ଥିତ ରହି ସାକ୍ଷାତକାରରେ ଭାଗ ନେଇଥିବାବେଳେ ଛଅଜଣଙ୍କୁ (କର୍ଷ୍ଟନଙ୍କ ସମେତ) ସ୍କାଇପ୍‌ ଜରିଆ​‌େର ଓ ଅନ୍ୟ ଜଣଙ୍କର ଫୋନ ଜରିଆରେ ସାକ୍ଷାତକାର ନିଆଯାଇଥିଲା।
ନିକଟରେ ୱେଷ୍ଟଇଣ୍ଡିଜରେ ଆୟୋଜିତ ମହିଳା ଟ୍ବେଣ୍ଟି୨୦ ବିଶ୍ବକପରେ ଭାରତ ସେମିଫାଇନାଲ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଇଂଲଣ୍ଡ ବିପକ୍ଷ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଅଭିଜ୍ଞ ମିତାଲି ରାଜ୍‌ଙ୍କୁ ନ ଖେଳାଇବା ଫଳରେ ଦଳରେ ବିତର୍କର ସୂତ୍ରପାତ ହୋଇଥିଲା। ଏହି ପ୍ରସଙ୍ଗ ନେଇ ମିତାଲି ଓ ତତ୍କାଳୀନ ପ୍ରଶିକ୍ଷକ ରମେଶ ପୱାରଙ୍କ ମଧ୍ୟରେ କଥା କଟାକଟି ଚରମ ସୀମାରେ ପହଞ୍ଚିଥିଲା। ଏହି ପରିପ୍ରେକ୍ଷୀରେ ପୱାରଙ୍କ କାର୍ଯ୍ୟକାଳକୁ ଆଉ ବୃଦ୍ଧି ନ କରି ନୂତନ ପ୍ରଶିକ୍ଷକ ନିଯୁକ୍ତ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଥିଲା। ଏପରିକି ନୂତନ ପ୍ରଶିକ୍ଷକ ନିଯୁକ୍ତି ନେଇ ପ୍ରଶାସକ କମିଟିର ଦୁଇ ସଦସ୍ୟ ବିନୋଦ ରାୟ ଓ ଡାଏନା ଏଡ୍ୟୁଲଜିଙ୍କ ମଧ୍ୟରେ ମତାନ୍ତର ଦେଖିବାକୁ ମିଳିଥିଲା। ପୱାରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଡାଏନା ପ୍ରସ୍ତାବ ଦେଇଥିବାବେଳେ ନୂତନ ପ୍ରଶିକ୍ଷକ ନିଯୁକ୍ତି ପାଇଁ ରାୟ ଜିଦ୍‌ ଧରିଥିଲେ।

Leave A Reply