‘‘ରଙ୍ଗ୍ ନମ୍ବର’‘ ପ୍ରେମ: ବିବାହ ପ୍ରତିଶ୍ରୁତି ଦେଇ ବିଧବାଙ୍କୁ ବଳାତ୍କାର

ବାଙ୍ଗିରପୋଷି: ମୋବାଇଲ ଲଗାଉ ଲଗାଉ ଲାଗିଗଲା ରଙ୍ଗ ନମ୍ବର । ସେଇଠୁ ପ୍ରେମ ଆଉ ତା’ପରେ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର । ପୀଡ଼ିତା ହେଉଛନ୍ତି ଜଣେ ବିଧବା ମହିଳା (୩୬) ଓ ଅଭିଯୁକ୍ତ ହେଉଛନ୍ତି ୪ ପିଲାର ବାପା (୫୦ ବର୍ଷ) । ଏପରି ଏକ କୌତୂହଳପୂର୍ଣ୍ଣ ଖବର ଏବେ ମୟୂରଭଞ୍ଜ ଜିଲାର ବାଙ୍ଗିରପୋଷିରେ ଚର୍ଚା ।

କିଏ ଫୋନ୍ କରିବା ବେଳେ କାହାକୁ ପ୍ରଥମେ ଲାଗିଥିଲା ତାହା ଜଣା ପଡ଼ିନାହିଁ । କିନ୍ତୁ ନମ୍ବର ଲଗାଉ ଲଗାଉ ଭୁଲ ନମ୍ବରରେ ଲାଗି ଯାଇଥିଲା ଫୋନ୍ । ତା’ପରେ ପରସ୍ପର ସହ ଗଢ଼ି ଉଠିଥିଲା ମଧୁର ସମ୍ପର୍କ । ମୋବାଇଲରେ ପ୍ରେମ ଆହୁରି ଗହୀର ହେଲା । ଚେନ୍ନାଇରେ କାମ କରୁଥିବା ସ୍ଥାନୀୟ ଅଞ୍ଚଳର ମଧ୍ୟବୟସ୍କ ବ୍ୟକ୍ତି ଯେତେବେଳେ ଘରକୁ ଫେରିଲେ ସେତେବେଳେ ସମ୍ପୃକ୍ତା ମହିଳା ଆହୁରି ନିକଟତର ହେଲେ । ସେମାନଙ୍କ ନିକଟରେ ବାଧକ ହୋଇ ନ ଥିଲା ବୟସ ବା ପରିବାର । ୫୦ ବର୍ଷ ବୟସ୍କ ବ୍ୟକ୍ତି ସହ ୩୬ ବର୍ଷର ବିଧବା ମହିଳାଙ୍କ ସମ୍ପର୍କ ଗଢ଼ି ଉଠିଲା ।

ପରିବାରକୁ ଛାଡ଼ି ସମ୍ପୃକ୍ତ ମହିଳାଙ୍କୁ ବିବାହ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଏହି ବ୍ୟକ୍ତି । ଏହାର ସୁଯୋଗରେ ଗତ ଜୁନ୍ ୩ ତାରିଖରେ ତାଳବନ୍ଧ ଅଞ୍ଚଳକୁ ନିଜ ମୋଟର ସାଇକେଲରେ ସମ୍ପୃକ୍ତ ମହିଳାଙ୍କୁ ନେଇଥିଲେ ଓ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ମାତ୍ର ପରବର୍ତୀ ସମୟରେ ସମ୍ପୃକ୍ତ ବ୍ୟକ୍ତି ବିବାହ ନିମନ୍ତେ ଅସ୍ବୀକାର କରିଥିଲେ । ଏହାକୁ ସମ୍ପୃକ୍ତ ମହିଳା ବାଙ୍ଗିରପୋଷି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ଓ ଉଭୟଙ୍କ ଡ଼ାକ୍ତରୀମାଇନା କରାଯାଇଛି । ଡ଼ାକ୍ତରୀ ମାଇନା ରିପୋର୍ଟ ଆସିବା ପରେ ସବୁ କଥା ସ୍ପଷ୍ଟ ହୋଇଯିବ ବୋଲି ବାଙ୍ଗିରପୋଷି ଥାନା ଅଧିକାରୀ କହିଛନ୍ତି ।

Comments are closed.